ଯୋଗ୍ୟତା ଓ ଯଶ

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ମଧ୍ୟ ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କର ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ବାହାରକରି ଆଣିଲେ । ତା’ପରେ ତାକୁ କାନ୍ଧରେ ପକାଇ ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ହେ ରାଜନ୍, ମୁଁ କଦାପି ବୁଝିପାରୁନାହିଁ କି ତୁମେ ଏତେ କଷ୍ଟ କାହିଁକି କରୁଛ? ତୁମେ କୌଣସି ଗୁରୁଙ୍କର ଆଦେଶ ପାଇ ବୋଧେ ଏ କାର୍ଯ୍ୟ କରୁଛ । କିନ୍ତୁ ଏପରି ଗୁରୁ ବି ଅଛନ୍ତି ଯାହାଙ୍କର ବିଚାର ପ୍ରମାଦପୂର୍ଣ୍ଣ ହୋଇପାରେ ଏବଂ ସେତେବେଳେ ତୁମେ କେବଳ ପଶ୍ଚାତାପରେ ହିଁ ଦଗ୍ଧ ହେବ! ମୁଁ ମିତ୍ରସିଦ୍ଧ ନାମକ ଗୁରୁଙ୍କ କଥା ତୁମକୁ ଶୁଣାଉଛି, ଯିଏ କି ତାଙ୍କର ଦୁଇଜଣ ଶିଷ୍ୟଙ୍କ ସହ ବିଦ୍ୱେଷ ପୂର୍ଣ୍ଣ ବ୍ୟବହାର କରିଥିଲେ । ମନଦେଇ ଶୁଣ । ଶୁଣିଲେ ତୁମର ଶ୍ରମଲାଘବ ହେବ ।” ତା’ପରେ ବେତାଳ କହିଲା –

                “ଦୂର ଜଙ୍ଗଲରେ ମିତ୍ରସିଦ୍ଧ ନାମକ ଜଣେ ସିଦ୍ଧଯୋଗୀଙ୍କ ଆଶ୍ରମରେ ଅନେକ ଶିଷ୍ୟ ଥିଲେ । ସେମାନଙ୍କ ମଧ୍ୟରୁ ଲୋକପ୍ରିୟ ଓ ଶକ୍ତିକିରଣ ସେ ମୁନିଙ୍କର ଅତି ପ୍ରିୟ ଶିଷ୍ୟ ଥିଲେ । ସେମାନଙ୍କୁ ସେ ମୁନି ସବୁ ଆଶ୍ଚର୍ଯ୍ୟ ଶକ୍ତିମାନ ପ୍ରଦାନ କରିଥିଲେ ।”

                ଦିନେ ମୁନି ସେ ଦୁଇଜଣଙ୍କୁ ପାଖକୁ ଡାକି କହିଲେ, “ଏବେ ତୁମର ଶିକ୍ଷା ସମାପ୍ତ ହୋଇଛି । ତୁମେ ଦୁହେଁ ମୋର ଶିଷ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ଥାନ ପ୍ରାପ୍ତ କରିଛ । ଏଥର ତୁମେମାନେ ନିଜ ନିଜ ଘରକୁ ଫେରି ଗୃହସ୍ଥ ଜୀବନ ଯାପନ କର ।”


ଗପ ସାରଣୀ

ତାଲିକାଭୁକ୍ତ ଗପ