ଜୀବେ ଦୟା

ସବୁଦିନ ପରି ମଦନ ସକାଳୁ ଉଠି, ତାର ଗୋରୁଗାଈଙ୍କୁ ଘାସ, ନଡା, କୁଣ୍ଡା, ତୋରାଣୀ ଖାଇବାକୁ ଦେଲା । ଗୁହାଳୁ ଗୋବର ଉଠେଇଲା । ଗାଈ ବଳଦଙ୍କୁ ହାତରେ ଆଉଁସୀ କାମ ପାଇଁ ପ୍ରସ୍ତୁତ ହେବାର ସୂଚନା ବି ମଦନ ଦେଲା । ଗୃହପାଳିତ କୁକୁର ରିଙ୍କି ମଧ୍ୟ ଭୋ, ଭୋ ରାବ କରି ସକାଳର ସୂଚନା ଦେଲା ।

ମଦନର ସ୍ତ୍ରୀ ଗାଧୋଇପାଧୋଇ, ପୂଜାପାଠ କରିସାରି ଚୁଲି ଲଗେଇଲା । ତାଉଆ ବସାଇ ମୁଠାଏ ବଡି, ଦି ଫଡା ବାଇଗଣ ଭାଜି, କଂସାଏ ପଖାଳ ବାଢି ଦେଲା । ମଦନ ଅତି ସରାଗରେ ସୁର୍ ସୁର୍ କରି ଅମୃତଭଳି ସେସବୁ ଖାଇଦେଇ ତୋରାଣୀତକ ପିଇଦେଲା । ତାପରେ ହଳ ଲଙ୍ଗଳ ଧରି ସେ ମଦନ ତା କ୍ଷେତକୁ ଚାଲିଲା । ଆଗରେ କାଶିଆ କପିଳା ଦୁହେଁ ତା’ପରେ ମଦନା ଭାଇ । ତା’ପଛରେ ହାତୀ ଚାଲିଲାପରି ଚାଲିଥାଏ ରିଙ୍କି, ମଦନାର ପୋଷା କୁକୁର ସେ ରିଙ୍କି । ସବୁଦିନ ମଦନା ତା କ୍ଷେତକୁ ଚାଲିଲା ବେଳକୁ ରିଙ୍କ ତ ତାସଙ୍ଗେ ଯିବ ହିଁ ଯିବ ।

ମଦନା ହଳ ଯୋଚିଲା । ଅହ ଅହ ଡାକଛାଡି ଦି’ଓଡ ଚାଷ କଲା । ମନ୍ଦିରରେ ତିଆରି ହୋଇଥିବା ସିଂହ ବସିବା ପରି ସେ ରିଙ୍କି ସବୁ କିଛି ଦେଖୁଥାଏ । ହଠାତ୍ ମଦନା ଭାଇ ତା ପାଂଚଣ ଉଠାଇ କପିଳାକୁ ଦେଲା ଭଲକରି ପାହାରେ । ସେ ମାଡଟି କପିଳାକୁ ଖୁବ୍ ଯୋରକରି କାଟିଲା । ତାପରେ ସେ କିଛିବି ନକହି କେବଳ ତା ଆଖିରୁ ଲୁହ ବୁହେଇଲା । ଏକଥା ମଧ୍ୟ ସେ ରିଙ୍କି ଦେଖିଲା । ତା’ପରେତ ତାକୁ ଆଉ ସମ୍ଭାଳେ କିଏ? ବିଲ ମାଳ ଯାକ ଭୋ ଭୋ କରି ସେ ଖାଲି ଧାଇଁଲା । ଏକଥା ସେ ମଦନା ଦେଖି ଏକଦମ୍ ଅବାକ୍ । ରିଙ୍କି ତ ଏମିତି କେବେବି ହୁଏନା, ଆଜି ତାର ଏ କ’ଣ ହେଲା?

ଚାରି ଓଡ ଚାଷ ପରେ ହିଡ ମୁଣ୍ଡରେ ବସି ଘୋଟଣା ଖୋଲିଲା । କାହିଁ କପିଳା ଓ ରିଙ୍କି ଗଲେ କୁଆଡେ? ମଦନ କିଛି ଦୂରରେ ଦେଖିଲା କପିଳାର ……କୁ ଆଉଁସି ଦେଉଛି ରିଙ୍କି । ଆଉ ସେ କପିଳା ବି ତା ମୁହଁ ବୁଲେଇ ଚାଟି ଦେଉଛି ରିଙ୍କିର ପିଠି ।

ଏକଥା ଦେଖି ମଦନା ଏବେ ଠିକ୍ ବୁଝିପାରିଲା ଯେ ଅମାନିଆ କପିଳାକୁ ପାହାରେ ଦେବାର ଏହା ହେଉଛି ପରିଣାମ । ଘୋଟଣା ପାଖକୁ ଉଠିଯାଇ ସେ ମଦନା କପିଳା ଓ ରିଙ୍କିକୁ ଡାକି ଆଣିଲା । ଏସବୁ ଦେଖି ମଦନା ଆଖିରୁ ମଧ୍ୟ ଦି’ଧାର ଲୁହ ଗଡିଆସିଲା । ଲମ୍ବା ରଡିକରି କାଶିଆ କହିଲା ଏଟା ମାଡ ନୁହେଁ କପିଳା ଭାଇ? ଏଇଟା ହେଉଛି ମଦନ ଭାଇର ଆକଟ ।


ଗପ ସାରଣୀ

ତାଲିକାଭୁକ୍ତ ଗପ