ବିଧବା ତା ଧନ ଫେରିପାଇଲା

ଆଗ୍ରା ସହର ନିକଟବର୍ତ୍ତୀ ଅଂଚଳର ଗ୍ରାମରେ ଜଣେ ବିଧବା ବାସ କରୁଥିଲେ । ବିବାହର କିଛି ଦିନ ପରେ ତାଙ୍କର ସ୍ୱାମୀ ଆରପାରିକୁ ଚାଲିଗଲେ । ବିଚାରୀ ସ୍ତ୍ରୀ ଲୋକଟିର ଆଗକୁ ପଛକୁ କେହି ନଥାନ୍ତି । ଗ୍ରାମର ଶେଷ ମୁଣ୍ଡରେ କୁଡିଆଟିଏ କରି ସେ ବାସ କରୁଥାଏ । ଧନୀ ବ୍ୟକ୍ତି ମାନଙ୍କର ଘରେ ବାସନ ମାଜିବା, ଘର ଝାଡୁ କରିବା, ଲୁଗା ସଫା କରିବା ଇତ୍ୟାଦି କାର୍ଯ୍ୟ କରି ଜୀବନ ବିତାଏ । ସେ ଯାହା ରୋଜଗାର କରୁଥିଲା ତାର କେହି ଖର୍ଚ୍ଚ କରିବାକୁ ନଥିବାରୁ ସେ ବଳକା ଅର୍ଥକୁ ରଖିଦିଏ । ଏହିପରି କିଛିଦିନ ସଂଚୟ କଲାପରେ ତା’ପାଖରେ ଏକ ହଜାର ସ୍ୱର୍ଣ୍ଣମୁଦ୍ରା ହୋଇଗଲା । ବୁଢୀକୁ ମଧ୍ୟ ସେତେବେଳକୁ ବହୁତ ବୟସ ହୋଇଯାଇଥିଲା । ତେଣୁ କିଛି ଦିନ କାଶୀ ଯାଇ ତୀର୍ଥ କରିବାକୁ ମନ ବଳାଇଲା । ହେଲେ ସଂଚୟ କରିଥିବା ଧନ କେଉଁଠାରେ ରଖିବ? ପ୍ରଥମେ ଭାବିଲା ତା’ର ଏକ କୁଡିଆ ଘର ମଧ୍ୟରେ ଗାତ ଖୋଳି ରଖିବ । ହେଲେ କିଛି ସମୟପରେ ସେ ସେହି ଚିନ୍ତାଧାରାକୁ ମନ ଭିତରୁ ବାଦ୍ ଦେଲା । କାଳେ କିଏ ଘର ଖୋଲି ତାର ଧନକୁ ନେଇଯିବ ସେଥିପାଇଁ ସେ ଘରେ ନରଖିବାକୁ ମନେ ମନେ ଠିକ୍ କଲା । ସେହି କଥା ଚିନ୍ତା କରୁଥିବା ସମୟରେ ହଠାତ୍ ତା ମନକୁ ଏକ ଉପାୟ ଆସିଲା ।

         ସେହି ଗ୍ରାମରେ ଜଣେ ବ୍ରାଦ୍ମଣ ବାସ କରୁଥିଲେ । ସେ ଯେମିତି ସଚ୍ଚୋଟ ସେମିତି ସତ୍ୟବାଦୀ, ନ୍ୟାୟପ୍ରିୟ ମଧ୍ୟ ଥିଲେ । ବୁଢୀ ମନେ ମନେ ଠିକ୍ କଲା ସେହି ବ୍ରାହ୍ମଣଙ୍କ ପାଖରେ ତା’ର ଧନକୁ ରଖିଦେଇଯିବ । ମନେ ମନେ ଏହା ଭାବି, ସେ ଯାଇ ସେହି ବ୍ରାହ୍ମଣଙ୍କ ପାଖରେ ପହଁଚିଲା । ବ୍ରାହ୍ମଣଙ୍କୁ କହିଲା, “ମହାଶୟ! ମୁଁ ଜାଣେ ଆପଣ ଜଣେ ସତ୍ୟବାଦୀ, ନ୍ୟାୟପ୍ରିୟ ଓ ଭଗବାନଙ୍କର ପରମଭକ୍ତ । ମୁଁ ଆପଣଙ୍କ ନିକଟକୁ ଗୋଟିଏ କାମରେ ଆସିଛି । ମୁଁ କିଛି ଦିନ ପାଇଁ କାଶୀ ତୀର୍ଥ କରିବାକୁ ଯିବା ପାଇଁ ଠିକ୍ କରିଛି । ଯେତିକି ଦିନ ମୁଁ ତୀର୍ଥ କରିବାକୁ ଯିବି ସେତେଦିନ ପାଇଁ ଆପଣଙ୍କ ପାଖରେ ମୋର ଏକ ହଜାର ସ୍ୱର୍ଣ୍ଣମୁଦ୍ରା ରହିବ । ମୁଁ ଆସିବା ପରେ ଆପଣଙ୍କ ପାଖରୁ ମୋ ଧନ ନିଜେ ଯାଇ ନେଇ ଆସିବି ।” ବୁଢୀର କଥାରେ ବ୍ରାହ୍ମଣ ପ୍ରଥମେ ରାଜି ନହେଲେ ମଧ୍ୟ ବୁଢୀ ଯେମିତି ଅନୁନୟ ବିନୟ ହୋଇ କହିଛି ବ୍ରାହ୍ମଣ ତା’ କଥାରେ ରାଜି ହୋଇଗଲେ । ବ୍ରାହ୍ମଣ ବୁଢୀକୁ କହିଲେ, “ତୁମେ ଏକ ଥଳୀରେ ତୁମ ମୁଦ୍ରାକୁ ଭର୍ତି କରି ଥଳୀର ମୁହଁକୁ ସିଲେଇ କରି ମୋତେ ଦିଅ । ମୁଁ ଏହାକୁ ଏହି ଗଛ ମୂଳରେ ପୋତି ଦେବି । କାରଣ ମୁଁ ତ’ ଏହିଠାରେ ଦିନ ରାତି ବସି ତପସ୍ୟା କରେ । ସବୁ ସମୟରେ ମୁଁ ଏହା ଉପରେ ନଜର ଦେଇପାରିବିନି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ