ଚିତ୍ରଲେଖା କଥା

ପରଦିନ ପୁଣି ଶୁଭ ମୁହୂର୍ତ ଦେଖି ଭୋଜରାଜ ସିଂହାସନ ଆରୋହଣ ପାଇଁ ଉଦ୍ୟତ ହେବା ମାତ୍ରେ ଦ୍ୱିତୀୟ ପୁତ୍ତଳିକା ଚିତ୍ରଲେଖା ମୁର୍ତିମତୀ ହୋଇ ଆଗରେ ପଥ ଓଗାଳି କହିଲା “ମହାରାଜ! ଟିକିଏ ରୁହନ୍ତୁ, ଆଗ ମୋ କଥା ଶୁଣନ୍ତୁ ତାପରେ ବିଚାର କରି ଦେଖନ୍ତୁ ଆପଣ ଏଥିପାଇଁ ଉପଯୁକ୍ତ କି ନୁହେଁ । ତାପରେ ଯାହା କରିବେ ।

       ଭୋଜରାଜଙ୍କ ପାଦ ଅଟକି ଗଲା । ଚିତ୍ରଲେଖା କହି ଚାଲିଲା; ଚମତ୍କାରୀ ସିଂହାସନ ପ୍ରାପ୍ତିପରେ ମହାରାଜା ବିକ୍ରମାଦିତ୍ୟଙ୍କର ଯଶଖ୍ୟାତି ଚାରିଆଡେ ବ୍ୟାପିଲା । ପ୍ରଜାମାନେ ସୁଖ ଶାନ୍ତିରେ ବାସ କରିଲେ । କାହାର କିଛି ଦୁଃଖ ଅଭାବ ରହିଲା ନାହିଁ । ଦିନେ ମହାରାଜା ଶିକାର କରିବାକୁ ଯାଇ ଏକ ପାହାଡ ଉପରେ ପହଁଚି ଦେଖିଲେ ଯେ ଜଣେ ସାଧୁ ତପସ୍ୟା କରୁଛନ୍ତି । ଧ୍ୟାନମଗ୍ନ ଅବସ୍ଥାରେ ସାଧୁଙ୍କୁ ଭକ୍ତିପୂତ ପ୍ରଣାମ କରି ଫେରିଯିବା ସମୟରେ ପଛରୁ ଡାକ ଶୁଭିଲା । “ମହାରାଜା ବିକ୍ରମାଦିତ୍ୟ! ଋୁହ” ବିକ୍ରମାଦିତ୍ୟ ଅଟକିଗଲେ ।

       ସାଧୁ ବିକ୍ରମାଦିତ୍ୟଙ୍କୁ ଗୋଟିଏ ଫଳଦେଇ କହିଲେ, “ମୁଁ ତମର ଶିଷ୍ଟତା, ଭକ୍ତିରେ ସନ୍ତୁଷ୍ଟ, ଏହି ଫଳଟି ନିଅ । ଏହାକୁ ଖାଇଲେ ତୁମର ବଳିଷ୍ଠ, ତେଜସ୍ୱୀ ପୁତ୍ରଟିଏ ଜାତହେବ ।” ବିକ୍ରମାଦିତ୍ୟ ଫଳନେଇ ପୁଣିଥରେ ସାଧୁଙ୍କୁ ପ୍ରଣାମ କରି ଫେରିଲେ । ରାସ୍ତାରେ ଦେଖିଲେ ଜଣେ ସ୍ତ୍ରୀଲୋକ ଦୌଡି ଚାଲିଛି । ସେ ଦୁଃଖରେ ଥିବା ପରି ଜଣା ପଡୁଥାଏ । ବିକ୍ରମାଦିତ୍ୟ ତାକୁ ଅନୁସରଣ କଲେ । ଏକ ପରିତ୍ୟକ୍ତ କୁଅକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ମହାରାଜ ତାକୁ ଧରିନେଲେ ଏବଂ ଆତ୍ମହତ୍ୟାର କାରଣ ପଚାରିଲେ ।

       ସ୍ତ୍ରୀ ଲୋକଟି କହିଲା, “ମୋର ପିଲାଛୁଆ ହେଉ ନଥିବାରୁ, ମୋ ସ୍ୱାମୀ ନିଇତି ମାଡ ମାରୁଛି । ତେଣୁ ମୁଁ ଜୀବନ ହାରି ଦେବାକୁ ଚାହୁଁଛି ।” ମହାରାଜ ତା’ର ଦୁଃଖରେ ସମବେଦନା ଜଣାଇ ତାଙ୍କୁ ଫଳଟି ଦେଇ କହିଲେ, “ଏହାକୁ ନିଅ । ତମ ସ୍ୱାମୀଙ୍କୁ ଖୁଆଇଦେବ । ତମର ନିଶ୍ଚିତ ପୁତ୍ରହେବ ।” ସ୍ତ୍ରୀ ଲୋକଟି ରାଜାଙ୍କୁ ଧନ୍ୟବାଦ ଦେଇ ଚାଲିଗଲା ।

       କିଛିଦିନ ପରେ ମହାରାଜା ବିକ୍ରମାଦିତ୍ୟଙ୍କ ଦରବାରକୁ ଜଣେ ସାଧୁ ଆସିଲେ । ସେ ବିକ୍ରମାଦିତ୍ୟଙ୍କୁ ଫଳଟିକୁ ଦେଇ କହିଲେ, “ଆଜ୍ଞା ଏ ଏକ ଚମତ୍କାରୀ ଫଳ । ମୋ ପ୍ରେମିକା ମୋତେ ଦେଇଥିଲା । ମାତ୍ର ମୁଁ ଭାବିଲି ଏହାର ଉପଯୁକ୍ତ ଅଧିକାରୀ ଆପଣ । କାରଣ ଆପଣଙ୍କର ତେଜସ୍ୱୀ, ବଳବାନ୍ ପୁତ୍ର ହେଲେ ଦେଶର ମଙ୍ଗଳ ସାଧିତ ହେବ ।” ମହାରାଜ ଫଳନେଇ ସେଇ ସାଧୁକୁ ପୁରସ୍କାର ଦେଇ ବିଦାୟ ଦେଲେ । ନାରୀ ଜାତିର କୃତଘ୍ନତା ସଂପର୍କରେ ଅବଗତ ହୋଇ ରାଜାଙ୍କ ମନରେ ଦୁଃଖ ଆସିଲା । ଏଣୁ ସେ ଫଳଟିକୁ ଅନ୍ୟ କାହାକୁ ନ ଦେଇ ନିଜର ପ୍ରିୟତମା ରାଣୀଙ୍କ ହାତରେ ଅର୍ପଣ କଲେ, କାରଣ ରାଣୀଙ୍କୁ ସେ ପ୍ରାଣଦେଇ ଭଲ ପାଉଥିଲେ ଏବଂ ବିଶ୍ୱାସ ମଧ୍ୟ କରୁଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ