ଧମ୍ମଦ୍ଧଜ ଜାତକ

         ରାଜା ତାହାହିଁ କହିଲେ । ରାଜାଦେଶ ଶୁଣି ବୋଧିସତ୍ୱ ନିର୍ଲିପ୍ତ ଭାବରେ କହିଲେ, “ସମ୍ଭବପର ହେଲେ ଆପଣଙ୍କୁ ଗୋଟିଏ ଉପଯୁକ୍ତ ଉଦ୍ୟାନରକ୍ଷକ ଯୋଗାଇଦେବି ।”

         ବୋଧିସତ୍ୱ ସେଦିନ ରାତ୍ରିରେ ଭୋଜନ ପରେ ଶୟନ କରିବାକୁ ଗଲେ । ପ୍ରତ୍ୟୁଷରେ ନିଦ୍ରାଭଙ୍ଗ ହେବାରୁ ସେ ଶଯ୍ୟାରେ ବସି ଚିନ୍ତାକଲେ – ଶକ୍ର ମୋ ପ୍ରତି ଦୟାପରବଶ ହୋଇ ଯାହା ତାଙ୍କଦ୍ୱାରା ହୋଇପାରେ ତାହା କରିଅଛନ୍ତି । ଚତୁର୍ଗୁଣ ବିଶିଷ୍ଟ ଗୋଟିଏ ଉଦ୍ୟାନପାଳ ସୃଷ୍ଟି କରିବା ତାଙ୍କ ଶକ୍ତିର ଅତୀତ । ଏପରି ସ୍ଥଳରେ ମୋର ମୃତ୍ୟୁ ନିଶ୍ଚିତ; କିନ୍ତୁ ଦୁଷ୍ଟ ରାଜାର ଘାତକମାନଙ୍କ ହାତରେ ପ୍ରାଣ ହରାଇବା ଅପେକ୍ଷା ବନରେ ଅନାହାରରେ ମରିବା ଶ୍ରେୟସ୍କର ।

         ଏହିପରି ସ୍ଥିରକରି ସେ ସମସ୍ତଙ୍କ ଅଜ୍ଞାତସାରରେ ଗୃହରୁ ବାହାରି ନଗର ତ୍ୟାଗ କରିଗଲେ । କିଛିଦୂର ଯିବା ପରେ ସେ ଗୋଟିଏ ବନପ୍ରଦେଶରେ ଉପସ୍ଥିତ ହେଲେ । ଗୋଟିଏ ବୃକ୍ଷମୂଳରେ ବସି ସେ ଧର୍ମ ବିଷୟରେ ଚିନ୍ତା କରିବାକୁ ଲାଗିଲେ । ଶକ୍ର ଏହା ଜାଣିପାରି ଜଣେ ଶବରରୂପରେ ତାହାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିଲେ, “ମହାଶୟ, ଆପଣଙ୍କୁ ଦେଖିଲେ ମନେହେଉଛି, ଆପଣ ସୁଖରେ ଜୀବନ ଯାପନ କରୁଥିଲେହେଁ ଏକାକୀ ଏ ବନକୁ ଆସିଅଛନ୍ତି । ଆପଣଙ୍କ ଜୀବନରେ କି ବିପଦ ଉପସ୍ଥିତ ହେବାରୁ ବୃକ୍ଷମୂଳରେ ବସି ଅଶ୍ରୁତ୍ୟାଗ କରୁଅଛନ୍ତି?”

         ବୋଧିସତ୍ୱ ଉତ୍ତର କଲେ, “ଆପଣଙ୍କର ଅନୁମାନ ଯଥାର୍ଥ । ଜୀବନକୁ ସୁଖରେ ଅତିବାହିତ କରିବାର ସମସ୍ତ ସୁଯୋଗ ଥାଇ ମଧ୍ୟ ମୁଁ ବନରେ ଏକାକୀ ଦୁଃଖମୟ ଜୀବନଯାପନ କରିବାକୁ ଆସିଛି ।”

         ଶକ୍ର ପୁଣି ପ୍ରଶ୍ନକଲେ, “ତୁମର ଦୁଃଖର କାରଣ କଅଣ?” ଧର୍ମଧ୍ୱଜ ଉତ୍ତର କଲେ, “ରାଜା ମୋତେ ଆଦେଶ ଦେଇଛନ୍ତି, ଜଣେ ଚତୁର୍ଗୁଣସମ୍ପନ୍ନ ଲୋକ ତାଙ୍କୁ ଯୋଗାଇଦେବି । ସେ ରାଜାଙ୍କ ଉଦ୍ୟାନରକ୍ଷକ କାର୍ଯ୍ୟ କରିବ । ଏପରି ଲୋକ ମିଳିବା ଅସମ୍ଭବ । ତେଣୁ ରାଜା ମୋତେ ପ୍ରାଣଦଣ୍ଡ ଦେବେ । ଘାତକଦ୍ୱାରା ପ୍ରାଣ ହରାଇବା ଅପେକ୍ଷା ବନରେ ଉପବାସରେ ମରିବା ଭଲ ମନେକରି ମୁଁ ଏଠାକୁ ଆସି ଦୁଃଖରେ ବସିଛି ।”

         ଏହା ଶୁଣି ଶକ୍ର ଆତ୍ମପରିଚୟ ଦେଇ କହିଲେ, “ତୁମେ ଏପରି ନିରାଶ ହେବାର କାରଣନାହିଁ । ମୁଁ ତୁମକୁ ସାହାଯ୍ୟ କରିବାକୁ ଆସିଛି । ତୁମପାଇଁ ପ୍ରମୋଦ ଉଦ୍ୟାନ, ସରୋବର, ମଣି ଏସବୁ ଦେଇଛି । ଅବଶ୍ୟ ଜଣେ ଚତୁର୍ଗୁଣବିଶିଷ୍ଟ ଉଦ୍ୟାନରକ୍ଷକ ସୃଷ୍ଟି କରିବା ମୋର ଶକ୍ତିର ଅତୀତ; କିନ୍ତୁ ଏପରି ଜଣେ ଲୋକ ଅଛି ସେ ହେଉଛି, ଅଳଙ୍କାର ନିର୍ମାତା ଛତ୍ରପାଣି । ତୁମେ ତାଙ୍କୁ ନେଇ ରାଜାଙ୍କ ପାଖରେ ପହଁଚାଇଦିଅ ।”

         ଶକ୍ର ଏହା କହି ଅନ୍ତର୍ହିତ ହୋଇଗଲେ । ଧର୍ମଧ୍ୱଜ ନଗରକୁ ଫେରିଯାଇ ଛତ୍ରପାଣିଙ୍କୁ ଭେଟି ପଚାରିଲେ, “ମୁଁ ଶୁଣୁଛି, ତୁମେ ଚାରୋଟି ଗୁଣର ଅଧିକାରୀ । ଏହା ସତ୍ୟ କି?” ଛତ୍ରପାଣି କହିଲେ, “ଏହା ସତ୍ୟ; କିନ୍ତୁ ଏ ବିଷୟ ସହିତ ତୁମର ସମ୍ବନ୍ଧ କଅଣ?” ତହୁଁ ଧର୍ମଧ୍ୱଜ ରାଜାଙ୍କ ଆଦେଶ ବିଷୟ ପ୍ରକାଶ କଲେ । ଛତ୍ରପାଣି ଧର୍ମଧ୍ୱଜଙ୍କ ସହିତ ରାଜାଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ଧର୍ମଧ୍ୱଜ କହିଲେ, “ମହାରାଜ! ଏହି ମହାପୁରୁଷ ଆପଣଙ୍କର ଉଦ୍ୟାନରକ୍ଷକ ପଦପାଇଁ ଉପଯୁକ୍ତ ।” ରାଜା ଛତ୍ରପାଣିଙ୍କୁ ପଚାରିଲେ, “ତୁମର ଚାରୋଟି ଗୁଣ କଅଣ?” ଛତ୍ରପାଣି ଉତ୍ତର କଲେ, “ମୁଁ କାହାରିକୁ ଈର୍ଷା କରେନାହିଁ; ମଦ ପାନ କରେନାହିଁ; ମୋର କୌଣସି କାମନା ନାହିଁ ଓ ମୋର କ୍ରୋଧ ନାହିଁ ।”

         କି କି ପରିସ୍ଥିତିରେ ସେ ଏହି ଗୁଣଗୁଡିକ ଶିକ୍ଷା କରିଥିଲେ ତାହା ମଧ୍ୟ ସେ ବର୍ଣ୍ଣନା କଲେ । ରାଜା ଏଥିରେ ସନ୍ତୁଷ୍ଟ ହେଲେ ।

         ଏଥିମଧ୍ୟରେ ମନ୍ତ୍ରୀ, ରାଜକର୍ମଚାରୀ ଓ ଜନସାଧାରଣ ଶୁଣିପାରିଥିଲେ ଯେ କାଳକର ପରାମର୍ଶରେ ରାଜା ଧର୍ମଧ୍ୱଜଙ୍କୁ ଯାହା ଯାହା କରିବାକୁ ଆଦେଶ ଦେଇଥିଲେ, ସେ ସେସବୁ କରିଅଛନ୍ତି । ଏବେ ରାଜା ନିଜେ ଜାଣିପାରିଲେ ଯେ ଧର୍ମଧ୍ୱଜ ପ୍ରକୃତରେ ସାଧୁ ପ୍ରକୃତିର ଲୋକ; କାଳକ ତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରୁଥିଲା । ରାଜାଙ୍କଠାରୁ ସୂଚନା ପାଇଲାମାତ୍ରେ ସମସ୍ତେ ଚିତ୍କାର କଲେ, “କାଳକର ଅନ୍ୟାୟ ଉପାର୍ଜନ ବନ୍ଦ ହୋଇଯିବାରୁ ସେ ଧର୍ମଧ୍ୱଜଙ୍କୁ ବଧ କରିବାର ଉଦ୍ୟମ କରୁଥିଲା ।” ସେମାନେ କାଳକକୁ ପ୍ରହାର କରି କରି ନଗରର ବାହାରକୁ ନେଇଗଲେ । ଏହି ପ୍ରହାର ଫଳରେ ତା’ର ମୃତ୍ୟୁ ହେଲା । ଲୋକେ ତା’ର ଶବକୁ ଘୃଣା ସହକାରେ ଦୂରରେ ଫିଙ୍ଗି ଦେଲେ ।

       ରାଜା ଯଶପାଣି ଧର୍ମଧ୍ୱଜଙ୍କ ପରାମର୍ଶରେ ରାଜ୍ୟଶାସନ କରିବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ