ଧୂସର ଦୁର୍ଗ

ଚନ୍ଦ୍ରବର୍ମା ଓ କାପାଳିନୀ ଶଙ୍ଖୁଥିବା ପାହାଡ ଉପରକୁ ଉଠିଗଲେ । ଶଙ୍ଖୁ ବାଟରେ ଅଚେତନ ଅବସ୍ଥାରେ ପଥର ଖସିଯିବା ଯୋଗୁଁ ତଳେ ପଡି କୁଆଡେ ଲୁପ୍ତ ହୋଇ ଯିବାର ସେମାନେ ଦେଖିଲେ । ପାହାଡ ଉପରେ ଚନ୍ଦ୍ରବର୍ମା କାଳକେତୁର ସହାୟତାରେ କାପାଳିନୀ ସକାଶେ ଗୋଟିଏ ଛୋଟିଆ ଘର ତୋଳିଦେଲେ । ତା’ପରେ ସେ ବିଦାୟ ନେଲେ । ବଣ ଭିତରେ ତାଙ୍କୁ ଗୋଟିଏ ବଳିଷ୍ଠ ଲୁହା ଜଂଜିର ମିଳିଲା । ସେତିକିବେଳେ ଗୋଟିଏ ଡାହାଳ କୁକୁର ତାଙ୍କ ଆଡେ ଝପଟି ଆସିଲା । ତା’ପରେ…

ଚନ୍ଦ୍ରବର୍ମା ସେ କୁକୁର ଦାଉରୁ ରକ୍ଷା ପାଇବା ନିମନ୍ତେ ତରବାରୀ ବାହାର କଲେ । ତାକୁ ସେ ତରବାରୀ ଦ୍ୱାରା ଆଘାତ କରିବାକୁ ପ୍ରସ୍ତୁତ ହେବା ବେଳକୁ ତାଙ୍କ ଅନ୍ୟ ହାତରେ ଥିବା ଜଂଜିରଟି ଯାଇ କୁକୁର ମୁଣ୍ଡରେ ବାଜିଲା । କୁକୁର ସେ ପ୍ରଚଣ୍ଡ ଆଘାତରେ ମୁହଁ ମାଡି ତଳେ ପଡିଗଲା । ଚନ୍ଦ୍ରବର୍ମା ଚିତ୍କାର କରି ସେ ଧ୍ୱନି ଦ୍ୱାରା କୁକୁରକୁ ଡରାଇ ଦେବା ସମ୍ଭବ ବୋଲି ବିଶ୍ୱାସ କରି କୁକୁର ଆଡେ ଅଗ୍ରସର ହେଲେ । କୁକୁର ମୁହୂର୍ତ୍ତକ ଭିତରେ ଦେହ ଝାଡିଝୁଡି ଉଠି ଠିଆ ହେଲା । କିନ୍ତୁ ଚନ୍ଦ୍ରବର୍ମାଙ୍କ ହାତରେ ଥିବା ଜଂଜିର ଉପରେ ତା’ ଆଖି ପଡିଯିବା ମାତ୍ରେ ସେ ଶଙ୍କିଗଲା ଏବଂ ଦୌଡି ପଳାଇ ଗୋଟିଏ ବୁଦା ମୂଳରେ ଠିଆ ହୋଇ ତାଙ୍କ ଆଡେ ଅନାଇଲା ।

                ପ୍ରଥମେ ଚନ୍ଦ୍ରବର୍ମା ଭାବିଲେ ଯେ କୁକୁର ଟିକିଏ ଦମ୍ଭ ସଂଚୟ କରୁଛି; ପୁଣି ତାଙ୍କୁ ସେ ଆକ୍ରମଣ କରିବ । ସେ ଜଂଜିର ଧରି ତା’ ଆକ୍ରମଣକୁ ସାମ୍ନା କରିବା ନିମନ୍ତେ ପ୍ରସ୍ତୁତ ହୋଇ ରହିଲେ । କିଛି ସମୟ ବିତିଗଲା । କିନ୍ତୁ କୁକୁର ତାଙ୍କ ଆଡେ ଜୁଳୁ ଜୁଳୁ କରି ଅନାଇଥାଏ । ସତେ ଅବା ସେ ତାଙ୍କର ବହୁତ ଚିହ୍ନା!

                କୁକୁରର ବ୍ୟବହାରରେ ଏଭଳି ଆକସ୍ମିକ ପରିବର୍ତ୍ତନ ଦେଖି ଚନ୍ଦ୍ରବର୍ମା ଖୁବ୍ ଆଶ୍ଚର୍ଯ୍ୟ ହେଲେ । ସେ ଜଂଜିର ଖଣ୍ଡିକ ଆଡେ ଥରେ ଅନାଇ ତାକୁ କୁକୁର ଆଡେ ଫୋପାଡି ଦେଲେ । କୁକୁର ତାକୁ ଶୁଙ୍ଘି ସେ ଖଣ୍ଡିକ କାମୁଡି ଧରି ପୁଣି ଚନ୍ଦ୍ରବର୍ମାଙ୍କ ପାଖକୁ ଘେନି ଆସିଲା । ସେ ଲାଞ୍ଜ ହଲାଉଥାଏ ।

                ଚନ୍ଦ୍ରବର୍ମା ବୁଝି ପାରିଲେ ଯେ ସେ ଜଂଜିରର କୌଣସି ବିଶେଷ ଗୁଣ ଅଛି । ସେ ଜଂଜିରର ଗୋଟିଏ ପ୍ରାନ୍ତରେ କୁକୁରକୁ ବାନ୍ଧିଲେ ।

                କୁକୁର ଭୁକିଲା ଏବଂ ଚନ୍ଦ୍ରବର୍ମାଙ୍କୁ ଗୋଟିଏ ବୁଦା ଆଡେ ଟଣାଟଣି କଲା । ଏଥିରୁ ଚନ୍ଦ୍ରବର୍ମା ବୁଝି ପାରିଲେ କୁକୁର କୌଣସି ନିର୍ଦ୍ଦିଷ୍ଟ ବସ୍ତୁ ଆଡେ ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛି । ପ୍ରଥମେ ତାଙ୍କର ସନ୍ଦେହ ହୋଇଥିଲା, ସେ କୁକୁର ହୁଏତ ପ୍ରକୃତରେ କୁକୁର ନୁହେଁ, ଅନ୍ୟ କୌଣସି ରାକ୍ଷସୀ ଜୀବ । କୁକୁର ରୂପରେ ବୁଲୁଛି । ବର୍ତ୍ତମାନ ସେ ବୁଝିଲେ ଯେ ତାହା ବାସ୍ତବିକ କୁକୁର ।

                କୁକୁର ଚନ୍ଦ୍ରବର୍ମାଙ୍କୁ ବଣ ବୁଦା କଡେ କଡେ ଗୋଟିଏ ସରୁ ରାସ୍ତାରେ ତଳକୁ ନେଇଗଲା । ସେଠାରେ ଗୋଟିଏ ଝରଣା କୂଳରେ ଗୋଟିଏ କୁଡିଆ ତାଙ୍କର ଦୃଷ୍ଟି ଗୋଚର ହେଲା ।

                ଚନ୍ଦ୍ରବର୍ମା ଭାବିଲେ ବୋଧହୁଏ କୁକୁରର ଖାଉନ୍ଦ ସେ କୁଡିଆରେ ରହିଛି । ତେଣୁ କୁକୁର ସେ ଆଡେ ଅଗ୍ରସର ହେଉଛି । ସେ ନିଜ ହାତରେ ଥିବା ଜଂଜିର ପୁରାପୁରି କୁକୁର ଗଳାରେ ଛନ୍ଦି ଦେଇ ତାକୁ ଛାଡି ଦେଲେ । ସେ ନିଜେ ବହୁତ ହାଲିଆ ହୋଇ ଯାଇଥିଲେ । ପ୍ରଥମେ ଝରଣା କୂଳକୁ ଯାଇ ନିଜ ତୃଷା ମେଂଟାଇଲେ ଓ ଟିକିଏ ବିଶ୍ରାମ କଲେ ।

କୁକୁର ଯାଇ କୁଡିଆ ଭିତରେ ପଶିଲା । ଚନ୍ଦ୍ରବର୍ମା ଭାବୁଥିଲେ ତହିଁ ଭିତରୁ କେହି ବାହାରି ଆସିବ । କିନ୍ତୁ କେହି ବାହାରିବାର ସେ ଦେଖିଲେ ନାହିଁ । କୁକୁର ଏକୁଟିଆ ବାହାରି ଆସି ଏଣେତେଣେ ଅନାଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ