କରୁଣାବତୀ କଥା

ପରଦିନ ମଧ୍ୟ ସେଇ ଏକା ଅବସ୍ଥା । ଭୋଜରାଜ ଯେମିତି ସିଂହାସନ ନିକଟରେ ପହଁଚିଛନ୍ତି, ଚତୁର୍ବିଂଶ ପୁତ୍ତଳିକା ଆଗେଇ ଆସି କହିଲା, “ମଣିମା! ପ୍ରଥମେ ମୋଠାରୁ ଏ କାହାଣୀ ଶୁଣନ୍ତୁ । ତା’ପରେ ନିଜ ବିଚାର ଅନୁସାରେ ଯଦି ଯୋଗ୍ୟ ବିବେଚିତ ମନେ କରନ୍ତି ତେବେ ସିଂହାସନରେ ବସନ୍ତୁ । ମୋର କିଛି କରିବାର ନାହିଁ ।

       ମହାରାଜ ବିକ୍ରମାଦିତ୍ୟ ଥିଲେ ପ୍ରଜାନୁରଞ୍ଜକ, ନ୍ୟାୟବାଦୀ, ଦାନୀ, ସହାନୁଭୂତି ସଂପନ୍ନ ଜଣେ ବିରଳ ଦୃଷ୍ଟାନ୍ତର ପ୍ରତୀକ । ପ୍ରଜାଙ୍କର ପ୍ରକୃତ ସୁଖ-ଦୁଃଖ, ଅଭାବ ଅସୁବିଧା ଜାଣିବା ପାଇଁ ସେ ବିଭିନ୍ନ ପ୍ରକାରେ ବେଶ ବଦଳକରି ରାଜ୍ୟଯାକ ବୁଲୁଥିଲେ । ଆବଶ୍ୟକତା ଅନୁସାରେ ଲୋକଙ୍କୁ ଦାନ ଦେଇ, ସହଯୋଗ କରି ବିଭିନ୍ନ ସମସ୍ୟାର ସମାଧାନ କରୁଥିଲେ ।

       ଦିନେ ରାତିରେ ବୁଲୁ ବୁଲୁ ସେ ଦେଖିଲେ ଯେ ରାଜ୍ୟର ଅନ୍ୟତମ ଶେଠ୍ ଛାତଦେଇ କେହିଜଣେ ପୁର ମଧ୍ୟକୁ ପ୍ରବେଶ କରୁଛି । ବୋଧହୁଏ ଚୋର ହୋଇଥିବ । ସେ ଏକ ଦଉଡି ସାହାଯ୍ୟରେ ଉପରକୁ ଉଠିଥିଲା । ମହାରାଜ ମଧ୍ୟ ସେଇ ଦଉଡି ମାଧ୍ୟମରେ କେହି କଥାବାର୍ତା ହେଉଥିବା ଶୁଣି ଧିର ପାଦରେ ଯାଇ କାନପାରିଲେ । ଜଣେ ସ୍ତ୍ରୀ କହୁଥାଏ, “ଲୁଚାଛପା ପ୍ରେମ ବହୁତ ହୋଇଗଲା । ମୁଁ ଆଉ ଅପେକ୍ଷା କରି ପାରିବି ନାହିଁ । ଆମ ସେପଟ କୋଠରୀରେ ମୋ ସ୍ୱାମୀ ଶେଠ୍ ଶୋଇଛି । ମୁଁ ତାକୁ ରୀତିମତ ମଦ ପିଆଇ ଦେଇଛି । ତୁମେ ଯାଅ ତାକୁ ଛୁରୀଭୂଷି ମାରି ଦେଇ ଆସ । ତା’ପରେ ଆମେ ଏଠାରୁ ପଳାଇ ଯାଇ ଆରାମରେ ଚଳିବା ।”

       ପୁରୁଷ ଜଣକ କହିଲା, “ନା! ମୁଁ କାହାକୁ ମାରି ମହାପାପ କରି ପାରିବି ନାହିଁ । ତମେ ଯଦି ପ୍ରକୃତରେ ମୋତେ ଭଲପାଇଥାଅ, ମୋ ଉପରେ ତୁମର ବିଶ୍ୱାସ ଥାଏ ତେବେ ତମେ ସ୍ୱାମୀକୁ ଛାଡି ମୋ ସହିତ ଆଗେଇ ଆସ । ମୁଁ ତମକୁ ନେଇ ସୁଖରେ ରଖି ପାରିବି ।”

       ସ୍ତ୍ରୀ ଜଣକ କହିଲା, “ବେଶ୍! ଠିକ୍ ଅଛି ତମେ ଆସନ୍ତା କାଲି ଏତିକିବେଳେ ଆସ । ମୁଁ ସବୁ ଗହଣା, ସୁନାମୁଦି, ସଂଗ୍ରହକରି ରଖିଥିବି । ଆମେ ଦୁହେଁ ମନ ଇଚ୍ଛା ଯୁଆଡେ ହେଲେ ପଳାଇବା ।”

       ମହାରାଜ ତୁରନ୍ତ ବାହାରକୁ ଆସି ଆଗନ୍ତୁକର ଅପେକ୍ଷା କଲେ । କିଛି ସମୟପରେ ଲୋକଟି ଛାତ ଉପରୁ ତଳକୁ ଓହ୍ଲାଇବା ମାତ୍ରେ ମହାରାଜ ତା’ ବେକରେ ତରବାରୀ ଲଗାଇ ଗର୍ଜି ଉଠିଲେ, “ଖବରଦାର! ପଳାଇବାକୁ ଚେଷ୍ଟା କରନା । ତୁମେ ମହାରାଜ ବିକ୍ରମାଦିତ୍ୟଙ୍କ ସାମ୍ନାରେ । କୌଣସି ଚାଲାକିକଲେ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇ ଯାଇଥିବ ।”

       ଲୋକଟି ଡରିଯାଇ ନୀରବରେ ମହାରାଜାଙ୍କ ପାଦତଳେ ପଡିଗଲା । ମହାରାଜ ତା’ଠୁ ସବିଶେଷ ଜାଣିବାକୁ ଚାହିଁଲେ । ତାହାପରେ ସେ କହିବାକୁ ଆରମ୍ଭ କଲା:

       “ମଣିମା! ମୁଁ ଆପଣଙ୍କ ରାଜ୍ୟର ଜଣେ ନାଗରୀକ । ମୋ ନାମ ଶୀଳ ଦାସ । ଶେଠ୍ ପତ୍ନୀ ଭାନୁପ୍ରିୟା ଏବଂ ମୁଁ ବାଲ୍ୟ ସାଥୀ । ଆମେ ଦୁହେଁ ପରସ୍ପରକୁ ଭଲ ପାଉଥିଲୁ । ପ୍ରେମ କରୁଥିଲୁ ଦୁହେଁ ବିବାହ କରିବା ପାଇଁ ଶପଥ ମଧ୍ୟ ନେଇଥିଲୁ । ମାତ୍ର ପରିସ୍ଥିତିର ତାଡନାରେ ପଡି ତା’ର ବିବାହ ଶେଠ୍ ସହିତ ହୋଇଗଲା । ତଥାପି ଆମେ ପରସ୍ପରକୁ ଭଲ ପାଉଛୁ । ତା’ବିନା ମୁଁ ଏବଂ ମୋ ବିନା ସେ ବଂଚିପାରିବୁ ନାହିଁ ।”

       ମହାରାଜ ଶୀଳ ଦାସଠାରୁ ସବୁକଥା ଶୁଣିବା ପରେ କହିଲେ, “ତୁମେ ଜଣେ ବିବାହିତା ନାରୀ ପାଇଁ ପାଗଳ ହେଉଛ? ଚୋରଙ୍କ ପରି ରାତ୍ରିର ଅନ୍ଧକାରରେ ଲୁଚି ଛପି ତା’ ସହିତ ମିଶୁଛ? ଜାଣିଛ ନାରୀ ଚରିତ୍ର ସ୍ୱୟଂ ଭଗବାନଙ୍କୁ ଅଗୋଚର । ସେ ତୁମକୁ ପ୍ରେମ କରୁଥିଲେ ମଧ୍ୟ ଶେଠ୍ କାହିଁକି ବିବାହ କଲା ଜାଣି ପାରିଲ ନାହିଁ? ସେ ତମ ସହିତ ଛଳନା କରୁଛି । ମିଛ ଅଭିନୟ କରୁଛି । ଧନ, ସଂପତି, ମୂଲ୍ୟବାନ୍ ଆଭୂଷଣ ପାଇ ମଧ୍ୟ ତୁମ ସହିତ ପଳାୟନ ପାଇଁ ରାଜି ନ ହୋଇ ସ୍ୱାମୀଙ୍କୁ ତୁମ ଦ୍ୱାରା ହତ୍ୟା କରାଇବାକୁ ଚାହୁଁଛି କାହିଁକି ବୁଝି ପାରୁନ? ସେ ତୁମକୁ ଫସେଇବା ପାଇଁ ଚାହୁଁଛି ।”

      ଶୀଳ ଦାସ ମହାରାଜାଙ୍କ ପାଦତଳେ ପଡି କହିଲା, “ମୋତେ କ୍ଷମା କରନ୍ତୁ ମହାରାଜ! ମୁଁ ମୋର ଭୁଲ୍ ବୁଝି ପାରିଛି । ମୋତେ ଯେଉଁ ଦଣ୍ଡ ଦେବେ ମୁଁ ଗ୍ରହଣ କରିବାକୁ ରାଜି ଅଛି ।

       “ମୁଁ ତୁମକୁ ଦଣ୍ଡ ଦେବିନାହିଁ । ତୁମେ ସାହସୀ ଏବଂ ନିର୍ଭୀକ । ମୁଁ ତମକୁ ମୋ ସୈନ୍ୟ ବାହିନୀରେ ସ୍ଥାନ ଦେବି । ତମେ ମୋ ସହିତ ଉଆସକୁ ଆସ । ଆସନ୍ତା କାଲି ମୁଁ ତମ ରୂପରେ ଭାନୁପ୍ରିୟା ପାଖକୁ ଯିବି ।”

         ପରଦିନ ମହାରାଜ ଶୀଳ ଦାସ ବେଶରେ ଶେଠ୍ ଘର ପାଖରେ ପହଁଚି ଈଶାରା ଦେବା ମାତ୍ରେ ଭାନୁପ୍ରିୟା ଏକ ଗଣ୍ଠିଲି ଧରି ବାହାରି ଆସି କହିଲା, “ସବୁ ଗହଣା, ଟଙ୍କା ନେଇ ଆସିଛି । ତମେତ ଡରିଲ । ଏଣୁ ମୁଁ ଶେଠ୍ କୁ ବିଷଦେଇ ଚିରଦିନ ପାଇଁ ଶୁଆଇ ଦେଇ ଆସିଛି ।”

       ମହାରାଜ କିଛି ନ କହି ନୀରବ ରହିବାରୁ ଭାନୁପ୍ରିୟାର ସନ୍ଦେହ ହେଲା । ସେ ଭଲଭାବରେ ନୀରିକ୍ଷଣ କରି ଜାଣି ପାରିଲା ଯେ, ତା’ ସାମ୍ନାରେ ଶୀଳ ଦାସ ନୁହେଁ ବରଂ ଜଣେ ପୁରୁଷ । ଏଣୁ ସେ ଜୋର୍ରେ ଚିତ୍କାର କଲା । ଚୋର ଚୋର ଧାଇଁ ଆସ କିଏ କୋଉଠି ଅଛ । ସେ ମୋ ସ୍ୱାମୀଙ୍କୁ ହତ୍ୟାକରି ସବୁକିଛି ନେଇ ଯାଉଛି । ଧର ଧର ।”

       ମହାରାଜ ଈଶାରା ଦେବାମାତ୍ରେ ଲୁଚି ରହିଥିବା ସୈନ୍ୟମାନେ ଆସି ଭାନୁପ୍ରିୟାକୁ ବନ୍ଦୀ କଲେ । ସବୁକଥା ଜଣାପଡି ଯିବା ଭୟରେ ଭାନୁପ୍ରିୟା ରାସ୍ତାରେ ନିଜ ପାଖରେ ରଖିଥିବା ବିଷ ଖାଇ ଆତ୍ମହତ୍ୟା କଲା ।

       ଏତକ ଶୁଣାଇ ସାରି ପୁତ୍ତଳିକା କହିଲା, “କୁହନ୍ତୁ ଭୋଜରାଜ! ଆପଣ କ’ଣ ମହାରାଜ ବିକ୍ରମାଦିତ୍ୟଙ୍କ ସମକକ୍ଷ ହୋଇ ପାରିବେ?”

       ଭୋଜରାଜ ଉଦାସ ମନରେ ନିଜ ଉଦ୍ୟାନକୁ ଫେରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ