କହିବା, କରିବା

ଗଙ୍ଗାରାମ ନାମକ ବ୍ୟବସାୟୀ ଚାଷୀମାନଙ୍କ ଠାରୁ ଶସ୍ୟ କିଣି ସହରରେ ଅଧିକା ଦରରେ ସେସବୁ ବିକେ । ତା’ର ଏକମାତ୍ର ପୁତ୍ର ସୁନ୍ଦରକୁ ସେ ପଢାଇବାକୁ ଚେଷ୍ଟା କରି ବ୍ୟର୍ଥ ହେବାରୁ, ଭାବିଲା ସହରକୁ ସାଙ୍ଗରେ ନେଇ ତାକୁବି ସେ ତା’ ବ୍ୟବସାୟରେ ଲଗାଇ ଦେବ ।

                ଦିନେ ସକାଳେ ସେ ତା’ ପୁଅକୁ ଡାକି କହିଲା, “ସୁନ୍ଦର, ମୁଁ ଶୁଣିଲି ପାଖ ଗ୍ରାମରେ ଗୋବିନ୍ଦ ଚାଷୀ ଶସ୍ୟ ବିକୁଛି । ତୁ ପ୍ରଥମେ ଯାଇ ଦେଖି ଆସ ତାହା ଭଲ ନା ମନ୍ଦ । ତା’ପରେ ଯାଇ ଆମେ ଦରଦାମ ଛିଡାଇବା ।”

                ପରଦିନ ସୁନ୍ଦର ପାଖ ଗ୍ରାମକୁ ଯାଇ ସଂଧ୍ୟାକୁ ଫେରିଲା; ଗଙ୍ଗାରାମ ପଚାରିଲା “କାହିଁକି ଏତେ ଡେରି ହେଲା?” ତହୁଁ ପୁଅ କହିଲା, “ତମେ ପରା ଭଲ କରି ପରଖି ଦେଖିବାକୁ କହିଥିଲ, ତେଣୁ ଡେରି ହେଲା । ସେ ଶହେ ବସ୍ତା ଶସ୍ୟ ବିକୁଛି । ମନେହେଲା ସବୁ ଗୁଡିକ ଭଲ ।”

                ପୁଅର କଥା ଶୁଣି ବାପ ହସି ପକାଇ କହିଲା, “ଭାତ ହାଣ୍ଡିରୁ ଗୋଟିଏ ଭାତ ଦେଖିଲେ ଜାଣି ହେବ ଭାତ ହେଲାଣି କି ନାହିଁ । ଆଉ ତୁ ଶହେ ବସ୍ତା କାହିଁକି ଦେଖୁଥିଲୁ? ଏଥିରୁ ଟିକିଏ ସେଥିରୁ ଟିକିଏ ନମୁନା ଦେଖିନେଲେ ଜଣାପଡିଯିବ; ବ୍ୟବସାୟରେ ବୁଦ୍ଧି ଖର୍ଚ୍ଚ କରିବାକୁ ହେବ । ଧାନ ଦେଖିବାରେ ଯଦି ଦିନଟିଏ ସମୟ ଦେବୁ, ତେବେ ଆଉସବୁ କାମ କେତେବେଳେ କରିବୁ?”

                ସୁନ୍ଦର କହିଲା “ବୁଝିଲି ।”

                ପରଦିନ ଗଙ୍ଗାରାମ କୌଣସି ଜରୁରୀ କାମରେ ପଡୋଶୀ ଗ୍ରାମକୁ ଯାଇ ସଂଧ୍ୟାକୁ ଫେରିଲା ।

                ପୁଅ କହିଲା, “ସହରରୁ ଲୋକନାଥ ଆସିଥିଲା । ଯେଉଁ କୋଡିଏ ହଜାର ଟଙ୍କା ତା’ର ଆମକୁ ଦେବାର ଥିଲା, ତାହା ଦେଇ ରସିଦ୍ ଲେଖେଇ ସେ ଚାଲିଗଲା ।”

                ଗଙ୍ଗାରାମ କହିଲା “ଠିକ୍ ଅଛି । ଡେରିରେ ହେଉ ପଛେ ଟଙ୍କାଟା ମିଳିଗଲା ତ? ଏହି ଟଙ୍କା ଆଦାୟ କରିବାକୁ କାଲି ସହର ଯିବାକୁ ମୁଁ ଭାବିଥିଲି । ଯାହାହେଉ ସେ ଦେଇଥିବା ଟଙ୍କା ଠିକ୍ ଭାବରେ ଗଣି ରଖିଛୁ ତ? ସେ ଲୋକଟା ଟିକିଏ ଠକ ସ୍ୱଭାବର ।”

                ସୁନ୍ଦର ଚଟାପଟ ଉତ୍ତର ଦେଲା, “ଭୂଲ୍ ତ ହୋଇ ନପାରେ । ଲୋକନାଥ ହଜାରେ ଟଙ୍କା ଗୋଟିଏ ଲେଖା ଥଳୀରେ ପୁରେଇ କୋଡିଏ ଥଳୀ ଦେଇଗଲା ତ । ସବୁ ଥଳୀ ମୁଁ ଦେଖି ନାହିଁ । ନମୁନା ମାତ୍ର ଦେଖିଛି । ଦୁଇ ତିନିଟି ଥଳୀ ଦେଖିଲି ଠିକ୍ ଅଛି । ତୁମେ କାଲି ଯେପରି କହିଥିଲ ଠିକ୍ ସେହିପରି ଆଜି ଦେଖିଲି ।”

                ପୁଅ କଥା ଶୁଣି ସେ ଖୁବ୍ ବ୍ୟସ୍ତ ହୋଇ କହିଲା, “ଆରେ ସୁନ୍ଦର ଧାନବସ୍ତା ପରଖିବୁ ଯେମିତି, ଟଙ୍କା ଗଣିବୁ ମଧ୍ୟ ସେଇମିତି । ମୋ କଥାରୁ ଏଇଆ ବୁଝିଲୁ? ବୁଦ୍ଧି ଯଦି ଟିକିଏ ଖର୍ଚ୍ଚ କରିଥା’ନ୍ତୁ ମୋତେ ତୋ ପାଇଁ ଏତେ ଚିନ୍ତା କରିବାକୁ ଆଉ ପଡନ୍ତା ନାହିଁ । ଯାଇ ଦେଖେ ଲୋକନାଥ ଟଙ୍କା ଠିକ୍ ଦେଇଛି ନା ଠକିଛି । ଏତେ ଶୀଘ୍ର ଟଙ୍କା ଦେବାରୁ ମୋର କାହିଁ ଟିକେ ସନ୍ଦେହ ହେଉଛି ।” ତା’ପରେ ବାକ୍ସରୁ ଟଙ୍କାସବୁ ବାହାର କରି ସେ ଗଣି ଦେଖିଲା ତହିଁରୁ ଦୁଇହଜାର ଟଙ୍କା କମ୍ ଅଛି । ସେ ରାଗରେ ପୁଅକୁ ଚାହିଁଲା ।

                ସୁନ୍ଦର ବୁଝିଗଲା ଯେ ବାପା ରାଗିଗଲାଣି । ସେ ଏବେ ଆଉ କ’ଣ କରିବ? ନିଜେ ନିଜେ ଗୁଣୁଗୁଣୁ କରି କହିଲା, “ବଡମାନଙ୍କ କଥା ଅଦ୍ଭୁତ । କୁହନ୍ତି, ଗୋଟାଏ କରନ୍ତି ଆଉ ଗୋଟାଏ । କାଲି ଯାହା କହିଲେ, ମୁଁ ଆଜି ଠିକ୍ ସେପରି କଲି । ପୁଣି ମୋତେ ଦୋଷୀ ସାବ୍ୟସ୍ତ କରୁଛନ୍ତି । ଛି, ଏମାନଙ୍କ ବୁଦ୍ଧି ସେମିତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ