ବିଷ୍ଣୁଙ୍କ ମାୟା

ବାଳକ ଧ୍ରୁବ କଠୋର ତପସ୍ୟାରେ ମଗ୍ନଥିଲେ । ଇନ୍ଦ୍ର ତାଙ୍କର ତପସ୍ୟା ଭଗ୍ନ କରିବାକୁ ମନସ୍ଥ କରି, ବିରୂଥ ନାମକ ଏକ ଗନ୍ଧର୍ବକୁ ରାକ୍ଷସ ରୂପରେ ସେଠାକୁ ପଠେଇଲେ । କିନ୍ତୁ ଅରଣ୍ୟରେ ଅନ୍ୟ ଜଣେ ମୁନି ଏହି ଛଦ୍ମବେଶ ଧାରଣ କଥା ଜାଣିପାରି ବିରୂଥଙ୍କୁ, ପ୍ରକୃତ ରାକ୍ଷସ ହୋଇଯିବା ପାଇଁ ଅଭିଶାପ ଦେଲେ ।

ଏହି ଅଭିଶାପର ପ୍ରଭାବରେ ବିରୂଥ ନିଜର ଦେବତ୍ୱ ହରେଇଲା । ରାକ୍ଷସ ଭାବେ ତା’ର ସବୁପ୍ରକାରର ପରିବର୍ତ୍ତନ ଘଟିଥିଲେ ମଧ୍ୟ, ଦେବସୁଲଭ ଦିବ୍ୟଦୃଷ୍ଟିର ବିଲୋପ ଘଟି ନ ଥିଲା । ତେଣୁ ତିନିଲୋକରେ କେଉଁଠାରେ କ’ଣ ଅଛି, କ’ଣ ହେଉଛି, ସେ ଜାଣିପାରୁଥିଲା ।

ଶବରୀ ଓ ଗୋଦାବରୀ ନଦୀର ସଂଗମ ସ୍ଥଳୀରେ; ଅନେକ ମୁନି ଋଷି ଆଶ୍ରମ ସ୍ଥାପନ କରି ବସବାସ କରୁଥିଲେ । ଦିନେ, ମୁନି ପୁତ୍ର ଗଣ ଜଙ୍ଗଲକୁ ଯଜ୍ଞ ଉପକରଣ ସଂଗ୍ରହ ପାଇଁ ଯାଇଛନ୍ତି, ବିରୂଥ ସେମାନଙ୍କ ସମ୍ମୁଖରେ ଠିଆ ହୋଇ ପଡିଲା । ତା’କୁ ଦେଖି ସବୁ ମୁନିବାଳକ କିଏ କୁଆଡେ ଧାଇଁ ପଳେଇଲେ । ମାତ୍ର ଭରତ ନାମକ ଏକ ବାଳକ ସେମିତି ନିର୍ଭୟରେ ଠିଆ ହୋଇଥାଏ ।

ଧାଇଁ ପଳାଇଥିବା ବାଳକମାନେ ଭରତର ପିତାଙ୍କୁ କହିଲେ, “ଆପଣଙ୍କ ପୁତ୍ର ରାକ୍ଷସ କବଳରେ ପଡିଯାଇଛି ।” ଏକଥା ଶୁଣି ଭରତର ପିତା ବିକଳରେ ଦୌଡି ଦୌଡି ସେଠାରେ ପହଁଚି ନିଜ ପୁତ୍ରକୁ ବକ୍ଷରେ ଲଗାଇ ରାକ୍ଷସକୁ ବିନତି କଲେ, “ୟେ ମୋର ଏକମାତ୍ର ସନ୍ତାନ, ମାରିବାକୁ ଚାହୁଁଥିଲେ, ମତେ ପଛକେ ମାରି ଖାଇଦେ, ଏହାକୁ ଦୟାକରି ଛାଡିଦେ ।” ସେ ଆତୁରରେ ହାତଯୋଡି ଏସବୁ କଥା କହୁଥାନ୍ତି ।

“ଠିକ୍ ଅଛି । ମୁଁ ତୁମକୁ ଏକ ସୁଯୋଗ ଦେଉଛି । ମୁଁ ପୁଣି କାଲି ସକାଳେ ଆସିବି । ଏହି ସମୟ ମଧ୍ୟରେ ତୁମ ପୁତ୍ରକୁ ଏପରି କୌଣସି ସ୍ଥାନରେ ଲୁଚାଇ ଦିଅ, ଯାହା ମୁଁ ଜାଣିପାରିବି ନାହିଁ । ଏପରି ତୁମେ କରିବା ପାଇଁ ସକ୍ଷମ ହେଲେ, ଆଜି କାହିଁକି, ଭବିଷ୍ୟତରେ କେବେ ବି ତୁମ ପୁତ୍ରକୁ ମୁଁ ଭକ୍ଷଣ କରିବି ନାହିଁ ।” ବିରୂଥ ଏପରି ବାଜି ରଖିଲା ।

ଭରତର ପିତା ପୁତ୍ରକୁ ସଙ୍ଗରେ ଧରି ଆଶ୍ରମକୁ ଫେରିଆସିଲେ । ସେ ନିଜର ସମଗ୍ର ତପୋବଳ ପୁତ୍ରକୁ ରକ୍ଷା କରିବା ଉଦ୍ଧେଶ୍ୟରେ ସମର୍ପଣ କରିବେ ବୋଲି ସଙ୍କଳ୍ପ କଲେ । ଯଜ୍ଞ କରି ଭଗବାନ୍ ବ୍ରହ୍ମାଙ୍କର ଉପାସନା କଲେ । ବ୍ରହ୍ମା ଆବିର୍ଭୁତ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ