କଚ

ଯେତେବେଳେ ବାରମ୍ବାର ଦେବତା ଓ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ ହେଉଥାଏ, ସେତେବେଳେ ଯୁଦ୍ଧରେ ନିହତ ଅସୁରମାନଙ୍କୁ ସେମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ମୃତସଞ୍ଜିବନୀ ମନ୍ତ୍ର ପଢି ସେମାନଙ୍କୁ ପୁନର୍ଜୀବନ ଦେଉଥାନ୍ତି । ଏଣୁ ଦେବତାମାନେ ମଧ୍ୟ ସ୍ଥିର କଲେ, ଯେ କୌଣସି ପ୍ରକାରେ ହେଉ ପଛେ ସେମାନଙ୍କୁ ବି ମୃତସଞ୍ଜିବନୀ ଶିଖିନେବାକୁ ହେବ । ଏପରି ଭାବି ସେମାନେ ଦେବଗୁରୁ ବୃହସ୍ପତିଙ୍କ ପୁତ୍ର କଚକୁ ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ ପଠାଇଲେ ।

                କଚ ଯାଇ ଶୁକ୍ରାଚାର୍ଯ୍ୟଙ୍କ ଶିଷ୍ୟତ୍ୱ ଗ୍ରହଣ କଲେ ଓ ନିଜ ବ୍ୟବହାର ଦ୍ୱାରା ସେ ତାଙ୍କ ପ୍ରିୟପାତ୍ର ହେଲେ । ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଦେବଯାନୀ କଚଙ୍କୁ ବହୁତ ଭଲ ପାଇଲେ । କିନ୍ତୁ ଅସୁରମାନେ କଚଙ୍କ ଉଦ୍ଧେଶ୍ୟ ଅନୁମାନ କରି ତାଙ୍କୁ ହତ୍ୟା କଲେ । ଶୁକ୍ରାଚାର୍ଯ୍ୟ ଏହା ଜାଣି ମନ୍ତ୍ର ସାହାଯ୍ୟରେ ତାଙ୍କୁ ପୁନଃ ବଂଚାଇ ଦେଲେ ।

                ଅସୁରମାନେ ପୁଣି ଥରେ ତାଙ୍କୁ ହତ୍ୟା କରି, ଜଳାଇ, ତାଙ୍କ ପାଉଁଶ ଶୁକ୍ରାଚାର୍ଯ୍ୟଙ୍କ ପାନୀୟ ସହ ମିଶାଇ ଦେଲେ । ଶୁକ୍ରାଚାର୍ଯ୍ୟ ତାହା ପାନ କରି ଯେତେବେଳେ ସବୁ ଘଟଣା ବୁଝିଲେ, ସେତେବେଳେ ନିଜ ପେଟ ଭିତରେ ଥିବା କଚଙ୍କୁ ପ୍ରଥମେ ସେ ସଞ୍ଜିବନୀ ମନ୍ତ୍ର ଶିଖାଇ ତା’ପରେ ତାଙ୍କୁ ସେଠାରୁ ବାହାରି ଆସିବାକୁ କହିଲେ । ଏହାପରେ କଚ ତାଙ୍କ ଗୁରୁଙ୍କ ପେଟ ଚିରି ବାହାରି ଆସି ନିଜେ ମନ୍ତ୍ର ପଢି ଗୁରୁଙ୍କୁ ମଧ୍ୟ ବଂଚାଇ ଦେଲେ ।

                ବର୍ତ୍ତମାନ ସେ ବିଦାୟ ନେବାକୁ ବାହାରନ୍ତେ ଦେବଯାନୀ ତାଙ୍କୁ ବିଭା ହେବାକୁ ପ୍ରସ୍ତାବ କଲେ । କିନ୍ତୁ ଏକେ ଗୁରୁ-କନ୍ୟା ଭଗ୍ନୀ ସଦୃଶ, ତା’ଉପରେ ପୁଣି କଚ ଶୁକ୍ରାଚାର୍ଯ୍ୟଙ୍କ ପେଟରୁ ବାହାରିଥିବାରୁ ଦେବଯାନୀଙ୍କର ସେ ସହୋଦର – ଏଇ ଯୁକ୍ତିରେ କଚ ଦେବଯାନୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ।

                ପରିଶେଷରେ କୃଦ୍ଧା ଦେବଯାନୀ କଚଙ୍କୁ ଅଭିଶାପ ଦେଲେ, “ମୃତସଞ୍ଜିବନୀ ତମ ନିଜ ପାଇଁ କିଛି ବି କାମ ଦେବ ନାହିଁ!” ତଥାପି ବି ସେଥିରେ ସେ କଚଙ୍କର ଆଦୌ ଦୁଃଖ ନଥିଲା । କାହିଁକିନା ସେ ତ ଅନ୍ୟମାନଙ୍କ ନିମନ୍ତେ ହିଁ ମନ୍ତ୍ର ଶିଖିଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ