ଆମ ଦେଶର ଉତ୍ତର ପୂର୍ବ ଦିଗରେ ମାଣିକ୍ୟପୁରୀ ବୋଲି ଗୋଟିଏ ରାଜ୍ୟ ଥାଏ । ସେଠାରେ ପ୍ରତିବର୍ଷ ବସନ୍ତୋତ୍ସବ ବଡ ଆଡମ୍ବର ସହକାରେ ପାଳନ କରାଯାଏ । ବସନ୍ତଋତୁର ଆଗମନରେ କେଉଁଠି ସୁନ୍ଦର ଫୁଲ ଫୁଟେ, କେଉଁଠି ବା ମଧୁର ସ୍ୱରରେ ପକ୍ଷୀମାନେ ଗୀତ ଗା’ନ୍ତି । ସାରା ରାଜ୍ୟଟି ବସନ୍ତର ସ୍ପର୍ଶରେ ସୁନ୍ଦର ହୋଇଉଠେ । ପ୍ରଜାମାନେ ଦୀର୍ଘ ସମୟ ଧରି ସେ ଉତ୍ସବ ପାଳନ କରନ୍ତି ।
ମାଣିକ୍ୟପୁରୀର ରାଜା ପ୍ରତାପ ବର୍ମା ଏକ ଆଦର୍ଶ ଶାସକ ଥିଲେ । ତାଙ୍କ ପିତା ପୁଷ୍ପବର୍ମା, ପ୍ରତାପବର୍ମାକୁ ଅଳ୍ପ ବୟସରୁ ସିଂହାସନରେ ବସାଇଥିଲେ ଖୁବ୍ ଖୁସି ହୋଇଥିଲେ । ପ୍ରଜାମାନେ ମଧ୍ୟ ଖୁବ୍ ଖୁସି ଥିଲେ । ପଡୋଶୀ ରାଜାମାନେ ତାଙ୍କୁ ବହୁତ ପ୍ରଶଂସା କରୁଥିଲେ । ସେମାନଙ୍କ ସହିତ ପ୍ରତାପବର୍ମା ବହୁତ ଭଲ ସମ୍ପର୍କ ରଖିଥିଲେ ତେଣୁ କୌଣସି ରାଜ୍ୟର ଆକ୍ରମଣ ଭୟ ଆଦୌ ନଥିଲା । ପ୍ରଜାମାନେ ସବୁଦିଗରୁ ଶାନ୍ତିରେ ତଥା ଆନନ୍ଦରେ ରହୁଥିଲେ, ତେଣୁ ବସନ୍ତୋତ୍ସବ ସେମାନେ ବଡ ଆଡମ୍ବର ସହକାରେ ପାଳନ କରୁଥିଲେ ଓ ସେଥିରେ ରାଜ୍ୟରେ ଆବାଳବୃଦ୍ଧବନିତା ଭାଗ ନେଇ ଆନନ୍ଦ ଉପଭୋଗ କରୁଥିଲେ ।
ବସନ୍ତୋତ୍ସବ ପାଇଁ ସମୟ ମଧ୍ୟ ଅନୁକୁଳ ଥାଏ । ଫସଲ କଟା ହୋଇ ଘରକୁ ଆସି ସାରି ଥାଏ । ମନରେ କୌଣସି କାମର ଚାପ ନଥାଏ । ତେଣୁ ପ୍ରଜାମାନେ ଉତ୍ସବଟିକୁ ଖୁସି ଆନନ୍ଦରେ ପାଳନ କରନ୍ତି । ପୁଣି ଏ ବର୍ଷ ରାଜା ପ୍ରତାପବର୍ମାଙ୍କର ସିଂହାସନ ଆରୋହଣ କରିବାର ପଚିଶବର୍ଷ ହେବାରୁ ରଜତ ଜୟନ୍ତୀ, ମଧ୍ୟ ପାଳନ କରାଯାଉଥାଏ ।
ସେଥିପାଇଁ ସେ ବର୍ଷ ପ୍ରତିଯୋଗିତା ସବୁ ହେଉଥାଏ; କେବଳ କ୍ରୀଡା କ୍ଷେତ୍ରରେ ନୁହେଁ, ବରଂ ସଙ୍ଗୀତ, ସାହିତ୍ୟ, ଲଳିତକଳା କ୍ଷେତ୍ରରେ ମଧ୍ୟ ହେଉଥାଏ । ପଣ୍ଡିତସଭା ମଧ୍ୟ ଡକା ହୋଇଥାଏ । ପଡୋଶୀ ରାଜ୍ୟମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ନିମନ୍ତ୍ରଣ କରା ହୋଇଥାଏ । ରାଜା ପ୍ରତାପବର୍ମା ଏ ସବୁ କରିବା ଦ୍ୱାରା ପଡୋଶୀ ରାଜ୍ୟରେ ମଧ୍ୟ ସମସ୍ତିଙ୍କର ସେ ବଡ ପ୍ରିୟ ଥିଲେ । ପଡୋଶୀ ରାଜ୍ୟର ପ୍ରତିଯୋଗୀ ମାନେ ଖୁସି ହୋଇ ସର୍ବଦା ଏହି ଦିନଟିର ଅପେକ୍ଷାରେ ଥା’ନ୍ତି ।
ପ୍ରଥମେ କ୍ରୀଡା ପ୍ରତିଯୋଗିତା ହେଲା । ସମସ୍ତ ପ୍ରକାର ଖେଳରେ ଜଣେ ପାହାଡି ଯୁବକ ଜିତୁଥାଏ । ‘ଲପକ’ ନାମକ ଏକ ପ୍ରକାର ନୂଆ ଖେଳ ମଧ୍ୟ ଖେଳାଗଲା । ଘୋଡା ଉପରେ ବସି ଗୋଟିଏ ଶୁଖିଲା ନଡିଆକୁ ଲମ୍ବା ବାଡି ସାହାଯ୍ୟରେ ଯୁଆଡେ ପାରିବ ନେଇଯିବ । ସେ ଖେଳରେ ପାହାଡି ଯୁବକର ହସ୍ତ କୌଶଳ ଦେଖି ସମସ୍ତେ ତା’ର ବହୁତ ପ୍ରଶଂସା କରୁଥାନ୍ତି ।
ଅବଶେଷରେ ପୁରସ୍କାର ବିତ୍ତରଣ ଉତ୍ସବ । ପାହାଡି ଯୁବକକୁ ପୁରସ୍କାର ଦେବାବେଳେ ରାଜା ପଚାରିଲେ “ବତ୍ସ, ତୁମର ନାମ କ’ଣ?”
ସେ ଅତି ବିନମ୍ର ହୋଇ କହିଲା “ମହାରାଜ, ମୋ ନାମ ଉତୁଙ୍ଗ ।” ତା’ପରେ ସେ ତା’ର ଦଳକୁ ଦେଖାଇ କହିଲା, “ଏମାନେ ସବୁ ମଧ୍ୟ ମୋ ସହିତ ଆସିଥିଲେ । ଆମେମାନେ ଶୃଙ୍ଗମାୟ ପାହାଡରେ ଥିବା ଗ୍ରାମରେ ରହୁ । ଆମର ପଦବୀ ହେଉଛି ଉତୁଙ୍ଗ, ମୁଁ ଏବର୍ଷ ପ୍ରଥମ ଥର ପାଇଁ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଛି ।”
ଉତୁଙ୍ଗକୁ ଦେଖି ରାଜା ବହୁତ ଖୁସି ହେଲେ । ଉତୁଙ୍ଗ ତା’ର ସାଥୀମାନଙ୍କ ଠାରୁ ଏକ ସୁନ୍ଦର ନୂଆ ପ୍ରକାରର ପୁଷ୍ପ ଗୁଚ୍ଛ ଆଣି ରାଜକୁମାରୀଙ୍କ ହାତରେ ତାହା ଦେଇ କହିଲା, “ମୁଁ ଶୁଣିଥିଲି ଆପଣ ଫୁଲକୁ ବହୁତ ଭଲ ପାନ୍ତି । ସେଥିପାଇଁ ଏହାକୁ ଆଣିଥିଲି ।” ଏହା ଏକ ସମ୍ପୂର୍ଣ୍ଣ ନୂତନ ପ୍ରକାରର । ଏହା ପ୍ରାୟ ଦେଖିବାକୁ ମିଳେ ନାହିଁ ।