ଦୁରାଶା

କଶ୍ୟପର ବାପାଙ୍କର ମରିବାର ଏକ ବର୍ଷ ଭିତରେ ତାର ବ୍ୟବସାୟରେ ବହୁତ କ୍ଷତି ହେଲା । ତେଣୁ ସେ ଋଣଗ୍ରସ୍ତ ହୋଇଗଲା । ଏଇ ଋଣରୁ ମୁକ୍ତି ପାଇବା ପାଇଁ ସେ ତା’ ବାପା ଜେଜେବାପାଙ୍କ ଅମଳର ଘର ମଧ୍ୟ ବିକିଦେଲା । ନିଜର ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ସେ ନିଜ ଗାଁ ଧର୍ମପୁରୀରେ ଯାଇ ପହଁଚିଲା । ସେ ଗାଁରେ ତାର ଆଇ ନିଜ ନାତି ପାଇଁ ଟାଇଲ୍ ଛପର ଘରଟିଏ ଛାଡି ଦେଇ ଯାଇଥିଲେ ।

                ଭାଙ୍ଗି ଯାଇଥିବା ଏହି ଘରକୁ ସେ ସ୍ୱାମୀ ସ୍ତ୍ରୀ ଦୁଇଜଣ ବହୁତ କଷ୍ଟ କରି ଚାରି ଦିନରେ ଠିକ୍ କଲେ । ପରିବାର ପୋଷଣର ସମସ୍ୟା ଏବେ ତା ଆଗରେ ଥିଲା । କଶ୍ୟପର ସ୍ତ୍ରୀ କୌଶଲ୍ୟା ବହୁତ ଚତୁରୀ ଥିଲା । ସେ ବହୁତ କଜିଆ ଖୋରଣୀ ଓ ମୁଖରା ବି ଥିଲା । ସ୍ୱାମୀକୁ ଚିନ୍ତିତ ଦେଖି ସେ କହିଲା, “ତମେ କାହିଁକି ଏତେ ଚିନ୍ତା କରୁଛ? ପୂର୍ବ ଘର ଭଲ ଲାଗୁ ନଥିଲା ବୋଲି ତ ଆମେ ଏତେ ଦୂର ଆସିଲେ । ଏବେ ଏଠି ଆମେ କାଠ ବିକିବା । ଘର ଚାରିପଟେ ଘନ ଜଙ୍ଗଲ ଅଛି । ତେଜ୍ ଧାରା ବାଲା କୁରାଢି ମଧ୍ୟ ଅଛି । ଏବେ ଯାଅ ।”

                କଶ୍ୟପ ଚୁପ୍ଚାପ୍ କୁରାଢି କାନ୍ଧରେ ପକାଇ ଜଙ୍ଗଲ ଆଡେ ଚାଲିଲା । ଜଙ୍ଗଲ ସବୁଜିମାରେ ଭରା ଥିଲା । କେଉଁଠି ହେଲେ ତାକୁ ଶୁଖିଲା ଗଛ ମିଳିଲା ନାହିଁ ।

                “ମୋର କି ଦୁର୍ଭାଗ୍ୟ? ଏବେ ମୁଁ କ’ଣ କରିବି? ବରଂ ଗଛଟି କାଟିଲେ ସପ୍ତାହ ମଧ୍ୟରେ ତାହା ଶୁଖିଯିବ ଏବଂ ସେ କାଠ କାଟି ମୁଁ ସହରରେ ବିକ୍ରି କରିବି ।” ଏଇକଥା ଭାବି ସେ ଗୋଟେ ଗଛ କାଟିବାକୁ ଲାଗିଲା । ହଠାତ୍ ସେ ଶୁଣିଲା, “କଶ୍ୟପ ରହିଯାଅ ।” ଏହା ଶୁଣି ସେ ଦେଖିଲା ସବୁଜ ରଙ୍ଗର ଶାଢୀରେ ଉଜ୍ଜଳ ଦିଶୁଥିବା ଜଣେ ସ୍ତ୍ରୀଲୋକ ତା’ ଆଗରେ ଛିଡା ହୋଇଛନ୍ତି ।

କଶ୍ୟପ ଆଗେ କ୍ଷଣକ ପାଇଁ ସ୍ତବ୍ଧ ହୋଇଗଲା । ସେ କହିଲେ, “କଶ୍ୟପ ଏହା କି ପ୍ରକାର ଅତ୍ୟାଚାର? ସବୁଜ ରଙ୍ଗର ଗଛ କାଟିବାକୁ ତମେ କେମିତି ପ୍ରସ୍ତୁତ ହୋଇଗଲ?”

କଶ୍ୟପ କହିଲା “ମା’ ଯଦି ଆପଣ ମୋ ନାଁ ଜାଣିଛନ୍ତି ତାହେଲେ ତ ମୋ ଦାରିଦ୍ର୍ୟବସ୍ଥା ବିଷୟରେ ମଧ୍ୟ ନିଶ୍ଚୟ ଜାଣିଥିବେ । ମୋର ପରିବାର ପାଇଁ କାଠ କାଟି ଜୀବିକା ନିର୍ବାହ କରିବାକୁ ମୁଁ ଭାବିଛି ।”

ତା’ପରେ ସେହି ସ୍ତ୍ରୀଲୋକ ଜଣକ କଶ୍ୟପକୁ ସହାନୂଭୁତି ଆଖିରେ ଅନାଇ କହିଲେ, “ମୁଁ ବନଦେବୀ, ତୁମର ଭଲ ଚାହେଁ ।” ଏହା କହି ସେ ତାଳି ମାରିଲେ ଏବଂ ଗୋଟିଏ ସୁନ୍ଦର ସ୍ୱାସ୍ଥ୍ୟବତୀ ଧଳା ଗାଈ ଆସି ଛିଡା ହେଲା । “ଗାଈଟିକୁ ଘରକୁ ନେଇଯାଅ । ତୁମେ କିମ୍ବା ତୁମର ସ୍ତ୍ରୀ ଏହାକୁ ଯେତେ ପର୍ଯ୍ୟନ୍ତ ଦୁହୁଁଥିବ ସେତେ ପର୍ଯ୍ୟନ୍ତ ସେ ଗାଈ ଦୁଧ ଦେଉଥିବ । ଆଉ କେବେବି କଂଚା ଗଛକୁ କାଟିବ ନାହିଁ ।” ଏହା କହି ବନଦେବୀ ସେଠାରୁ ଅଦୃଶ୍ୟ ହୋଇଗଲେ ।

କଶ୍ୟପ ଖୁସିରେ ଗାଈକୁ ନେଇ ଘରକୁ ଗଲା । କୌଶଲ୍ୟା ସ୍ୱାମୀର ଖାଲି ହାତ ଦେଖି କହିଲା, “ଖାଲିରେ ଖୁସି ହୋଇ ଫେରୁଛ; କାଠ କାହିଁ?”

କଶ୍ୟପ ଯାହା ଯାହା ସବୁ ଜଙ୍ଗଲରେ ତା’ସହିତ ଘଟିଥିଲା ସେସବୁ ଗୋଟିଗୋଟି କରି ତା’ ସ୍ତ୍ରୀକୁ କହିଲା । ହେଲେ କୌଶଲ୍ୟା ନିଜ ସ୍ୱାମୀ କଥା ମୋଟେ ବିଶ୍ୱାସ କଲା ନାହିଁ । ସେ ଦୁଧ ଦୁହିଁ ହାଣ୍ଡିରେ ଭରିବାକୁ ଲାଗିଲା । ହାଣ୍ଡି ଭର୍ତ୍ତି ହୋଇଗଲା । କିନ୍ତୁ ଗାଈର ଦୁଧ ଦେବା ଆଉ ଯମାରୁ ବନ୍ଦ ହେଲାନି । କଶ୍ୟପ ଏହି ଦୁଧ ସହରକୁ ନେଇ ବିକ୍ରି କଲା ।

ଗୋଟିଏ ସପ୍ତାହ ଭିତରେ ଦୁଧ ଦୁହିଁ ଦୁହିଁ କୌଶଲ୍ୟା ଭୀଷଣ ବିରକ୍ତ ହୋଇଗଲା । ଦିନେ ସକାଳୁ ସେ ତା’ ସ୍ୱାମୀକୁ କହିଲା “ଦୁଧ ଦୁହିଁ ଦୁହିଁ ମୋ ହାତରେ ବିଣ୍ଡି ହୋଇଗଲାଣି । ଏହି ଗାଈକୁ ଦେବୀଙ୍କୁ ଫେରାଇ ଦିଅ ଏବଂ ଗଛ କାଟିବାର ଧମକ ଦେଇ ଅନ୍ୟ କିଛି ଗୋଟେ ଭଲ ବର ମାଗ ।”

କଶ୍ୟପ ଗାଈକୁ ନେଇ ଜଙ୍ଗଲରେ ପହଁଚି ଗଛ କାଟିବାକୁ ବାହାରିଛି; ଦେବୀ ଦେଖା ଦେଇ କହିଲେ “କଶ୍ୟପ, ତୁମେ ପୁଣି କାହିଁକି ଏପରି ଅବିବେକି କାମ କରୁଛ?”

କଶ୍ୟପ କହିଲା, “କଣ ଆଉ ମୁଁ କରିବି? ମୋ ସ୍ତ୍ରୀ ଦୁଧ ଦୁହିଁ ଦୁହିଁ ଖୁବ୍ ବିରକ୍ତ ହୋଇଗଲାଣି । ସେ ଆଉ ସେକାମ କରିବାକୁ ମନା କରୁଛି ।”

ବନଦେବୀ କିଛି ସମୟ ଚୁପ୍ ରହିଲେ ଏବଂ ପୁଣି ତାଳି ବଜାଇଲେ । ତତ୍କ୍ଷଣାତ୍ ସେଠାରୁ ଧଳା ଗାଈ ଅଦୃଶ୍ୟ ହୋଇ, ତା ସ୍ଥାନରେ ଗୋଟିଏ କଳା ବତକ ଦେଖାଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ