ଉପଯୁକ୍ତ ବର

ଏହାପରେ ବିକ୍ରମ ପୁଣି ଥରେ ଯାଇ ବେତାଳକୁ ସେହି ଗଛରୁ ଆଣି କାନ୍ଧରେ ପକାଇ ସିଧା ଶ୍ମଶାନ ଅଭିମୁଖେ ଚାଲିଲେ । ବାଟ ଚାଲିବା ସମୟରେ ନୀରବତାକୁ ଦୂର କରିବାପାଇଁ ବେତାଳ ପୁଣି ଏକ କାହାଣୀ କହିବା ଆରମ୍ଭ କଲା । କାହାଣୀଟି ଅବନ୍ତୀ ଦେଶର ରାଜକୁମାରୀଙ୍କ କଥା । ଅବନ୍ତୀ ନରେଶଙ୍କର ଗୋଟିଏ ବୋଲି କନ୍ୟା ଥିଲା । ତାର ନାମ ଶଶିବାଳା ଅଟେ । ନାମ ଯେମିତି ରୂପ ମଧ୍ୟ ସେମିତି । ଶଶିବାଳା ଯୋଗ୍ୟା ହେବାରୁ ବହୁ ଦେଶର ରାଜକୁମାର ତାଙ୍କୁ ବିବାହ କରିବାକୁ ଇଚ୍ଛା କଲେ ।

        ଦିନେ ଚୋଳ ରାଜ୍ୟର ରାଜକୁମାର ସ୍ୱୟଂ ଅବନ୍ତୀ ନରେଶଙ୍କ ନିକଟକୁ ଆସି ରାଜକୁମାରୀଙ୍କୁ ବିବାହ କରିବାର କଥା ପ୍ରକାଶ କଲେ । ଚୋଳ ରାଜକୁମାରଙ୍କ କଥା ଶୁଣିବାପରେ ରାଜା ତାଙ୍କୁ ତାଙ୍କର ଯୋଗ୍ୟତା ସଂପର୍କରେ ପଚାରିଲେ । ଚୋଳ ରାଜକୁମାର କହିଲେ, “ ମହାରାଜ! ମୁଁ ଧର୍ନୁବିଦ୍ୟାରେ ପାରଂଗମ ଅଟେ । ମୁଁ ଶବ୍ଦ ଭେଦୀ ବାଣ ମାରିପାରେ । ଚୋଳ ରାଜକୁମାରଙ୍କ କଥା ଶୁଣିବାପରେ ଅବନ୍ତୀ ରାଜା ତାଙ୍କୁ ଅତିଥି ଗୃହରେ ରହିବାପାଇଁ କହିଲେ । ଏହାପରେ ଦିନେ ବୈଶାଳୀ ରାଜ୍ୟର ରାଜକୁମାର ରାଜ କୁମାରୀଙ୍କୁ ବିବାହ କରିବା ନିମନ୍ତେ ରାଜାଙ୍କ ନିକଟକୁ ଆସିଲା । ରାଜା ତାଙ୍କୁ ମଧ୍ୟ ତାଙ୍କର ଯୋଗ୍ୟତା ସଂପର୍କରେ ପଚାରିଲେ । ରାଜକୁମାର କହିଲେ, “ମହାରାଜ! ମୁଁ ଉନ୍ନତ ମାନର ପୋଷାକ ପ୍ରସ୍ତୁତ କରିପାରେ ।” ରାଜକୁମାର ର କଥା ଶୁଣି ରାଜା ତାଙ୍କୁ ମଧ୍ୟ ଅତିଥିଶାଳାରେ ରହିବାକୁ କହିଲେ । ଏହାପରେ ବଂଗଦେଶର ରାଜକୁମାର ଆସି ପହଁଚିଲେ । ରାଜା ତାଙ୍କୁ ମଧ୍ୟ ଯୋଗ୍ୟତା ସଂପର୍କରେ ପଚାରିଲେ । ବଂଗ ଦେଶର ରାଜକୁମାର ରାଜାଙ୍କୁ କହିଲେ, “ମହାରାଜ! ମୁଁ ବିଦ୍ୟା, ବୁଦ୍ଧିରେ ପ୍ରବୀଣ । ବେଦ, ପୁରାଣ ଏବଂ ଗୀତା ମୋର କଣ୍ଠସ୍ଥ ।” ରାଜା ତାଙ୍କ କଥା ଶୁଣିସାରିବା ପରେ ତାଙ୍କୁ ମଧ୍ୟ ଅତିଥିଶାଳାରେ ରହିବା ପାଇଁ କହିଲେ । ଏହାପରେ ଚେଦୀ ଦେଶର ରାଜକୁମାର ଆସି ପହଁଚିଲେ । ସେ ମଧ୍ୟ ଅନୁରୂପ ଇଚ୍ଛା ପ୍ରକଟ କଲେ । ତାଙ୍କର ଯୋଗ୍ୟତା ସଂପର୍କରେ କହିବାକୁ ଯାଇ ସେ କହିଲେ, “ମହାରାଜ! ମୁଁ ଶରୀର ସମସ୍ତ ଅଂଗରେ ଯେକୌଣସି ରୋଗ ହୋଇଥାଉନା କାହିଁକି ମୁଁ ତାହାର ନିରାକରଣ କରିପାରିବି । ରାଜକୁମାରୀଙ୍କୁ କଦାପି ଶରୀର ଜନିତ କୌଣସି ସମସ୍ୟା ହେବ ନାହିଁ ।” ରାଜା ତାଙ୍କୁ ମଧ୍ୟ ଅତିଥି ଶାଳାରେ ରହିବା ପାଇଁ କହିଲେ ।

        ଏହାପରେ ରାଜକୁମାରୀଙ୍କ ନିକଟକୁ ଯାଇ ସମସ୍ତଙ୍କ କଥା କହିଲେ । ପିତାଙ୍କ କଥା ଶୁଣିବା ପରେ ରାଜକୁମାରୀ ହାତରେ ଏକ ବରଣମାଳାଧରି ଅତିଥି ଗୃହକୁ ଆସିଲେ । କାହାଣୀଟି କହିବା ପରେ ବେତାଳ କହିଲା, “ରାଜା ବିକ୍ରମ! ବର୍ତ୍ତମାନ କୁହ ଚାରିଜଣ ରାଜକୁମାରଙ୍କ ମଧ୍ୟରୁ ରାଜକୁମାରୀ କାହା ବେକରେ ବରଣ ମାଳା ପିନ୍ଧାଇବେ?” ବେତାଳର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଜା ବିକ୍ରମ କହିଲେ, “ଶୁଣ ବେତାଳ! ମନଷ୍ୟର ଜାତି ଅନୁସାରେ ତାର କର୍ମ ନିରୂପଣ ହୋଇ ନଥାଏ । ତାର କର୍ମ ଅନୁସାରେ ତାର ଜାତି ନିରୂପଣ ହୋଇଥାଏ । ଯିଏ ନାଗରର କର୍ମକଲା ତାକୁ ନାଗର, ଯିଏ କ୍ଷତ୍ରିୟର କର୍ମକଲା ତାକୁ କ୍ଷତ୍ରିୟ କୁହାଯାଏ ତେଣୁ ଚୋଳ ଦେଶର ରାଜକୁମାର କ୍ଷତ୍ରିୟର କର୍ମ କରୁଥିବାରୁ ରାଜକୁମାରୀ ତାଙ୍କୁ ବିବାହ କରିବା ଉଚିତ୍ ହେବ ।” ବିକ୍ରମ ଉତ୍ତର ଦେଇ ସାରିବାପରେ ବେତାଳ ପୁଣି ଜୋର୍ରେ ଅଟ୍ଟହାସ୍ୟ କରି ଆକାଶରେ ଉଡି ଉଡି ଯାଇ ସେହି ବୃକ୍ଷରେ ସେମିତି ଓଲ୍ଟା ଓଲଟି ରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ