ଭଗବାନଙ୍କ ଉପରେ ଆସ୍ଥା

ଭୀଷ୍ମ ପିତାମହ ଯୁଦ୍ଧ କରୁଥିଲେ ମଧ୍ୟ ପାଣ୍ଡବମାନଙ୍କୁ ପରାସ୍ତ କରିବା ସମ୍ଭବ ହୋଇନଥାଏ । ଦୁର୍ଯ୍ୟୋଧନ ଏଥିରେ ଅତି ମାତ୍ରାରେ ବ୍ୟତି ବ୍ୟସ୍ତ ହୋଇପଡିଲେ । କ୍ରୋଧ ଜର୍ଜରିତ ହୋଇ କହିଲେ – ପିତାମହ ! ପାଣ୍ଡବମାନେ ଆପଣଙ୍କର ଅତି ପ୍ରିୟ । ସେଇ କାରଣରୁ ବୋଧହୁଏ ଆପଣ ସେମାନଙ୍କୁ ନମାରି ଖେଳାଉଛନ୍ତି । ଏହି ଆକ୍ଷେପୋକ୍ତି ପିତାମହଙ୍କୁ ବଜ୍ରତୁଲ୍ୟ ଆଘାତ ଦେଲା । ତତ୍କ୍ଷଣାତ୍ ପ୍ରତିଜ୍ଞା କଲେ – ଆଗାମୀ କାଲି ଏହି ଯୁଦ୍ଧର ମୁଖ୍ୟ ଯୋଦ୍ଧା ଅର୍ଜୁନଙ୍କୁ ମାରିବି, ନଚେତ୍ ନିଜେ ମରିବି । ଭୀଷ୍ମଙ୍କର ଏହି ପ୍ରତିଜ୍ଞା ଥିଲା କଠୋର । ଭଗବାନ ଶ୍ରୀକୃଷ୍ଣ ଭୀଷ୍ମଙ୍କ ପ୍ରତିଜ୍ଞା ସମ୍ପର୍କରେ ଜାଣିବାକୁ ପାଇଲେ । ଭୀଷ୍ମଙ୍କ ହାତରେ ପାଣ୍ଡବମାନଙ୍କୁ ନିଧନ କରିବାପାଇଁ ଅମୋଘ ଅସ୍ତ୍ରଥିଲା । ମହାଭାରତ ଯୁଦ୍ଧର ନାୟକ ଚକ୍ରଧାରୀ ଭାବିଲେ ଭୀଷ୍ମଙ୍କର ଏହି ପ୍ରତିଜ୍ଞା ଶୁଣି ଅର୍ଜୁନ ମ୍ରିୟମାଣ ହୋଇ ପଡିଥିବେ । ଆସନ୍ନ ମୃତ୍ୟୁ ଆଶଙ୍କାରେ ତାଙ୍କୁ ନିଦ ହେଉନଥିବ । ଏହା ଭାବି ସଖା ଅର୍ଜୁନଙ୍କୁ ସାନ୍ତ୍ୱନା ଦେବା ନିମିତ ତାଙ୍କ ଶିବିରକୁ ଗଲେ । ସେଠାକୁ ଯାଇ ଦେଖିଲେ ଅର୍ଜୁନ ନିଶ୍ଚିନ୍ତରେ ଗଭୀର ନିଦ୍ରାମଗ୍ନ । ଭଗବାନଙ୍କୁ ଏହା ବଡ ଆଶ୍ଚର୍ଯ୍ୟ ବୋଧହେଲା – ଭୀଷ୍ମଦେବ ଏଭଳି ଭୀଷଣ ପ୍ରତିଜ୍ଞା କରିଛନ୍ତି, ଅଥଚ ଅର୍ଜୁନ ବେଶ୍ ଶାନ୍ତିରେ ଗଭୀର ନିଦ୍ରାମଗ୍ନ, ତିଳେହେଲେ ଚିନ୍ତା ନାହିଁ । ଅର୍ଜୁନଙ୍କୁ ନିଦରୁ ଉଠାଇଲେ । ଅର୍ଜୁନ ଉଠିଲାବେଳେ ବେଶ୍ ପ୍ରଫୁଲ୍ଲ ଦେଖାଯାଉଥିଲେ । ଭଗବାନ ପ୍ରଶ୍ନ କଲେ – ତୁମେ ଭୀଷ୍ମଙ୍କର ପ୍ରତିଜ୍ଞା ସମ୍ପର୍କରେ କ’ଣ ଜାଣିନାହଁ? ଅର୍ଜୁନ ଉତ୍ତର ଦେଲେ – ହଁ, ଜାଣିଛି । ତେବେ ଏଭଳି ଶାନ୍ତିରେ ଶୋଇଛ ଯେ? ତୁମର କ’ଣ ମୃତ୍ୟୁ ଭୟ ନାହିଁ? ଆଗାମୀକାଲି ସମ୍ପର୍କରେ ତୁମେ କ’ଣ ଚିନ୍ତା କରୁନାହଁ? ଶ୍ରୀକୃଷ୍ଣଙ୍କୁ ଆଶ୍ଚର୍ଯ୍ୟ କରି ଅର୍ଜୁନ ଉତ୍ତର ଦେଲେ – ମୋ ପାଇଁ ଚିନ୍ତା କରୁଥିବା ମୋର ପ୍ରଭୁ ଜାଗ୍ରତ ଅଛନ୍ତି । ମୋର ଚିନ୍ତା କରିବାର କ’ଣ ଆବଶ୍ୟକତା ଅଛି? ଅଯଥା ଚିନ୍ତା କରି ମୁଁ କାହିଁକି ସୁନିଦ୍ରାରେ ବ୍ୟାଘାତ ସୃଷ୍ଟି କରିବି? ଭଗବାନ ଶ୍ରୀକୃଷ୍ଣ ଭୀଷ୍ମଙ୍କର ଭୀଷଣ ପ୍ରତିଜ୍ଞା ପୂର୍ଣ୍ଣ କରିବାକୁ ଦେଇନଥିଲେ । ଅର୍ଜୁନଙ୍କୁ କୌଶଳକ୍ରମେ ରକ୍ଷା କରିଥିଲେ । ତେଣୁ ସର୍ବଦା ଭଗବାନଙ୍କ ଉପରେ ଆସ୍ଥା ରଖିବା ଦରକାର ।


ଗପ ସାରଣୀ

ତାଲିକାଭୁକ୍ତ ଗପ