କୀର୍ତ୍ତି ସିଂହ

(କୋଶଳ ରାଜା ସୁଷେଣଙ୍କ ବନ୍ଧୁ ହେଲେ ଜୟସେନ । ତାଙ୍କ ଝିଅ ଶକ୍ତିସେନାଙ୍କ ଶକ୍ତି ସାମର୍ଥ୍ୟ ପରୀକ୍ଷା କରିବା ପାଇଁ, ତାଙ୍କ ପାଖରେ ଏହି ସର୍ତ୍ତ ରଖିଲେ ଯେ ଗୁରୁକୁଳରୁ ଫେରୁଥିବା ତାଙ୍କ ପୁଅ କୀର୍ତ୍ତିସିଂହଙ୍କୁ କାଳୀ ମନ୍ଦିରରେ ତିନି ଦିନ ବନ୍ଦୀ କରି ସେ ରଖିବେ । ଶକ୍ତିସେନା ସେଥିରେ ସମ୍ମତ ହେଲେ । କିନ୍ତୁ ଜୟସେନ ଭୁଲ୍ କରୁଥିଲେ । ତା’ପରେ ସେ ତାଙ୍କ ଝିଅକୁ ସେମାନଙ୍କ ପୂର୍ବପୁରୁଷଙ୍କ କ୍ଷେତ୍ରରେ ଘଟିଥିବା ଘଟଣାର ବିବରଣୀ ଦେଲେ । ପୂର୍ବ ପୁରୁଷ ରାଜା ବିଚିତ୍ରବର୍ମା ଶିକାର କରି ଫେରିବା ବେଳେ କାଳୀ ମୂର୍ତ୍ତି ପାଇଲେ । ସେହି ମୂର୍ତ୍ତିଙ୍କର ପ୍ରତିଷ୍ଠା ବିଷୟରେ ଜ୍ଞାନୀମାନଙ୍କ ସହିତ, ବିଶେଷତଃ ତାଙ୍କ ବନ୍ଧୁ ଜୟସେନଙ୍କ ସହ ବିଚାର ଆଲୋଚନା କରିବାକୁ ସେ ରାଜଧାନୀ ଫେରିଗଲେ ।)

                ରାଜା ବିଚିତ୍ରବର୍ମା ରାଜଧାନୀରେ ପହଁଚିବା ମାତ୍ରେ ସେ ପ୍ରଥମେ ଜୟସେନଙ୍କ ସହିତ ଦେଖା କଲେ । ଜୟସେନ ସବୁ ଶୁଣିବା ପରେ ତାଙ୍କ ମନ ଆନନ୍ଦ ଓ ଦୁଃଖ ଉଭୟରେ ପୂର୍ଣ୍ଣ ହେଲା । ତା’ପରେ ଦରବାରର ଅନ୍ୟାନ୍ୟ ଜ୍ୟୋତିଷ, ଜୟସେନ୍ ଓ ବିଚିତ୍ର ବର୍ମା ସମସ୍ତେ ମିଶି ବହୁ ସମୟ ଧରି ଆଲୋଚନା କଲେ । ଅବଶେଷରେ ଏହା ସ୍ଥିର ହେଲା ଯେ ଦେବୀ ମୂର୍ତ୍ତି ଯେଉଁଠାରେ ମିଳିଛନ୍ତି ସେହିଠାରେହିଁ ତାଙ୍କ ପାଇଁ ମନ୍ଦିର ନିର୍ମାଣ କରାହେବ । ରାଜଧାନୀକୁ ଆଣିବା ଉଚିତ୍ ହେବ ନାହିଁ । କାରଣ ଦେବୀଙ୍କ ଯୋଗୁଁ ଏବେର ରାଜପରିବାର ବିଶେଷ ଲାଭବାନ୍ ହେବେ ନାହିଁ । କିନ୍ତୁ ସେହି ପରିବାରର କେହି ଉତ୍ତର ପୁରୁଷ ଦେବୀଙ୍କ କୃପା ବଳରେ ରାଜ୍ୟ ବିସ୍ତାର କରି ନିଜକୁ ସମ୍ରାଟ ବୋଲାଇବେ । ତାଙ୍କ ଶାସନକାଳରେ ଦେବୀଙ୍କର ନାମ ବିଖ୍ୟାତ ହେବ ଏବଂ ପ୍ରତିଦିନ ତାଙ୍କର ପୂଜା ଅର୍ଚ୍ଚନା ଚାଲିଥିବ । ଦେବୀଙ୍କ ମୂର୍ତ୍ତି ସେଠାରେ ଜୀବନ୍ତ ଓ ମହିମାମୟୀ ହେବ । ଅନେକ ଉତ୍ସବ ମଧ୍ୟ ସେଠାରେ ବର୍ଷସାରା ପାଳିତ ହେବ ।

                ଏସବୁ କଥା ଶୁଣିବା ପରେ ରାଜା ଜାଣି ପାରିଲେ ଯେ ସେଦିନ ରାତିରେ ତାଙ୍କର ଆନନ୍ଦ ଓ ଦୁଃଖ ଉଭୟ କାହିଁକି ହେଲା । ଏବେ ସେ ନିଜ ଦୁଃଖ ଭୁଲିଗଲେ ଓ ଖୁସି ହେଲେ ଯେ ତାଙ୍କରି ବଂଶଜାତ କୌଣସି କୀର୍ତ୍ତିମାନ ରାଜାଦ୍ୱାରା ଏସବୁ ହେବ । ତେଣୁ ସେ ସେହି ଜଙ୍ଗଲରେ ମନ୍ଦିର ନିର୍ମାଣ କରି ମୂର୍ତ୍ତି ପ୍ରତିଷ୍ଠା କଲେ । କିନ୍ତୁ ଜଙ୍ଗଲକୁ ଯାଇ ତାଙ୍କୁ ପୂଜିବା ପାଇଁ କେହି ରହିଲେ ନାହିଁ । ଏହି କାରଣରୁ ଦେବୀଙ୍କ ମୂର୍ତ୍ତି ଅପୂଜା ପ୍ରାୟ ପଡି ରହିଥାଏ । ବ୍ରାହ୍ମଣ ଜଙ୍ଗଲକୁ ପ୍ରତିଦିନ ଯିବାକୁ ଭୟ କଲେ । ଜଙ୍ଗଲରେ ତ ପୁଣି ଭୟାନକ ପଶୁମାନେବି ରହିଛନ୍ତି । ତେଣୁ ବହୁଦିନରେ ଥରେ ଅଧେ ଦେବୀ ପୂଜା ପାଆନ୍ତି । କିଛି ଦିନ ବିତିଯିବା ପରେ ଲୋକେ ସେସବୁ କଥା ପ୍ରାୟ ଭୁଲିଗଲେ । ବିଚିତ୍ରବର୍ମାଙ୍କୁ ଲାଗିଲା ଯେପରି ଏହି ସମସ୍ତ ଘଟଣା ଦୈବଲୀଳା । ସେ ମଧ୍ୟ ମନ ଭିତରେ ଶକ୍ତିଙ୍କୁ ପ୍ରଣାମ କରି ଚୁପ୍ ରହିଗଲେ ।

                ଏମିତି କେତେ ବର୍ଷ ବିତିଗଲା । ଆଶ୍ଚର୍ଯ୍ୟ ହାର ସାହାଯ୍ୟରେ ସେ ସୁଚାରୁ ରୂପେ ଶାସନ ଚଳାଇଲେ, ବହୁ ଖ୍ୟାତି ଲାଭ କଲେ । ହାର ସାହାଯ୍ୟରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରୁ ସେ ମାଟି ଖୋଳାଇ ଅନେକ ଧନରତ୍ନ ଓ ଖଣିର ସଂଧାନ ପାଇଲେ ଏବଂ ସେସବୁ ମଧ୍ୟ ପ୍ରଜାଙ୍କ ହିତରେ ସେ ଲଗାଇଲେ । କିନ୍ତୁ କ୍ରମେ ସମସ୍ତେ ଜାଣିଗଲେ ଯେ ହାରର ମହିମା ଯୋଗୁଁ ଏସବୁ ସମ୍ଭବ ହେଉଛି । ତା’ପରେ ହାରର ମହିମା ଯେତେ ଯେତେ ପ୍ରଚାରିତ ହେଲା, ରାଜାଙ୍କ ଦୁଃଖ ସେତେ ସେତେ ବଢିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ