ଅଜ୍ଞାନୀ – ଜ୍ଞାନୀ

ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ସାଙ୍ଗକୁ ସାଇଁ ସାଇଁ ଶୀତଳ ପବନ ବି ବହୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଆହୁରି ପୁଣି ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଝଲସି ଉଠୁଥାଏ ।

      କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ କାନ୍ଧରେ ପକାଇ ସେ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେ ବେତାଳ କହିଲା, “ରାଜା! ତୁମେ ବୋଧେ ଏ ଦୁର୍ଯ୍ୟୋଗପୂର୍ଣ୍ଣ ରାତିରେ କୌଣସି ସିଦ୍ଧି ଲାଭ ଆଶାରେ ହିଁ ଏଠାକୁ ଆସିଛ । କିନ୍ତୁ ଶ୍ମଶାନରେ ରାତି ରାତି ଅନିଦ୍ରା ହୋଇ ବିତାଇବା ଫଳରେ ଦିନବେଳେ ଶୋଇ ପଡୁଥିବ । ତାହେଲେ ରାଜ୍ୟର ହାଲ୍ଚାଲ୍ ବୁଝୁଛି କିଏ? ରାଜା ଦେବବର୍ମା ଭଳି ତୁମେ ଆଉ କାହାକୁ ତୁମ ପୋଷାକ ପିନ୍ଧାଇ ସିଂହାସନରେ ବସାଇ ଦେଇ ଆସୁନାହଁ ତ? ଜାଣି ରଖ, ସେପରି କରିବାରେ ବିପଦ ଅଛି । କଥାଟି ପରିଷ୍କାର କରିଦେବା ନିମନ୍ତେ ମୁଁ ତୁମକୁ ଦେବବର୍ମାଙ୍କ କାହାଣୀ କହେ । ମନେଦେଇ ଶୁଣ । ଯାହାକୁ ଶୁଣିଲେ କି ତମର ଶ୍ରମଭାର ଲାଘବ ମନେହେବ ।”

      ଏହାପରେ ସେ ବେତାଳ କାହାଣୀଟି ଗପିଲା: ସୁକାନ୍ତି ଦେଶରେ ରାଜା ସୁବଳ ବର୍ମା ରାଜୁତି କରୁଥିଲେ । ସେ ଅତ୍ୟନ୍ତ ନ୍ୟାୟପରାୟଣ, ସାହସୀ ଓ ପ୍ରଜାବତ୍ସଳ ରାଜା ଥିଲେ । ସେ ରାଜା ତାଙ୍କ ରାଜ୍ୟର ସ୍ଥାନେ ସ୍ଥାନେ ଚିକିତ୍ସାଳୟ ଓ ଧର୍ମଶାଳା ଇତ୍ୟାଦି ନିର୍ମାଣ କରିବା ସଙ୍ଗେ ସଙ୍ଗେ ଶାସନ ଖୁବ୍ ମଜବୁତ୍ କରିଥିଲେ । ଫଳରେ ତାଙ୍କ ରାଜ୍ୟରେ ଚୋରି ଡକାଏତି ହେଉ ନଥିଲା । ପ୍ରଜାମାନେ ବି ଅତ୍ୟନ୍ତ ସୁଖରେ ଥିଲେ ।

      ତାଙ୍କ ପୁଅ ଦେବବର୍ମା ବାରାଣସୀରେ ବିଦ୍ୟାଧ୍ୟୟନ କରୁଥିଲେ । ମଧ୍ୟେ ମଧ୍ୟେ ସେ ଯୁବକ ହିମାଳୟକୁ ଯାଇ ଶିବିର ପକାଇ ସେଠାରେ କିଛି କିଛି ଦିନ ଅତିବାହିତ କରୁଥିଲେ । ଦିନେ ସେ ପିତାଙ୍କଠାରୁ ଜରୁରୀ ଡାକରା ପାଇ ସୁକାନ୍ତି ରାଜ୍ୟର ରାଜଧାନୀକୁ ଫେରି ଆସିଲେ । ରାଜା ସୁବଳବର୍ମା ଏକାନ୍ତରେ ତାଙ୍କ ପୁଅକୁ  କହିଲେ, “ପ୍ରଜାମାନେ ଶୁଣିଲେ ଉତ୍କଣ୍ଠା ଅନୁଭବ କରିବେ ବୋଲି ମୁଁ କାହାକୁ କିଛି ବି କହିନାହିଁ । କିନ୍ତୁ ମୁଁ ଗୋଟିଏ ଦୂରାରୋଗ୍ୟ ବ୍ୟାଧିରେ ପୀଡିତ । ତେଣୁ ମୁଁ ଆଉ ଅଧିକ କାଳ ବଂଚିବି ନାହିଁ । ଅତଏବ ମୁଁ ତମର ରାଜ୍ୟାଭିଷେକ କରାଇବାକୁ ଚାହେଁ ।”

      ମାତ୍ର ସେତେବେଳେ ତ ସେ ରାଜକୁମାର ଦେବବର୍ମା ଏଥିପାଇଁ ଆଦୌ ପ୍ରସ୍ତୁତ ନଥିଲେ । ତେଣୁ ସେ ତାଙ୍କ ପିତାଙ୍କ କଥାର ମୃଦୁ ପ୍ରତିବାଦ କଲେ । କିନ୍ତୁ ରାଜା ତାଙ୍କ ସିଦ୍ଧାନ୍ତରେ ଅଟଳ ରହିଲେ । ଦେବବର୍ମା ସିଂହାସନ ଆରୋହଣ କରିବାର ଠିକ୍ ମାସକ ପରେ ରାଜା ସୁବଳବର୍ମାଙ୍କର ପରଲୋକ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ