ଦେବୀଭକ୍ତ

ଯଶଗ୍ରାମରେ ଯୁଗଳ ଯାଇ ପହଁଚିଲା । ସେତେବେଳେ ତା’ ସହିତ କୌଣସି ଜିନିଷପତ୍ର ମଧ୍ୟ ନଥିଲା । ଗ୍ରାମାଧିକାରୀଙ୍କ ସହ କଥା ହୋଇ ସେ କହିଲା, “ମୁଁ ଏକବସ୍ତ୍ର ହୋଇ ଚାଲି ଆସିଲି । କେହି ହେଲେ ମୋତେ ଆଶ୍ରୟ ଦେବ ଏହି ବିଶ୍ୱାସ ରଖି ମୁଁ ଏଠାକୁ ଆସିଛି ।”

                ତାଙ୍କ କଥା ଶୁଣି ଗ୍ରାମାଧିକାରୀ କହିଲେ, “ଏଇ ଦେଖ ଭୂଷଣଙ୍କର ଏହି ଘରଟି ଖାଲି । ଯେତେବେଳେ ନିଜ ଗୋଡରେ ନିଜେ ଛିଡା ହୋଇ ପାରିବ, ସେତେବେଳେହିଁ ଯୁଆଡେ ଇଚ୍ଛା ଯାଅ । ଏବେ ଗ୍ରାମରେ କେଉଁଠାରେ ହେଲେ କିଛି କାମ କରି ଆରାମ୍ରେ ଥାଅ ।”

ଯୁଗଳ ସେଠାରେ ରହିଲା । ପ୍ରଥମେ କାମ ପାଇଁ, ସେ ଭୂଷଣଙ୍କ ଘରକୁ ଗଲା । ତାଙ୍କୁ ଯାଇ ସେ କହିଲା, “ମାଲିକ, ଆପଣଙ୍କ ଘର ମୋତେ ଭାରି ଭଲ ଲାଗୁଛି ଯେ ହେଲେ ବିନା ଭଡାରେ ରହିବାକୁ ମୋତେ ଆଦୌ ଭଲ ଲାଗୁନାହିଁ, ସଙ୍କୁଚିତ ବୋଧ କରୁଛି । କିଛି କାମ ଥିଲେ କୁହନ୍ତୁ ମୁଁ ସେତକ କରିଦେବି ।”

ଏକଥା ଶୁଣି ଭୂଷଣ ହସି ହସି କହିଲେ, “ମୋ ସାନ ଭାଇର ବିବାହ ପରେ, ଏହି ଘରଟି ସେମାନଙ୍କ ରହିବା ପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ସେମାନେ ଯାଇ ସହରରେ ବସବାସ କରିବାରୁ ଘର ଖାଲି ପଡିଥିଲା । ଘରର ଯତ୍ନନେବା ପାଇଁ ଅନେକ ଚାକର ରଖି ଖର୍ଚ୍ଚାନ୍ତ ହେଲି । କିନ୍ତୁ ଫଳ କିଛିବି ହେଲେ ହେଲା ନାହିଁ । ତେଣୁ ତୁମେ ରହିଲେ ଘରଟି ସଫାସୁତୁରା ରଖିବ; ପୁଣି ମୋର ମଧ୍ୟ ଆଉ ପଇସା ଖର୍ଚ୍ଚ ହେବ ନାହିଁ । ତାହାହିଁ ହେବ ମୋର ଘରଭଡା ପଇସା । କାରଣ ପଇସା ଖର୍ଚ୍ଚରୁ ତ ରକ୍ଷା ପାଇଲି । ମନରେ କୌଣସି ଦ୍ୱନ୍ଦଦ୍ୱିଧା ନରଖି ଖୁସିରେ ସେଠାରେ ରହିଥାଅ । ପରେ ଦେଖିବା ।”

ଯୁଗଳ କହିଲା “ତଥାପି ମଧ୍ୟ ମୋତେ ଲାଗୁଛି, ମୁଁ ଆପଣଙ୍କ ପାଖରେ ଏବେ ମଧ୍ୟ ଋଣି । ମୋର ଭଲସମୟ ଆସିଲେ ମୁଁ ଆପଣଙ୍କ ପଇସା ନିଶ୍ଚୟ ଶୁଝିଦେବି ।” ତା’ପରେ ସେ ଗ୍ରାମର ଅନ୍ୟମାନଙ୍କ ଘରକୁ ଯାଇ ଚାକିରୀ ଖୋଜୁଥାଏ ।

ପ୍ରଥମଦିନ ସେ ସୀତାପତି ନାମକ ଜଣେ କବିଙ୍କ ଘରକୁ ଗଲା । ସେ ଯୁଗଳର ସବୁ କଥା ଶୁଣି କହିଲେ, “ମୁଁ ଜଣେ କବି । ମୁଁ ମୋ ଲେଖା ଧନୀ, ଜମିଦାର, ରାଜା ପ୍ରଭୃତିଙ୍କୁ ଦିଏ । ସେମାନେ ମଧ୍ୟ ମୋତେ ବହୁତ ଧନ ଦିଅନ୍ତି । ଏହିଭଳି ଭାବେ ମୋ ଦିନ ବେଶ୍ ଆରାମ୍ରେ କଟେ । ମୋ ସ୍ତ୍ରୀକୁ ସାହାଯ୍ୟ କରିବା ପାଇଁ ସ୍ତ୍ରୀଲୋକଟିଏ ଅଛି । ଆମ ଘରେ ଏତେ କାମ ନାହିଁ ଯେ ତୁମକୁ ଆମେ ରଖି ପାରିବୁ । ମୁଁ ସେଥିପାଇଁ ବଡ ଦୁଃଖିତ ।”

ଯୁଗଳ କହିଲା “ବାବୁ, ମୁଁ ଦେଖୁଛି ଆପଣଙ୍କ ଘର ପଛପଟେ ତ ବହୁତ ଜାଗା ଅଛି । ଆପଣ ମୋତେ ଚାକିରୀ ଦେଲେ ମୁଁ ସେ ବଗିଚାଟିର ଦେଖାଶୁଣା କରିବି । କିନ୍ତୁ ଚାକିରୀ ନଦେଲେ ମୋର ବଡ ଅସୁବିଧା ହେବ ।”

ସୀତାପତି ତା’ର କଥା ଶୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁ ଭାବିଲେ, “ଇଏ ତ ଦେଖିବାକୁ ବେଶ୍ ଭଦ୍ର ଓ ଶିକ୍ଷିତ ଲାଗୁଛି । କିନ୍ତୁ ମୋର କାହିଁ ମନେ ହୁଏ ଯେ ପରିସ୍ଥିତି ତାକୁ ଦରିଦ୍ର କରିଛି ।” ତା’ପରେ ସେ କହିଲେ, “ବଗିଚାର ଦେଖାଶୁଣା ତ ମୁଁ ନିଜେ କରେ । ତାହା ଦ୍ୱାରା ମୋର ବ୍ୟାୟାମ ମଧ୍ୟ ହୋଇଥାଏ । ତୁମେ ଚାକିରୀ ବିଷୟରେ ଏତେ ବ୍ୟସ୍ତ ହୁଅ ନାହିଁ । ଚାକିରୀ ନ ମିଳିବା ପର୍ଯ୍ୟନ୍ତ ଆମଘରେ ଭୋଜନ କରୁଥାଅ । ଭଗବାନ୍ଙ୍କ କୃପାରୁ ଆମର କିଛି ଅସୁବିଧା ହେବ ନାହିଁ ।”

ସୀତାପତିଙ୍କୁ ଯୁଗଳ ନମସ୍କାର କରି କହିଲା, “ଆପଣଙ୍କୁ ହାର୍ଦ୍ଦିକ ଧନ୍ୟବାଦ । କିନ୍ତୁ ଆପଣଙ୍କ ଘରେ ମାଗଣା ଖାଇବାକୁ ମୋତେ ମଧ୍ୟ ଆଦୌ ଭଲ ଲାଗିବ ନାହିଁ । ଯଦି ଆପଣ ମୋତେ ବିଶ୍ୱାସ କରନ୍ତି ତ ଯେବେ କିଛି ଟଙ୍କା କରଜ ମାଗିବି, ତେବେ ତାହା ଦେବେ । ଯେତେବେଳେ ମୋର ଭଲ ସମୟ ଆସିବ ସେତେବେଳେ ମୁଁ ଟଙ୍କା ଶୁଝିଦେବି ।” ଏତିକି କହି ସୀତାପତିଙ୍କ ଉତ୍ତରକୁ ଅପେକ୍ଷା ନ କରି ସେ ଅନ୍ୟଜଣଙ୍କ ଘରକୁ ଗଲା । ଦ୍ୱିତୀୟ ବ୍ୟକ୍ତିଟି ହେଲେ ଜଣେ ବ୍ୟବସାୟୀ । ସେ ମଧ୍ୟ ସୀତାପତିଙ୍କ ଭଳି କଥା କହିଲେ । ଯୁଗଳ ମଧ୍ୟ ସେହି ଏକହିଁ କଥା କହି ସେଠାରୁ ଆସିଲା ।

ଏହି ପରି ସେ ଅନେକ ଲୋକଙ୍କ ଘରକୁ ଗଲା । କିନ୍ତୁ ସବୁଠାରେ ସେହି ଏକହିଁ କଥା ସେ ଶୁଣିବାକୁ ପାଇଲା । ସେ ବୁଲି ବୁଲି ଥକିଗଲା ଓ ଗୋଟିଏ ଗଛତଳେ ବସି ବିଶ୍ରାମ କଲା । ଗ୍ରାମାଧିକାରୀ ଅନ୍ୟପଟରୁ ଆସୁଥିଲେ । ସେ ପଚାରିଲେ, “କ’ଣ କେଉଁଠି କିଛି କାମ ମିଳିଲା?”

“ମହାଶୟ, ଆପଣଙ୍କ ଗ୍ରାମ ତ ବଡ ମହାନ୍ । ସମସ୍ତେ ନିଜ ନିଜ କାମ ନିଜେ କରୁଛନ୍ତି । ତେଣୁ ମୋତେ କାମଟିଏ ମିଳିଲା ନାହିଁ ।” ଏହାପରେ ଯୁଗଳ ସମସ୍ତ କଥା ଗ୍ରାମାଧିକାରୀକୁ ବର୍ଣ୍ଣନା କରି କହିଲା ।

ଗ୍ରାମାଧିକାରୀ କହିଲେ “ପ୍ରତ୍ୟେକ ଦିନ, ଜଣକ ଘରକୁ ଖାଇବାକୁ ଯାଅ, ତୁମର ଆରାମ୍ରେ ଦିନ କଟିବ ।” ତା’ପରେ ଯୁଗଳ କହିଲା “କୌଣସି କାମ ନକରି, ବସି ଖାଇବା ମୋର ଆଦୌ ପସନ୍ଦ ନୁହେଁ । ନଖାଇ କିଛିଦିନ ରହିଯିବାର ଶକ୍ତି ମୋର ଅଛି । ଦେଖାଯାଉ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ