ରଘୁର ରସିଦ୍

ଜମୀରସାହି ଗାଁରେ ରଘୁଦାସର ଘର । ସେ ଅତ୍ୟନ୍ତ ପରିଶ୍ରମୀ । ତା’ର ଦୁଇ ଚାରିଖଣ୍ଡି କ୍ଷେତବାଡି ଥାଏ । ସେଥିରେ ସେ ନାନା ପ୍ରକାରର ଶାକ୍ ସବ୍ଜୀ ଉପୁଜାଏ । ସେ ତା’ ଫସଲର ଏପରି ଯତ୍ନ ନିଏ ସତେ ଅବା ସେସବୁ ଅମୂଲ୍ୟ ରତ୍ନ ।

ବାସ୍ତବରେ ସେସବୁ ମଧ୍ୟ ଠିକ୍ ରତ୍ନ ଭଳିହିଁ ଥିଲେ । ତା’ ଜମିର ପନିପରିବା ଉପରେ ସମସ୍ତଙ୍କ ଆଖି । ସେଠାରୁ ତିନିକୋଶ ଦୂରରେ ବଜାର । ରଘୁଦାସକୁ ତା’ ପରିବା ବୋଝ ଧରି ହାଟକୁ ଆଉ ଯିବାକୁ ପଡେ ନାହିଁ । ବେପାରୀମାନେ ଆସି ଉଚିତ୍ ମୂଲ୍ୟ ଦେଇ ତା’ଠୁ ସବୁ କିଣି ନେଇ ଯାଆନ୍ତି ।

ରଘୁଦାସ ଉପରେ ତା’ ଗାଁ ଲୋକେ ଭାରି ଖୁସିଥାନ୍ତି । ସେ କେବେବି କାହାରି ପ୍ରତି କୌଣସି ପ୍ରକାର ଅନ୍ୟାୟ କରେ ନାହିଁ । ସମସ୍ତଙ୍କ ସହ ସେ ଭଲ ବ୍ୟବହାର କରେ । ତେଣୁ ସମସ୍ତେ ତା’ପ୍ରତି ସଦୟ କାହିଁକି ବା ନହେବେ?

ଯେତେବେଳେ ଗାଁରେ କୌଣସି ଲୋକ ଘରେ ପର୍ବପର୍ବାଣି ବା ଭୋଜି ଭାତ ହୁଏ, ସେତେବେଳେ ରଘୁଦାସ ବେପାରୀକୁ ନ ଦେଇ ନିଜ ବାଡିର ପନିପରିବା ସୁଲଭ ମୂଲ୍ୟରେ ସେ ଲୋକକୁ ଯୋଗାଇ ଦିଏ ।

କିନ୍ତୁ ଜଣେ ଲୋକ ତାକୁ କେବେବି ସହି ପାରେ ନାହିଁ । ସେ ହେଉଛି ତା’ ପଡୋଶୀ ବୀରେନ୍ଦ୍ର । ବୀରେନ୍ଦ୍ର ମଧ୍ୟ ପନିପରିବା ଚାଷ କରେ । କିନ୍ତୁ ତା’ ଜମିରେ ଏତେ ଭଲ ଫସଲ ଉତୁରେ ନାହିଁ । ଏହାର ଅସଲ କାରଣ ହେଲା, ସେ ରଘୁଦାସ ଭଳି ସେମିତି ପରିଶ୍ରମୀ ନୁହେଁ । ରଘୁଦାସ ତୁଳନାରେ ବୀରେନ୍ଦ୍ରର ଜମିବାଡି ଅନେକ ବେଶି ।

ଲୋକେ ବୀରେନ୍ଦ୍ରକୁ କହନ୍ତି, “କିହୋ, ତମର ଏତେ ଜମି ଥାଇ ତମେ ଯାହା କରି ନ ପାରୁଛ, ରଘୁଦାସ ତାହାଠୁଁ ବହୁତ ଅଧିକ କରି ପାରୁଛି!” ଏଭଳି ମନ୍ତବ୍ୟ ଶୁଣି ଶୁଣି ବୀରେନ୍ଦ୍ର ଭାରି ଖପା ହୁଏ । କିନ୍ତୁ ସତକଥା ଉପରେ ସେ ବା ଆଉ କ’ଣ କହିବ?

ରଘୁଦାସର ବାଡିରେ ବର୍ଷେ ଅତି ସୁନ୍ଦର ଭାବରେ କଖାରୁମାନ ଫଳିଥାନ୍ତି । ସେମାନେ ଆକାରରେ ଯେପରି ବଡ ବଡ ହୋଇଥାନ୍ତି, ରଙ୍ଗରେ ମଧ୍ୟ ଠିକ୍ ସେହିପରି ଚହଟ ଚିକ୍କଣ ହୋଇଥାନ୍ତି ।

ରଘୁଦାସର ଆଖି ଆଗରେ ସେମାନେ ସବୁ ବଢୁଥାନ୍ତି । ରଘୁଦାସ ସେମାନଙ୍କର ନାମକରଣ କରିଥାଏ । କାହାର ନାମ ଐରାବତ ତ କାହା ନାମ ଭୀମ । ପୁଣି ଆଉ ଗୋଟାଏ କଖାରୁର ନାମ ଗୁଣ୍ଡା; ଅନ୍ୟ ଗୋଟିକର ନାମ ବାଘ । ଏହିପରି ଭାବରେ ସର୍ବମୋଟ ଚାଳିଶଟିଯାକ କଖାରୁର ନାମକରଣ ସେ କରିଥାଏ ।

କଖାରୁମାନେ ପାକଳ ଅବସ୍ଥାରେ ଆସି ପହଁଚିଲେ । ରଘୁଦାସ ସେଦିନ ସଞ୍ଜବେଳେ ସେମାନଙ୍କ ଆଡକୁ ସଜଳ ଆଖିରେ ଅନାଇଲା । କାରଣ ସକାଳେ ସେମାନଙ୍କୁ ଗାଡିରେ ଥୋଇ ସେ ବଜାରକୁ ଯିବ । ଏଥର କୌଣସି ବେପାରୀକୁ ସମୁଦାୟ ନଦେଇ ସେ ନିଜେ ଗୋଟା ଗୋଟା କରି ବିକ୍ରି କରିବ ।

ସକାଳେ ସେ ତାଙ୍କ ଗାଡି ସଜ କରି ନିଜ ବାଡିକୁ ଆସିଲେ । ସେଠି ସେ ଯାହାବି କିଛି ଦେଖିଲେ, ସେହିଥିରେ ତାଙ୍କ ଆଖି ଖୋସି ହୋଇଗଲା । ଗୋଟାଏ ବି କଖାରୁ ନାହିଁ । ରାତିରେ କିଏ ସବୁଯାକ ତୋଳି ନେଇ ଯାଇଛି!


ଗପ ସାରଣୀ

ତାଲିକାଭୁକ୍ତ ଗପ