ତିନି ତାନ୍ତ୍ରିକ

ସମୁଦ୍ରରେ ଦୁଇ ଜାହାଜ ଭିତରେ ସଂଘର୍ଷ ହୋଇ ଦୁଇଟିଯାକ ଜାହାଜ ବୁଡିଯିବା ଉତାରୁ ପିଙ୍ଗଳ କୌଣସି ମତେ ଆସି କୂଳରେ ଲାଗିଲା । ସେଠାରେ ନବାବ୍ଙ୍କର ଜଣେ ପଦସ୍ଥ କର୍ମଚାରୀ ହସନ୍ ସହ ତା’ର ପରିଚୟ ହେଲା । ସେ ମରୁ ଅଂଚଳରେ ଜଣେ ଡାକୁ ସର୍ଦ୍ଦାରକୁ ଧରିବା ଉଦ୍ଧେଶ୍ୟରେ ହସନ୍ ବାହାରିଥାଏ । ପିଙ୍ଗଳକୁ ଧରି ହସନ୍ ଓ ତା’ ସୈନ୍ୟଦଳ ଗୋଟାଏ କିଲ୍ଲା ଆଡେ ବାହାରିଲେ । ତା’ପରେ…

କିଲ୍ଲାର ପରିବେଶ ଜନମାନବଶୂନ୍ୟ ଦେଖି ହସନ୍ ସର୍ଦ୍ଦାର ଆଶ୍ଚର୍ଯ୍ୟ ହେଲେ । ପିଙ୍ଗଳ ଲକ୍ଷ୍ୟ କରି ଦେଖିଲା, ସେ କିଲ୍ଲା ବହୁତ ପୁରାତନ ଏବଂ ଖୁବ୍ ବଡ । ଆଖପାଖରେ ଅନ୍ୟ କୌଣସି ଘରଦ୍ୱାର କାହିଁ ଆଖିରେ ପଡିଲେ ନାହିଁ ।

                ସେହି କିଲ୍ଲା ପାଖରେ ଗୋଟାଏ ପାହାଡ । ପାହାଡ ଉପରୁ ଗୋଟାଏ ଝରଣା ଝରି ଆସୁଥାଏ । ଝରଣାର ଦୁଇ କଡରେ ଦୁଇଟି ବଡ ବଡ ଖଜୁରୀ ଗଛ । କିଲ୍ଲା କାନ୍ଥରେ ଗଛଚାରା ଉଠିଥାନ୍ତି ଓ ଲତା ମାଡିବାକୁ ଆରମ୍ଭ କରିଥାନ୍ତି । କେହି କିଲ୍ଲାର ତତ୍ତ୍ୱ ନେଉଥିବା ଭଳି ମନେ ହେଲା ନାହିଁ ।

                ପିଙ୍ଗଳ ପଚାରିଲା “ତମେ ଯେଉଁ କିଲ୍ଲା କଥା କହୁଥିଲ, ଇଏ ସେହି କିଲ୍ଲା ତ?”

                “ହଁ, ହଁ । ଏହାହିଁ ତ ସେହି କିଲ୍ଲା । ଦେଖ, କିଲ୍ଲା ପାଖରୁ ଗୋଟାଏ ରାସ୍ତା ପାହାଡ ଉପରକୁ ଉଠି ଯାଇଛି । ତେହେରାନ୍ ଆଡକୁ ଏହାହିଁ ରାଜପଥ । ବାଟ ମଝିରେ ଏ କିଲ୍ଲା ବଣିକମାନଙ୍କ ପାଇଁ ଏକ ବିଶେଷ ସହାୟ । ଡାକୁମାନଙ୍କ ଉପରେ ଆଖି ରଖିବା ପାଇଁ ଏହା ନିର୍ମାଣ କରାଯାଇଥିଲା । ଏଠି ସବୁବେଳେ ଦୁଇଶହ ସୈନିକ ଥାନ୍ତି । ବଣିକ ଓ ଅନ୍ୟ ଯାତ୍ରୀମାନଙ୍କୁ ରକ୍ଷା କରିବା ଓ ଆଶ୍ରୟ ଦେବା ହେଉଛି ସେମାନଙ୍କ କାମ । କିନ୍ତୁ ଆଶ୍ଚର୍ଯ୍ୟର କଥା, ଜଣକୁ ବି ମୁଁ ଏଠି ଦେଖୁ ନାହିଁ ।”

                ହସନ୍ ଏକଥା କହିସାରିବା ବେଳକୁ ସେ ଦୁହେଁ କିଲ୍ଲାର ଦରଜା ପାଖରେ ପହଁଚି ଯାଇଥିଲେ ।

                ପିଙ୍ଗଳ କହିଲା “ହୁଏତ ଦସ୍ୟୁଦଳପତି ଭୈରବନାଥ କିଲ୍ଲା ଉପରେ ଆକ୍ରମଣ କରି ସବୁ ସୈନିକଙ୍କୁ ବନ୍ଦୀ କରିଛି । ସମସ୍ତଙ୍କୁ ମାରି ପକାଇ ନଥିଲେ ରକ୍ଷା । ବୋଧହୁଏ କିଲ୍ଲା ଭିତରକୁ ଗଲେ ଯାଇ ସବୁ କଥା ଜଣାଯିବ!”

                ହସନ ନିଜ ଓଟ ବୁଲାଇ ପାଚିରୀ ପାଖରେ ଏପଟ ସେପଟ ହୋଇ ଅବସ୍ଥା ଲକ୍ଷ୍ୟ କରୁ କରୁ କହିଲା “ତୁମ କଥା ଠିକ୍ ହୋଇପାରେ । କିନ୍ତୁ ଡାକୁଦଳର କେହି ବି ଏଠାରେ ଥିଲାଭଳି ତ ମୋର କାହିଁ ମନେ ହେଉନାହିଁ!”

                ପିଙ୍ଗଳ ତା’ ଓଟକୁ ହସନ ପାଖକୁ ନେଇଯାଇ କହିଲା, “ସର୍ଦ୍ଦାର! ବାହାରୁ କିଛିବି ବୁଝା ପଡିବ ନାହିଁ । ସଂଘର୍ଷ ହୋଇଥିଲେ ତ ଭିତରକୁ ଗଲେ ଜଣା ପଡିଯିବ ।”

                ହସନ ସର୍ଦ୍ଦାର କହିଲା “ଆମର ଦୁଇଶହ ସୈନିକଙ୍କୁ ମାରି ପକାଇବା ଅଥବା ବନ୍ଦୀ କରିବା କେବେବି ଏତେ ସହଜ ହୋଇ ନଥିବ । ସେଥିପାଇଁ ତ ସେ ଡାକୁଦଳକୁ ଭୀଷଣ ଲଢେଇ କରିବାକୁ ପଡିଥିବ ।” ଦୁହେଁ କିଲ୍ଲାର ମୁଖ୍ୟ ଦ୍ୱାର ପାଖକୁ ଆସି ଯାଇଥାନ୍ତି ।

                ଦ୍ୱାର ଭିତରୁ ବନ୍ଦ ଥିବାର ଜଣାଗଲା । ଦ୍ୱାର ପାଖରେ ସଂଘର୍ଷର କୌଣସି ଚିହ୍ନ ନଥାଏ ।

                ପିଙ୍ଗଳର ବିସ୍ମୟର କୌଣସି ଅନ୍ତ ନ ଥାଏ । ଯଦି ଦୁଇଶହ ସୈନିକ ଏଠାରେ ରହିଥିଲେ, ତେବେ ସେମାନଙ୍କୁ ବନ୍ଦୀ ବା ହତ୍ୟା କରିବା ନିମନ୍ତେ ଡାକୁଦଳକୁ ଭୀଷଣ ଯୁଦ୍ଧ କରିବାକୁ ପଡିଥିବ । ଯୁଦ୍ଧ ହୋଇଥିଲେ ପରିବେଶରୁ ତ ତାହାର ପ୍ରମାଣ ମିଳନ୍ତା । କିଲ୍ଲାର ଦ୍ୱାର ମଧ୍ୟ ଖୋଲା ପଡିଥାନ୍ତା । ତେବେ କ’ଣ ଦ୍ୱାର ଭିତରୁ ବନ୍ଦ କରି ସମସ୍ତେ ନିଘୋଡ ନିଦରେ ଶୋଇ ପଡିଲେ? ଅଥବା ସମସ୍ତେ ଆଖପାଖର କୌଣସି ରମଣୀୟ ସ୍ଥାନକୁ ଭୋଜି କରିବା ପାଇଁ ଚାଲି ଯାଇଥାଇ ପାରନ୍ତି । ହୁଏତ ଯେଉଁ ଜଣେ ସୈନିକ କିଲ୍ଲା ଜଗି ରହିଥିଲା, ଡାକୁମାନେ ତାକୁହିଁ ହତ୍ୟା କରି ସେ ପଥର ଦେହରେ ବାନ୍ଧି ଦେଇଥିଲେ ।

                ହଠାତ୍ ହସନ୍ ସର୍ଦ୍ଦାର ହସିଲା । ପିଙ୍ଗଳ ତା’ ଆଡେ ଆଶ୍ଚର୍ଯ୍ୟ ହୋଇ ଅନାଇବାରୁ ସେ କହିଲା, “ଆମ ସୈନିକମାନଙ୍କର ପତା ନ ମିଳିବାର ଅନ୍ୟ ଏକ କାରଣ ବି ଥାଇପାରେ । ସେ କାରଣକୁ ଅବାସ୍ତବ ବୋଲି ଉଡାଇ ଦିଆଯାଇ ପାରିବ ନାହିଁ । ସେ କାରଣ କ’ଣ ହୋଇପାରେ ଅନୁମାନ କରି ପାରିବ?”


ଗପ ସାରଣୀ

ତାଲିକାଭୁକ୍ତ ଗପ