ଚାରି ପ୍ରଶ୍ନ

ଭୁବନଗିରିର ରାଜା ତାଙ୍କ ଉପଦେଷ୍ଟା ମଣ୍ଡଳିରେ ଜଣେ ନୂତନ ସଦସ୍ୟ ଗ୍ରହଣ କରିବାକୁ ସ୍ଥିର କଲେ । ଏଭଳି ସଦସ୍ୟ ବୋଇଲେ ମନ୍ତ୍ରୀ । ସେ ନିଜ ଅମାତ୍ୟ ବର୍ଗଙ୍କ ଭିତରୁ କାହାକୁ ନ ନେଇ ଜନସାଧାରଣଙ୍କ ଭିତରୁ ଜଣକୁ ବାଛିବାକୁ ମନସ୍ଥ କଲେ ।

                “ଆମ ରାଜ୍ୟର ଅନେକ ଯୁବକ ବାରାଣସୀ ଓ ପୁରୀ ଇତ୍ୟାଦି ସ୍ଥାନକୁ ଯାଇ ଶିକ୍ଷା ଓ ଜ୍ଞାନର ବିକାଶ କରୁଛନ୍ତି । ସେମାନଙ୍କ ପ୍ରତିଭାରୁ ଆମେ କାହିଁକି ଲାଭବାନ ନହେବା? ଖାଲି ଅମାତ୍ୟ ଓ ସମ୍ଭ୍ରାନ୍ତ ଲୋକେ ମନ୍ତ୍ରୀ ହେବା ପାଇଁ ଉପଯୁକ୍ତ, ଅନ୍ୟମାନେ ନୁହଁନ୍ତି, ଏପରି ଧାରଣା ଭୁଲ୍ ।” ଏହା ରାଜା କହିଲେ । ଅମାତ୍ୟମାନେ ରାଜାଙ୍କ କଥା ଉପରେ କ’ଣ ବା କହିବେ? ତେଣୁ ତାଙ୍କ ଦରବାରର ସଭାସଦ୍ବର୍ଗ ଚୁପ୍ ହୋଇ ରହିଲେ ।

                ସେ ପଦ ସକାଶେ ଉପଯୁକ୍ତ ବ୍ୟକ୍ତି ମନୋନୟନ କରିବା ନିମନ୍ତେ ସେ ଗୋଟିଏ ତିନିଜଣିଆ ସମିତି ନିଯୁକ୍ତ କଲେ । ତା’ଛଡା ସେ ରାଜଗୁରୁଙ୍କୁ ବି ଅନୁରୋଧ ଜଣାଇ କହିଲେ, “ଯେଉଁଦିନ ଚୂଡାନ୍ତ ମନୋନୟନ ହେବ, ସେଦିନ ଆପଣ ନିଜେ ସମିତିର ନେତୃତ୍ୱ ନେବେ ।” ରାଜଗୁରୁ ଏଥିରେ ରାଜି ହେଲେ ।

                ନିର୍ଦ୍ଦିଷ୍ଟ ଦିନ ପ୍ରାର୍ଥୀମାନଙ୍କୁ ଦରବାରର ଗୋଟିଏ ବଡ କକ୍ଷ ଭିତରକୁ ଜଣ ଜଣ କରି ଡକା ହେଲା । ଯାହାର ପରୀକ୍ଷା ଶେଷ ହେଉଥାଏ, ସେ ସେଠାରେ ଉପସ୍ଥିତ ରହିବାରେ ସମିତିର ବା ରାଜାଙ୍କର କୌଣସି ପ୍ରକାର ଆପତ୍ତି ନଥାଏ ।

                ତିନିଜଣିଆ ସମିତି ଗୋଟିଏ ପ୍ରଶ୍ନମାଳା ପ୍ରସ୍ତୁତ କରିଥାନ୍ତି । ସେ ପ୍ରଶ୍ନ ଗୁଡିକ ମୁଖ୍ୟତଃ ଶାସ୍ତ୍ର ଓ ଆଇନ୍ କାନୁନ୍ ଉପରେ ଆଧାରିତ ହୋଇଥାଏ । ରାଜଗୁରୁ ସେଗୁଡିକ ପଢି କହିଲେ, “ଏ ପ୍ରଶ୍ନ ଗୁଡିକ ଠିକ୍ ଅଛି । ପ୍ରାର୍ଥୀ ଏସବୁର ଯଥାର୍ଥ ଉତ୍ତର ଦେବା ଆବଶ୍ୟକ । କିନ୍ତୁ ଖାଲି ଏତିକି ତ ଯଥେଷ୍ଟ ନୁହେଁ । ଯିଏ ରାଜାଙ୍କ ଉପଦେଷ୍ଟା ହେବ, ସେ ଜଣେ ନିହାତି ରୂପେ ବିଜ୍ଞ ବ୍ୟକ୍ତି ହୋଇଥିବା ଆବଶ୍ୟକ । ଏସବୁ ପ୍ରଶ୍ନରୁ ଜଣକର ବିଦ୍ୟାର ପରିଚୟ ମିଳି ପାରିବ, କିନ୍ତୁ ବିଜ୍ଞତାର ପରିଚୟ ମିଳିବ ନାହିଁ ।”

                ସମିତିର ଜଣେ ପ୍ରବୀଣ ସଭ୍ୟ ରାଜଗୁରୁଙ୍କୁ ପଚାରିଲେ “ମହାଶୟ, ଏସବୁ ପ୍ରଶ୍ନ ତ ଆମେ ଶାସ୍ତ୍ରରୁ ଆହରଣ କରିଛୁ । ଏହି ଶାସ୍ତ୍ର ତ ଋଷିମାନେହିଁ ପ୍ରଣୟନ କରିଛନ୍ତି । ତାହେଲେ ସେ ଋଷିମାନେ କ’ଣ ବିଜ୍ଞ ନଥିଲେ?”

                ରାଜଗୁରୁ କହିଲେ “ସେମାନେ ମହାନ୍ ବିଜ୍ଞ ଥିଲେ । ଶାସ୍ତ୍ରର ବିଜ୍ଞତା ଓ ସାଧାରଣ ଜ୍ଞାନର ବିଜ୍ଞତା କେବେବି ଏକା କଥା ନୁହେଁ । ଆମର ଲୋଡା ଏପରି ଜଣେ ଲୋକ ଯାହା ପାଖରେ କି ଏ ଦୁଇ ପ୍ରକାର ବିଜ୍ଞତା ଥିବ ।”

                ତେଣୁ ସମିତି ନିର୍ଦ୍ଧାରଣ କରିଥିବା ପ୍ରଶ୍ନ ଗୁଡିକ ଉପରେ ରାଜଗୁରୁ ଆଉ ଚାରିଗୋଟି ପ୍ରଶ୍ନ ପଚାରିବାକୁ ଲାଗିଲେ । ଅଧିକାଂଶ ପ୍ରାର୍ଥୀ ସମିତିର ପ୍ରଶ୍ନ ଗୁଡିକର ଉତ୍ତର ମୋଟାମୋଟି ଭାବେ ଦେଇ ତ ପାରିଲେ, କିନ୍ତୁ ରାଜଗୁରୁଙ୍କ ପ୍ରଶ୍ନର ଉତ୍ତର କେହି ହେଲେ ମଧ୍ୟ ଦେଇ ପାରିଲେ ନାହିଁ ।

                ଅବଶେଷରେ ବାରାଣସୀରୁ ଆସିଥିବା ସୁମନ୍ତ ନାମକ ଯୁବକଙ୍କର ପାଳି ପଡିଲା ।

                “ଯେଉଁ ଧନକୁ କେହି ମଧ୍ୟ ହରଣ କରି ପାରନ୍ତି ନାହିଁ, ସେ ଧନକୁ କିଏ ହରଣ କରିପାରେ?” ଏହା ହେଲା ରାଜଗୁରୁଙ୍କ ପ୍ରଥମ ପ୍ରଶ୍ନ ।

                ସୁମନ୍ତ କହିଲେ “ମହାଶୟ, ଜ୍ଞାନ ରୂପକ ଧନକୁ କେହି ହେଲେ ମଧ୍ୟ ହରଣ କରି ପାରନ୍ତି ନାହିଁ । କିନ୍ତୁ ଅହଙ୍କାର ଏହାକୁ ହରଣ କରି ପାରେ ।”

                “କେଉଁ ଦୁଇ ପ୍ରକାର କଥା ଜଣେ ନିଜ ସ୍ତ୍ରୀଠୁଁ ବି ଗୋପନ ରଖିବା ଦରକାର?” ଏହା ହେଲା ରାଜଗୁରୁଙ୍କ ଦ୍ୱିତୀୟ ପ୍ରଶ୍ନ ।

                ସୁମନ୍ତ କହିଲେ “ଯେଉଁ କଥା ଜଣେ ପ୍ରକାଶ ନ କରିବା ପାଇଁ ଭଗବାନଙ୍କ ନାମରେ ଶପଥ ନେଇଥିବ; ଦ୍ୱିତୀୟରେ ଯାହା ରାଜ୍ୟର ଶାସନ-ରହସ୍ୟ ହୋଇଥିବ ।”

                ରାଜଗୁରୁ ତୃତୀୟ ପ୍ରଶ୍ନ ପଚାରିଲେ “କେଉଁ ଚିଜ ଅନର୍ଥ ସୃଷ୍ଟି କରେ?”

                ସୁମନ୍ତ କହିଲେ “ନିଜ ଆବଶ୍ୟକତାଠୁଁ ବଳି ଯେ କୌଣସି ଚିଜ ଅନର୍ଥ ସୃଷ୍ଟି କରେ ।”

                ରାଜଗୁରୁ ପଚାରିଲେ “ସାବାସ୍ । ବର୍ତ୍ତମାନ ମୋର ଶେଷ ପ୍ରଶ୍ନର ଉତ୍ତର ଦେଇ ପାରିଲେ ହେଲା । ଉଚ୍ଚ ରାଜ ପଦବୀରେ ଅଧିଷ୍ଠିତ ଜଣେ ବ୍ୟକ୍ତି କେଉଁ ସବୁ ଗୁଣର ଅଧିକାରୀ ହେବା ଆବଶ୍ୟକ?”

                ସୁମନ୍ତ ବିନୟୀ ଭାବରେ ଉତ୍ତର ଦେଲେ “ମହାଶୟ, ମୋ ପ୍ରଥମ ତିନୋଟି ପ୍ରଶ୍ନ ଭିତରେହିଁ ଆପଣଙ୍କର ଏ ଚତୁର୍ଥ ପ୍ରଶ୍ନର ଉତ୍ତର ନିହିତ ରହିଛି । ଜଣେ ନିରହଙ୍କାରୀ ଓ ନମ୍ର ହେବା ଆବଶ୍ୟକ; ଜଣେ ରାଜ୍ୟର ଶାସନ ରହସ୍ୟ ବା ଆପଣାର କୌଶଳ ଲୋକ ପାଖରୁ ବି ଗୋପନ ରଖିବା ଆବଶ୍ୟକ ଏବଂ ଜଣେ ଆବଶ୍ୟକ ତୁଳନାରେ ପଦେ ମଧ୍ୟ ଅଧିକ କଥା କହିବା ଆଦୌ ଉଚିତ୍ ନୁହେଁ କି ଆବଶ୍ୟକଠୁଁ ବେଶି ଚିଜ ପାଇଁ ଲୋଭ କରିବା ମୋଟେ ଉଚିତ୍ ନୁହେଁ ।”

                ଏହାପରେ ରାଜଗୁରୁଙ୍କ ମୁହଁ ଅତ୍ୟନ୍ତ ପ୍ରସନ୍ନ ଦିଶିଲା । ରାଜା ମଧ୍ୟ ସନ୍ତୁଷ୍ଟ ଦେଖାଗଲେ । ମନୋନୟନ ସମିତିର ସଦସ୍ୟମାନେ ସପ୍ରଶଂସ ଦୃଷ୍ଟିରେ ସୁମନ୍ତଙ୍କୁ ଅନାଇଲେ ।

                ରାଜଗୁରୁଙ୍କ ପରାମର୍ଶ କ୍ରମେ ରାଜା ନିଜେ ସୁମନ୍ତଙ୍କୁ ତାଙ୍କ ଉପଦେଷ୍ଟା ରୂପେ ନିଯୁକ୍ତ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ