ନ୍ୟାୟସୂତ୍ର

ହଜାରବର୍ଷ ପୂର୍ବେ ଧବଳଗିରି ରାଜ୍ୟରେ ଧର୍ମପାଳ ନାମକ ଜଣେ ରାଜା ରାଜୁତି କରୁଥିଲେ । ଦାନ, ଧର୍ମ କରିବାରେ ସେ ଅଦ୍ୱିତୀୟ ଥିଲେ । ତତ୍ସହିତ ନ୍ୟାୟ ବିଚାର କରିବାରେ ସେ ମଧ୍ୟ ବିବେକବାନ୍ ଥିଲେ ।

                ତାଙ୍କ ରାଜ୍ୟରେ ନ୍ୟାୟସୂତ୍ର ବଡ କଡା ଭାବରେ ପ୍ରଚଳିତ ଥିଲା । ସେ ରାଜା ହେଉ କି ଦରିଦ୍ର ହେଉ ପଛେ ଯିଏବି ଭୁଲ୍ କାମ କରିବ, ତେବେ ଅନ୍ୟପକ୍ଷ ନିଶ୍ଚୟ ତା’ର ପ୍ରତିଶୋଧ ନେବ କିମ୍ବା ରାଜା ଯାହା ନ୍ୟାୟ ଦେବେ ଠିକ୍ ସେପରି ଦଣ୍ଡ ଦିଆଯିବାର ବିଧି ଥିଲା । କେବଳ ସେଇଥିପାଇଁ ସେ ରାଜ୍ୟରେ ଅନ୍ୟାୟ ବା ଅତ୍ୟାଚାର ପ୍ରାୟ ନଥିଲା । ଲୋକ ନ୍ୟାୟସୂତ୍ର ଯୋଗୁଁ ଅପରାଧ କରିବାକୁ ଡରୁଥିଲେ । ସେ ରାଜ୍ୟରେ ସବୁକିଛି ଭଲରେ ଚଳୁଥିଲା । ଏପରିକି ପଡୋଶୀ ରାଜ୍ୟର ରାଜାମାନେ ମଧ୍ୟ ଧର୍ମପାଳଙ୍କ ନ୍ୟାୟସୂତ୍ର ନିଜ ରାଜ୍ୟରେ ପ୍ରଚଳନ କରାଇଲେ ।

                ସେ ଧର୍ମପାଳ ଦିନେ ତାଙ୍କ ପାତ୍ର ମନ୍ତ୍ରୀ ଧରି ଦରବାରରେ ଥିଲେ; ବଡବଡ କଥା ଉପରେ ଆଲୋଚନା ଚାଲିଥିଲା । ଏହି ସମୟରେ ଗୋଟିଏ କଳାନାଗ ବାଟଭୁଲି ଦରବାର ମଧ୍ୟକୁ ପଶି ଆସିଲା । ସେହି ସାପକୁ ଦେଖି ଭୟରେ କେହିକେହି ଚିତ୍କାର କଲେ । ଆଉ କେହି କେହି ତରବାରୀ ନେଇ ତାକୁ ମାରିବାକୁ ଦୌଡିଲେ । ରାଜକୁମାର ତ ତାଙ୍କ ପିତାଙ୍କ ପାଖ ଆସନରେ ବସିଥିଲେ । ସେ ହଠାତ୍ ଉଠିପଡି ନାଗକୁ ନିଜ ତରବାରୀରେ ହାଣି ଦୁଇଖଣ୍ଡ କରିଦେଲେ । କିନ୍ତୁ ସେ ନାଗର ଶିର ଥିବା ପଟଟି କୌଣସିମତେ ଘୁଷୁରି ଘୁଷୁରି ଯାଇ ନିଜ ଗାତ ଭିତରେ ପଶିଗଲା ।

                ନାଗର ପତ୍ନୀ ନାଗୁଣୀ ନିଜ ସ୍ୱାମୀର ଏ ପ୍ରକାର ଅବସ୍ଥା ଦେଖି ଖାଲି ବିଳାପ କରିବାକୁ ଲାଗିଲା । ସେତେବେଳେ ନାଗ କହିଲା ଯେ “ମୁଁ ରାସ୍ତାଭୁଲି ଦରବାରକୁ ଗଲି ଓ ରାଜକୁମାର ମୋର ଏପରି ଅବସ୍ଥା କରିଦେଲେ । ତେଣୁ ତୁ ଯାଇ ରାଜାଙ୍କୁ ତାଙ୍କ ରାଜ୍ୟର ନିୟମ କଥା ଟିକେ ମନେ ପକାଇ ଦେବୁ ଓ ତା’ପରେ ଯାଇ ସେ ରାଜକୁମାରଙ୍କୁ ମାରି ପାରିବୁ । କିନ୍ତୁ ଗୋଟେ କଥା ମନେ ରଖିବୁ ଯେ ସେ ରାଜା କ’ଣ ନ୍ୟାୟ ଦେଉଛନ୍ତି ସେତେ ପର୍ଯ୍ୟନ୍ତ ତୁ ଅପେକ୍ଷା କରିବୁ । କିନ୍ତୁ ହଠାତ୍ ରାଗିଯାଇ ରାଜକୁମାରଙ୍କର କୌଣସିପ୍ରକାରେ କ୍ଷତି ତୁ ମୋଟେ କରିବୁନାହିଁ ।” ଏତିକି କଥା କହି ସେ ନାଗ ସେହିକ୍ଷଣି ମରିଗଲା ।

                ସେଦିନ ରାତିରେ ନାଗୁଣି ରାଜାଙ୍କ ନଅରରେ ପହଁଚି ରାଜକୁମାରଙ୍କ ଶୟନ କକ୍ଷକୁ ଗଲା । ଗଭୀର ନିଦରେ ଶୋଇଥିବା ରାଜକୁମାରଙ୍କ ଗଳାରେ ଯାଇ ଗୁଡେଇ ହୋଇଗଲା । ରାଜକୁମାରଙ୍କର ନିଦ ଭାଙ୍ଗିଗଲା ଓ ସେ ଚିତ୍କାର କଲେ । ଦାସ ଦାସୀ ଗଦା ହୋଇ ପଡିଲେ । କିନ୍ତୁ କ’ଣ କରାଯିବ ବୋଲି କେହି କିଛି ବି କହିପାରିଲେ ନାହିଁ । ସେତେବେଳେ ସେ ନାଗୁଣୀ ମଣିଷ କଣ୍ଠରେ କହିଲା, “ପ୍ରଥମେ ରାଜାଙ୍କୁ ଏଠାକୁ ଡାକ । ତା’ପରେ ସେ ନ୍ୟାୟ ଦେବେ । କିନ୍ତୁ ତୁମ ମଧ୍ୟରୁ କେହି ମୋତେ ମାରିବାକୁ ଚାହିଁଲେ, ମୁଁ ଏହିକ୍ଷଣି ତୁମ ରାଜକୁମାରଙ୍କୁ ଦଂଶି ପକାଇବି ।”

                ଠିକ୍ ସେତେବେଳକୁ ରାଜା ସେଠି ଆସି ପହଁଚିଲେ । ସେ ନାଗୁଣୀ ନିଜ ସ୍ୱାମୀର ମୃତ୍ୟୁ ବିଷୟରେ ସବୁକଥା ଖୋଲିକି କହିଲା । ସେ କହିଲା, “ମୋର ସ୍ୱାମୀ, କେବେବି କାହାର କୌଣସି ପ୍ରକାରେ କ୍ଷତି କରି ନାହାଁନ୍ତି । ରାସ୍ତା ଭୁଲି ହଠାତ୍ ଦରବାରକୁ ପଶି ଆସିଲେ ତାଙ୍କ ହୃଦୟରେ କୌଣସି କୁପ୍ରବୃତ୍ତି ନଥିଲା । ସେ ନିରପରାଧି । ଅଜାଣତରେ ପଶି ଆସିଲେ । ଏଇ ଛୋଟ କଥା ମାତ୍ର; ଆଉ ରାଜକୁମାର ତାକୁ ମାରି ପକାଇଲେ? ମୋ ପ୍ରତି ବଡ ଅନ୍ୟାୟ କରାଯାଇଛି । ସେ ମୋତେ ବିଧବା ବନାଇ ଦେଲେ । ଏହି ରାଜ୍ୟରେ ପ୍ରଚଳିତ ନ୍ୟାୟସୂତ୍ର ଅନୁସାରେ, ମୁଁ ରାଜକୁମାରଙ୍କୁ ମାରି ପାରିବି ଓ ତାଙ୍କ ପତ୍ନୀକୁ ବିଧବା ବନାଇବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ