ଏକଥା ଶୁଣି ସେ ରାଜା କହିଲେ ଅତିଥିଶାଳା ତ କେବଳ ପରିବ୍ରାଜକମାନଙ୍କ ପାଇଁ ହିଁ ହୋଇଛି । ଆପଣ ଖୁସିରେ ଦିନେ କାହିଁକି ଯେତେଦିନ ଚାହିଁବେ ସେତେଦିନ ରହିପାରିବେ ।
ରାଜାଙ୍କ ନିର୍ଦେଶରେ ପଦ୍ମନାଭକୁ ଅତିଥିଶାଳାରେ ରଖାଇ ଦିଆଗଲା । ତାଙ୍କ ଖାଇବା ପାଇଁ ବନ୍ଦୋବସ୍ତ କରି ଦିଆଗଲା । ରାଣୀ ଅତିଥିଙ୍କୁ ଦେଖି ଭାରି ଖୁସି ହେଲେ । ରାଜାଙ୍କୁ କହିଲେ ଏହି ଯୁବକ ଜଣକ କୌଣସି ଛଦ୍ମବେଶୀ ରାଜପୁତ୍ର । ତା ଚେହେରାରୁ ଏ କଥା ଜାଣିହେଉଛି । ରାଜପୁତ୍ର ନ ହୋଇଥିଲେ ତୁମ ସହିତ ସାହସ କରି କଥା ହୋଇଥା’ନ୍ତା କିପରି?
ରାଣୀଙ୍କ ମନ କଥା ଶୁଣି ସେ ରାଜାଙ୍କ ମନରେ ହଠାତ୍ କୌତୁହଳ ହେଲା, ତେଣୁ ସେ ମନ୍ତ୍ରୀଙ୍କୁ ଡକାଇ ତାଙ୍କ ମନ କଥା କହିଲେ । ମନ୍ତ୍ରୀ କହିଲେ, ସେ ଯଦି ରାଜପୁତ୍ର ହୋଇଥିବେ ତାକୁ ପଚାରିଲେ ସେ କେବେ କହିବ ନାହିଁ । ଅତିଥିଶାଳାରେ ଦିନେ ଦୁଇଦିନ ଅଟକାଇ ରଖିଲେ ମୁଁ ତାର ଲକ୍ଷଣ ଦେଖି ଜାଣି ଦେବି – ସେ ସାଧାରଣ ଯୁବକ ନା ରାଜପୁତ୍ର ।
ରାତିରେ ଅତିଥି ଶାଳା ଆଡେ ରାଜା ବୁଲିବାକୁ ଗଲେ ଏବଂ ପଦ୍ମନାଭକୁ କହିଲେ – ଯିଏ ମୋର ଅତିଥି ହୁଏ ସେ ଗୋଟିଏ ମାତ୍ର ରାତି ରହି ଚାଲିଯିବା ଠିକ୍ ନୁହେଁ । ତାକୁ ୩-୪ ଦିନ ରହିବାକୁ ପଡେ । ତେଣୁ ତୁମେ ଏଠାରେ ତିନି-ଚାରିଦିନ ରୁହ ।
ଏଣେ ପଦ୍ମନାଭ ଦେଖିଲା ତାକୁ ତ ସୁଯୋଗ ମିଳୁଛି ଛାଡିବ ବା କାହିଁକି? ତେଣୁ ସେ ସମ୍ମତି ଜଣାଇଲା । ଏଣେ ମନ୍ତ୍ରୀ ଜଣେ ଚାକରକୁ ନିର୍ଦେଶ ଦେଲେ ସେ ଅତିଥିଶାଳା କବାଟ ପାଖରେ କାନ ଡେରି ଶୁଣିବ, ଅତିଥି ଭଲରେ ନିଦ ଯାଉଛନ୍ତି କି ନାହିଁ । ପଦ୍ମନାଭ ପାଇଁ ସେ ସାଧାରଣ ବିଛଣା ପକାଇ ଦେଲେ । ରାତିରେ ପଦ୍ମନାଭ ନିଜର ଜାମା ଖୋଲିଲା ବେଳକୁ ଭଜା ସୋଲାଗୁଡିକ ଗଳି ପଡିଲା । ଏତକ ସେ ରାସ୍ତାରୁ ସଂଗ୍ରହ କରିଥିଲା ରାତିରେ ଖାଇବ ବୋଲି । ସୋଲା ବୁଣି ହୋଇ ପଡିଯିବା ଦେଖି ପଦ୍ମନାଭ ବସିପଡି ସେଗୁଡିକୁ ଗୋଟାଇବାକୁ ଲାଗିଲା । ସେ ସୋଲାତକ ଗୋଟାଇବାକୁ ଅନେକ ସମୟ ଲାଗିଲା । ସେ ଖାଲି ଘର ଭିତରେ ଏପାଖ ସେପାଖ ହେଉଥାଏ । ନୂଆଜାଗା ବୋଲି ତାକୁ ଆଦୌ ନିଦ ଆସୁନଥାଏ । ରାତିରେ ବସି ରହି କରିବ କ’ଣ ସେ ଭଜା ସୋଲାରୁ ଗୋଟାଏ ଗୋଟାଏ ପାଟିରେ ପକାଉଥାଏ । ଭୋର ହୋଇଗଲା, କୁଆ କା କା କରି ଚାରିଆଡେ ବୁଲିଲେ । ଯେଉଁ ଚାକରଟି କବାଟ ପାଖରେ କାନଡେରି ବସିଥିଲା ସେ ମନ୍ତ୍ରୀଙ୍କୁ କହିଲା ଅତିଥି ରାତିସାରା ଶୋଇନାହାଁନ୍ତି ।
ତାଙ୍କର କଥାଶୁଣି ମନ୍ତ୍ରୀଙ୍କ ମୁହଁରେ ହସ ଫୁଟି ଉଠିଲା । ସେ ସକାଳେ ଅତିଥିକୁ ଚୁଡା ଚକଟା ଖାଇବାକୁ ଦେବା ପାଇଁ ପୂଜାରୀକୁ ନିର୍ଦେଶ ଦେଲେ । ମନ୍ତ୍ରୀଙ୍କ ଆଦେଶ ଅନୁସାରେ ଅଧକଂସାଏ ଚୁଡା ଚକଟା ପୂଜାରୀ ଆଣି ଅତିଥିଙ୍କୁ ଦେଇଗଲା । ରାତି ସାରା ସୋଲାଭଜା ଖାଇଥିବାରୁ ପଦ୍ମନାଭର ତ ପେଟ ପୂରି ଯାଇଥିଲା । ତେଣୁ ଆଉ କିଛି ଖାଇବାକୁ ତାର ମୋଟେ ଆଗ୍ରହ ନଥିଲା । ତେଣୁ ସେ ଚୁଡା ଚକଟା ଖାଇଲା ନାହିଁ ।
ଯେତେବେଳେ ମନ୍ତ୍ରୀ ଖବର ପାଇଲେ ଯେ, ଅତିଥି ଜଳଖିଆ ଖାଇଲେ ନାହିଁ ସେତେବେଳେ ତାଙ୍କର ଖୁସିର ସୀମା ଆଉ ରହିଲା ନାହିଁ । ସେ ଯାଇ ରାଜାଙ୍କୁ ଦେଖାକଲେ ଓ କହିଲେ ମହାରାଜ ରାଣୀଙ୍କ ଅନୁମାନ ନିର୍ଭୁଲ । ଅତିଥି ସାଧାରଣ ଘରର ଯୁବକ ନୁହେଁ । ଗତ କାଲି ଯେଉଁ ବିଛଣା ଅତିଥିଙ୍କ ପାଇଁ ଦିଆଯାଇଥିଲା ସେଥିରେ ସାଧାରଣ ଲୋକ ଆରାମରେ ଶୋଇଥା’ନ୍ତା । କିନ୍ତୁ ଯୁବକ ଅତ୍ୟନ୍ତ କୋମଳ ଶେଯରେ ଶୋଇବାରେ ଅଭ୍ୟସ୍ତ ଥିବା ହେତୁ ସାରାରାତି ସେ ଆଦୌ ଶୋଇ ନାହିଁ । ପୁଣି ସକାଳେ ଯେଉଁ ଜଳଖିଆ ଦିଆଗଲା ତାହା ସାଧାରଣ ଲୋକର ଆହାର ହୋଇଥିବା ହେତୁ ସେ ତାକୁ ମଧ୍ୟ ଖାଇଲା ନାହିଁ ।