ଦସ୍ୟୁ ରାଜକୁମାର

ପର୍ବତମାଳାର ପାଦଦେଶରେ ଅବସ୍ଥିତ ଶାନ୍ତିପୁର ନଗରୀର ନାମ ଯେପରି, ସେଠାକାର ବାତାବରଣ ମଧ୍ୟ ଠିକ୍ ସେହିପରି–ଶାନ୍ତିମୟ । ପ୍ରାୟ ଶହେବର୍ଷ ଧରି ଏହା ସୁମେଧ ରାଜ୍ୟର ରାଜଧାନୀ ହୋଇ ରହିଥିଲା । ଅତୀତର ରାଜାମାନେ ଯେପରି ଉଦ୍ୟାନ, ଜଳାଶୟ, ମନ୍ଦିର, ଅତିଥିଭବନ ଇତ୍ୟାଦି ନିର୍ମାଣ କରି ଶାନ୍ତିପୁରର ମହତ୍ତ୍ୱ ବଢାଇଥିଲେ, ବର୍ତ୍ତମାନର ରାଜା ଶାନ୍ତିଦେବ ମଧ୍ୟ ଠିକ୍ ସେହିପରି ପ୍ରଜାମାନଙ୍କର କିପରି ସମୃଦ୍ଧି ହେବ, ରାଜ୍ୟବ୍ୟାପି ସମସ୍ତେ କିପରି ସୁଖଶାନ୍ତିରେ ରହିବେ, ସେହି ଦିଗରେ ମନୋନିବେଶ କରୁଥିଲେ ।

ଦିନେ ସେନାପତି ବୀରସିଂହ ରାଜାଙ୍କୁ କହିଲେ “ମହାରାଜ, ସମୃଦ୍ଧି ଆଣିବା ଦିଗରେ ଗୋଟିଏ ସହଜ ମାର୍ଗ ରହିଛି ।”

ରାଜା ପଚାରିଲେ “କ’ଣ ସେ ମାର୍ଗ?”

ବୀରସିଂହ ଉତ୍ତର ଦେଲେ “ଅନ୍ୟ ରାଜ୍ୟ ଜୟ କରିବା! ତା’ହେଲେ ସିନା ସେ ରାଜ୍ୟର ସବୁ ସମ୍ପଦ ଆମର ହୋଇଯିବ!” ତାଙ୍କ କଥାରେ ରାଜା ଖାଲି ହସିଦେଲେ ।

କିନ୍ତୁ ବୀରସିଂହ ବାରମ୍ବାର ସେହି ଏକା କଥା କହିବାରୁ ରାଜା ତାକୁ ଥରେ ବୁଝାଇଲେ, “ବୀର! ଅନ୍ୟ ରାଜ୍ୟକୁ ଲୁଣ୍ଠନ କରି ଆମେ ଯେଉଁ ସମ୍ପଦ ଆଣିବା, ସେଥିରେ ଆମ ସମୃଦ୍ଧି କେବେବି ସ୍ଥାୟୀ ହେବ ନାହିଁ । ସହଜ ସମ୍ପଦ ପାଇଲେ ଆମ ଲୋକେ ଅଳସୁଆ ହୋଇଯିବେ । ପରଦେଶରୁ ଆସିଥିବା ସମ୍ପଦତକ ସରିଗଲେ ପୁଣି ଅନ୍ୟ ରାଜ୍ୟ ଦଖଲ କରିବାକୁ ଆମର ମନ ହେବ । ଆମେ ସବୁବେଳେ ଯେ ବିଜୟୀ ହେବା, ଏ ଆଶା କେବଳ ବିଡମ୍ବନା ମାତ୍ର । ଆମେ ପରାଜିତ ହେଲେ ଆମ ସମ୍ପଦ ଲୁଣ୍ଠିତ ହେବ, ଧର ଆମର ଜୟ ହେଲା । କିନ୍ତୁ ଯିଏ ପରାଜିତ ହେବ, ସିଏ କେବେ ଆମ ଉପରେ ପ୍ରତିଶୋଧ ନେଇପାରିବ, ସେହି ଦିନକୁ ଅନାଇ ରହିବ । ଆମେ ଶାନ୍ତିରେ ରହିପାରିବା ନାହିଁ ।”

ବୀରସିଂହ ଦିନେ ପଚାରିଲେ “ଆମେ ଯଦି ରାଜ୍ୟ ଜୟ କରିବାକୁ ନ ଯିବା, ତେବେ ଏତେ ସୈନ୍ୟବାହିନୀ ଥାଇ ଲାଭ କ’ଣ?”

ରାଜା ଶାନ୍ତିଦେବ କହିଲେ “ଆଉ କେହି ଆମକୁ ଆକ୍ରମଣ କଲେ ଆମକୁ ତ ପୁଣି ଆମ ରାଜ୍ୟ ରକ୍ଷା କରିବାକୁ ହେବ! କିନ୍ତୁ ମୋର ସ୍ୱପ୍ନ ହେଲା, ଏପରି ଦିନ ଆସିବ, ଯେତେବେଳେ କୌଣସି ରାଜ୍ୟରେ ସୈନ୍ୟଦଳ ରହିବାର କୌଣସି ଆବଶ୍ୟକତା ନଥିବ । ଯୁଦ୍ଧ ବିଗ୍ରହରେ କେତେ ଜନବଳ, ଅର୍ଥବଳ ନଷ୍ଟ ହୁଏ, ସେକଥା ସବୁ ରାଜା ହୃଦୟଙ୍ଗମ କରିବେ । ସେହି ଜନବଳ ଓ ଅର୍ଥବଳରେ ପ୍ରତ୍ୟେକେ ନିଜ ନିଜ ରାଜ୍ୟର କେତେ ଉନ୍ନତି କରିପାରନ୍ତେ!”

ବୀରସିଂହ କହିଲେ “ମହାରାଜ! ଆପଣ ଜଣେ କଳ୍ପନାବିଳାସୀ, ସ୍ୱପ୍ନଚାରୀ ।” ବୀରସିଂହ ରାଜାଙ୍କର କକାପୁଅ ଭାଇ । ପିଲାବେଳେ ସେ ଦୁହେଁ ଏକ ସାଙ୍ଗରେ ଖେଳୁଥିଲେ, ପଢୁଥିଲେ । ସେହି ସାହସରେ ବୀରସିଂହ ରାଜାଙ୍କୁ ତାଙ୍କ ଚିନ୍ତା ରୋକ୍ଠୋକ୍ ଶୁଣାଇ ଦେଉଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ