କୃଷ୍ଣାବତାର

ଶ୍ରୀକୃଷ୍ଣଙ୍କ କାର୍ଯ୍ୟକଳାପରେ ଗୋକୁଳର ଲୋକେ ଯେତିକି ପୁଲକିତ ହେଉଥାନ୍ତି, ତେଣେ ମଥୁରାର ରାଜା କଂସ ସେତିକି ବିସ୍ମିତ ଓ ଭୟଭୀତ ହେଉଥାଏ । କିଏ ଏହି ବାଳକ? ସେ ଏଭଳି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସବୁ କିପରି କରି ପାରୁଛି? ଦିନେ କ’ଣ ସେ ବାଳକଟି ସତରେ ବଳରେ, ବୁଦ୍ଧିରେ ତାକୁ ବଳିଯିବ? ସେ ଯେ ଜଗତରେ ନିଜକୁ ସବୁଠାରୁ ବଳି ପରାକ୍ରମୀ ବୋଲି ଜାହିର୍ କରୁଥିଲା, ତା’ର ସେ ଗର୍ବ କ’ଣ ଗୋଟାଏ ସାମାନ୍ୟ ବାଳକ ଖର୍ବ କରିବ ଏବଂ ତାକୁ ସେ ଅବସ୍ଥା ସହ୍ୟ କରିବାକୁ ହେବ? ଏଭଳି ପରିସ୍ଥିତି କିପରି ସମ୍ଭବପର ହେଲା?

                “ଆଚ୍ଛା, ସେ ପିଲାଟି ଗୋବର୍ଦ୍ଧନ ପାହାଡକୁ ଟେକି ଧରିଥିବା କଥା କ’ଣ ସତ୍ୟ? ସେ ଦୃଶ୍ୟ କିଏ ଦେଖିଛି?” କଂସ ବାରମ୍ବାର ଏ ପ୍ରଶ୍ନ ପଚାରୁଥାଏ । ମଥୁରାର ଯେଉଁ ଜଣେ ଦୁଇଜଣ ଲୋକ ସେ ଦୃଶ୍ୟ ଦେଖିଥିଲେ, କଂସ ସେମାନଙ୍କୁ ବାରମ୍ବାର ଖାଲି ଜେରା କରୁଥାଏ । ସେମାନେ ତାହା ସତ୍ୟ ବୋଲି କହିଲେ କଂସ ରାଗିଯାଇ କହୁଥାଏ, “ତମେ ସବୁ ମୂର୍ଖ ଗୁଡାକ । ତମକୁ କେହି ଯାଦୁ କରି ଦେଇଥିଲା । ସେଥିଯୋଗୁଁ ତମେମାନେ ଏଭଳି ଉଦ୍ଭଟ କଥା ସବୁ କହୁଛ ।”

                “ହୋଇପାରେ, ମହାରାଜ!” କଂସର କ୍ରୋଧରୁ ରକ୍ଷା ପାଇବା ପାଇଁ ସେମାନେ ନିଜର ମତିଭ୍ରମ ହୋଇଥାଇପାରେ ବୋଲି ସ୍ୱୀକାର କରୁଥିଲେ ।

                କଂସ ଅଟ୍ଟହାସ୍ୟ କରି ସେମାନଙ୍କୁ ବିଦାୟ ଦେଉଥିଲା । କିନ୍ତୁ ପରେ ପୁଣି ସେମାନଙ୍କୁ ଡକାଇ ସେ ସେହି ଏକା ପ୍ରଶ୍ନ କରୁଥିଲା । ସେମାନେ ପୁଣି ପ୍ରଥମେ ଗୋଟାଏ କଥା କହି ପରେ ପୁଣି ଭିନ୍ନ କଥା କହୁଥିଲେ ।

                କଂସର ପ୍ରରୋଚନାରେ ଦିନେ ଅରିଷ୍ଟ ନାମକ ରାକ୍ଷସ ଲୁଚି ଲୁଚି ସନ୍ଧ୍ୟାବେଳେ ଗୋକୂଳରେ ଯାଇ ପହଁଚିଲା । ଯମୁନା ନଦୀରେ ସେତେବେଳେ ଗୋପୀମାନେ ସ୍ନାନ କରି ନିଶ୍ଚିନ୍ତ ଭାବରେ ଜନପଦ ଆଡକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଅରିଷ୍ଟ ହଠାତ୍ ଗୋଟାଏ ଭୀଷଣାକୃତି ଷଣ୍ଢର ରୂପ ନେଇ ସେମାନଙ୍କ ଆଡକୁ ମାଡିଗଲା । ସେମାନେ କ’ଣ କରିବେ କିଛି ଭାବି ପାରିଲେ ନାହିଁ । ଆତଙ୍କିତ ହୋଇ କେତେଜଣ ଚିତ୍କାର କରି ଉଠିଲେ ।

ଅରିଷ୍ଟ ସେମାନଙ୍କର ସେ ଭୟ ଦେଖି ଖୁବ୍ ଆନନ୍ଦରେ କୁଦିବାକୁ ଲାଗିଲା । ଗୋପୀମାନେ ନା ଆଗକୁ ଯାଇ ପାରୁଥାନ୍ତି, ନା ପଛକୁ ଯାଇ ପାରୁଥାନ୍ତି । ସେମାନେ ପଛକୁ ଦୌଡିଲେ କାଳେ ଷଣ୍ଢ ସେମାନଙ୍କୁ ଅନୁଧାବନ କରିବ, ଏହି ଭୟ ଥାଏ ।

ଷଣ୍ଢ ସେଠି ନାଚି କୁଦି ଗୋଟାଏ ପ୍ରକାଣ୍ଡ ଗାତ କରିପକାଇଲା । ତା’ପରେ କିଛି ସମୟ ନୀରବରେ ସେମାନଙ୍କୁ ସେ ଅନାଇ ସେମାନଙ୍କ ଆଡକୁ ତୀବ୍ର ଗତିରେ ମାଡିଯିବାକୁ ଉଦ୍ୟତ ହେଲା ।

ହଠାତ୍ ଶ୍ରୀକୃଷ୍ଣ ସେଠାରେ ଆସି ପହଁଚିଗଲେ । ସେ ଗୋପୀମାନଙ୍କୁ ନିର୍ଭୟରେ ନିଶ୍ଚଳ ରହିବାକୁ ନିର୍ଦ୍ଧେଶ ଦେଇ ସେ ଷଣ୍ଢର ବାଟ ଓଗାଳି ଠିଆ ହେଲେ । ଷଣ୍ଢ ଯେମିତି ତାଙ୍କ ଆଡକୁ ଝପଟି ଆସିଛି, ସେ ସେମିତି ତା’ ଶିଙ୍ଗ ଦୁଇଟିକୁ ଧରିନେଲେ । ଷଣ୍ଢ ଯେତେ ଛାଟିପିଟି ହେଲେ ବି ତାଙ୍କ କବଳରୁ ସେ ଆଉ ମୁକୁଳି ପାରିଲା ନାହିଁ । ଶ୍ରୀକୃଷ୍ଣ ତାକୁ ଠେଲି ଠେଲି ଦୂରକୁ ନେଇଗଲେ ଓ ପ୍ରବଳ ବେଗରେ ଗୋଟିଏ ଖାଲ ଭିତରକୁ ଠେଲି ଦେଲେ । ତଳକୁ ପଡିବା ବେଳକୁ ସେ ଆଉ ଷଣ୍ଢ ହୋଇ ରହିଲା ନାହିଁ; ତା’ର ଅସଲ ରାକ୍ଷସ ରୂପ ସେ ଫେରି ପାଇଲା । ଭୀଷଣ ଚିତ୍କାର କରି ଖାଲ ଭିତରେ ପଡି ସେ ପଂଚତ୍ୱ ପ୍ରାପ୍ତ କଲା ।

ଗୋକୁଳରେ ଏହି ଖବର ଯାଇ ପହଁଚିଲା । ନନ୍ଦ ଓ ଅନ୍ୟମାନେ ଆସି ତାକୁ ଦେଖିଲେ ଓ ଚିହ୍ନିଲେ । “ଅରିଷ୍ଟ କାହିଁକି ହଠାତ୍ ଆମ ନାରୀମାନଙ୍କ ଉପରେ ଷଣ୍ଢ ରୂପ ଧରି ଆକ୍ରମଣ କରିବାକୁ ଆସିଲା? ତା’ର ଉଦ୍ଧେଶ୍ୟ କ’ଣ ହୋଇପାରେ? ଏ ସବୁ ପ୍ରଶ୍ନ ଉପରେ ସେମାନେ ଯେତେ ଚର୍ଚ୍ଚା କଲେବି ଏହାର କୌଣସି ସନ୍ତୋଷଜନକ ସମାଧାନ ସେମାନେ ପାଇଲେ ନାହିଁ । କଂସ ଯେ ସେ ଦୁଷ୍ଟ ରାକ୍ଷସକୁ ପଠାଇଥାଇପାରେ – ତାହା ପୁଣି କୃଷ୍ଣଙ୍କୁ ମାରିବା ପାଇଁ, ଏକଥା ସେମାନଙ୍କ ମୁଣ୍ଡକୁ ବା କିପରି ଆସନ୍ତା? ଯାହାହେଉ, ଅରିଷ୍ଟ ମରିଥିବାରୁ ସେମାନେ ବହୁତ ଖୁସି ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ