ବଚନର ମୂଲ୍ୟ

ପୁରୁଣା ଦିନର କଥା – ତୁର୍କୀରେ ହମିଦ୍ ନାମକ ଏକ ବ୍ୟବସାୟୀ ରହୁଥିଲେ । ତାଙ୍କ ପାଖରେ ଏକ ଦାମୀ ଘୋଡା ଥିଲା । ନିଜେ ବୁଢା ହେବାରୁ ସେ ସେହି ଘୋଡାଟିକୁ ତିନିଶହ ଦିନାରରେ ବିକ୍ରି କରିବାକୁ ଚାହିଁଲେ । କିନ୍ତୁ ଏତେ ଦାମ୍ରେ କେହି କିଣିବାକୁ ରାଜି ହେଲେ ନାହିଁ ।

                ଦିନେ ଅଜିଜ୍ ନାମକ ଜଣେ ଯୁବକ ଆସି ତାଙ୍କୁ କହିଲା, “ମହାଶୟ, ଏକ ଖାନ୍ଦାନ୍ ପରିବାରରେ ମୋର ଜନ୍ମ । କିନ୍ତୁ ମୁଁ ଏବେ କାଙ୍ଗାଳ କହିଲେ ଚଳେ । ଆପଣଙ୍କ ଘୋଡା ମୋତେ ଭାରି ଭଲ ଲାଗୁଛି; କିନ୍ତୁ ମୁଁ ଏତେ ଦାମ୍ ଆଦୌ ଦେଇପାରିବି ନାହିଁ । ଯଦି ଆପଣ ଏ ଘୋଡା ମୋତେ ଦେଇ ଦେବେ, ମୁଁ ଦୂର ଦେଶକୁ ଯାଇ ଯାହା କିଛି ରୋଜଗାର କରିବି ବର୍ଷକର ପଇସା ସବୁ ଆପଣଙ୍କର । ଠିକ୍ ବର୍ଷକ ପୂର୍ବରୁ ମୁଁ ଫେରି ଆସିବି ।” ହମିଦ୍ କିଛି ସମୟ ପର୍ଯ୍ୟନ୍ତ ଚିନ୍ତା କରି କହିଲେ, “ତୁମ କଥା ଉପରେ ମୁଁ ବିଶ୍ୱାସ ରଖୁଛି; ଘୋଡାଟି ତୁମେ ନେଇ ଯାଇ ପାର ।”

                ଘୋଡାଟି ପାଇ ଅଜିଜ୍ ଅତ୍ୟନ୍ତ ଆନନ୍ଦିତ ହେଲେ । ତା’ପରେ ହମିଦ୍ଙ୍କୁ ସମ୍ମାନ ଜଣାଇ ଘୋଡା ଛୁଟାଇ ସେଠାରୁ ସେ ଚାଲିଗଲେ । କିଛିଦିନ ପରେ ସେ ଏକ ସହରରେ ଯାଇ ପହଁଚିଲେ । ସେଠାରେ ସେ ପ୍ରତିଦିନ ନବାବଙ୍କ ଦୁର୍ଗର ପାଖ ରାସ୍ତାରେ ଘୋଡା ଛୁଟାଇ ଚାଲିଯାନ୍ତି । ନବାବ୍ ରାଜମହଲର ଛାତରୁ ଏ ଦୃଶ୍ୟ ଦେଖି ଭାବିଲେ, “ହାୟ, ଏ ଘୋଡା ମୋର ହୋଇଥା’ନ୍ତା କି?”

ଅଜିଜ୍ ଏକ ଅତିଥିଶାଳାରେ ରହିଥା’ନ୍ତି । ନବାବ ତାଙ୍କୁ ଡକାଇ ପଠାଇଲେ ଓ ପଚାରିଲେ ଯେ ସେ ଏହି ଘୋଡାକୁ କେତେ ଦାମ୍ରେ ବିକ୍ରି କରିବେ ।

ଅଜିଜ୍ଙ୍କର ଘୋଡାଟିକୁ ବିକ୍ରି କରିବାକୁ ଇଚ୍ଛା ନଥାଏ, ତଥାପି ନବାବ ପଚାରୁଛନ୍ତି ଯେତେବେଳେ ମନେ ମନେ ଦାମ୍ଟି ବଢାଇ ଦେଇ ସେ କହିଲେ, “ହଜୁର, ଏପରି ମୂଲ୍ୟବାନ୍ ଘୋଡାର ଦାମ୍ ନିତାନ୍ତ କମ୍ରେ ନଅଶହ ଦିନାର ହେବ ।”

ନବାବ ବୁଝିପାରିଲେ ଯେ ମୂଲ୍ୟ ଟିକିଏ ବେଶି ହୋଇଯାଉଛି । ତଥାପି ମଧ୍ୟ ଏତେ ସୁନ୍ଦର ଘୋଡାକୁ ହାତଛଡା କରିବାକୁ ସେ ଚାହୁଁନଥିଲେ । ତେଣୁ ସେ କହିଲେ, “ତମେ ତ ବହୁତ ଦାମ୍ କହୁଛ । ମୋତେ ଟିକେ ଭାବିବାକୁ ଦିଅ । କାଲି ପୁଣି ଥରେ ମୋ ପାଖକୁ ଆସ ଯାହା ଗୋଟେ କିଛି ଭାବିଚିନ୍ତି ସ୍ଥିର କରିବା ।”

ଅଜିଜ୍ ଫେରିଯିବା ପରେ ନବାବ ତାଙ୍କ ଉଜୀରମାନଙ୍କୁ ଡକାଇ କହିଲେ ଘୋଡାର ଦାମ୍ କିପରି କମ୍ କରାଯିବ ତା’ର ଉପାୟ କରିବାକୁ । ସମସ୍ତେ ନିଜନିଜର ବୁଦ୍ଧି ଖର୍ଚ୍ଚ କରି ନବାବଙ୍କୁ ଉପାୟ କହିଲେ, ହେଲେ ନବାବଙ୍କୁ କୌଣସିଟା ପସନ୍ଦ ହେଲା ନାହିଁ । ତା’ପରେ ମୁଖ୍ୟ ଉଜୀର କହିଲେ, “ଆପଣ, ଖାଲି ବ୍ୟସ୍ତ ହେଉଛନ୍ତି । କାଲି ସେ ଯୁବକ ଏଠାକୁ ଆସିବାବେଳେ ଆପଣ ଘୋଡାର ମୂଲ୍ୟ ନିର୍ଦ୍ଧାରଣ କରିବାକୁ ଶାହାଜାଦୀଙ୍କୁ ଡାକିବେ, ଦେଖିବା ସେ କିପରି ମୂଲ୍ୟ କମ୍ କରିବ ନାହିଁ । ଯଦି ବା ନ କରେ ତେବେ ସେ ଆମଠାରୁ ଅନୁମତି ନନେଇ ଏ ସହର ଛାଡି କିମିତି ବା ଯିବ?”

ମୁଖ୍ୟ ଉଜୀରଙ୍କ ପ୍ରସ୍ତାବ ନବାବଙ୍କର ପସନ୍ଦ ହେଲା । ପରଦିନ ସେ ପରିଚାରିକାମାନଙ୍କୁ କହିଲେ, ଶାହାଜାଦୀଙ୍କୁ ଉଦ୍ୟାନକୁ ନେଇଯିବେ । ଅଜିଜକୁ ମଧ୍ୟ ସେଠାକୁ ନିଆ ହେବ, ଆଉ ନବାବ ନିଜେ ଯାଇ କଥାବାର୍ତ୍ତା କରିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ