ସନ୍ଦେହ

ବହୁବର୍ଷ ପୂର୍ବର କଥା । ବିନ୍ଧ୍ୟପର୍ବତ ଅଂଚଳରେ ଜଣେ ମୁନି ସର୍ବଦା ତପସ୍ୟାରତ ଥା’ନ୍ତି । ଲୋକମାନେ ଏକଥା ଜାଣିବା ମାତ୍ରେ ସେଠାକୁ ଯିବା ଆସିବା କରନ୍ତି, ନିଜର ଦୁଃଖ କଷ୍ଟ ଶୁଣାନ୍ତି ଓ ଆଶୀର୍ବାଦ ଭିକ୍ଷା କରନ୍ତି । ମୁନି ମଧ୍ୟ ଯଥାସାଧ୍ୟ ଲୋକଙ୍କର ଦୁଃଖ ଦୂର କରିବାକୁ ଚେଷ୍ଟା କରନ୍ତି । ମୁନି ବଡ ଶାସ୍ତ୍ରଜ୍ଞ ଓ ଜ୍ଞାନୀ ଥିଲେ; ତେଣୁ ଲୋକମାନଙ୍କୁ ବହୁତ ତାତ୍ତ୍ୱିକ ବିଷୟରେ ସେ ବୁଝାନ୍ତି । କିନ୍ତୁ ନିତିଦିନର ଦୁଃଖକଷ୍ଟ ଦୂର କରିବା ପାଇଁ ତାହା ପର୍ଯ୍ୟାପ୍ତ ନଥିଲା । ମୁନିଙ୍କର ମଧ୍ୟ ସଂସାର ଜ୍ଞାନ ଆଦୌ ନଥିଲା ।

                ଥରେ ତାଙ୍କୁ ଦର୍ଶନ କରିବାକୁ ଆସୁଥିବା ଗ୍ରାମୀଣ ଲୋକ କହିଲା, “ମୁଁ ବହୁତ ପରିଶ୍ରମ କରେ, କ୍ଷେତବାଡି କାମ କରେ । କିନ୍ତୁ ଯାହା ଉପାର୍ଜନ କରେ ତାକୁ ଗ୍ରାମର ଧନୀ ଲୋକ ଲୁଟି ନେଇ ଯାଏ । ତେଣୁ ମୋର ପରିବାର ଚଳାଇବା ମଧ୍ୟ କଷ୍ଟକର ହୋଇ ପଡିଲାଣି ।”

                ଆଉ ଜଣେ ସ୍ତ୍ରୀଲୋକ ନିଜ ଦୁଃଖ ଶୁଣାଇ କହିଲା, “ଧର୍ମଶାସ୍ତ୍ରରେ ଲେଖା ହୋଇଛି ପତି ଦେବତା । ମୁଁ ତ ପତିଙ୍କୁ ସମ୍ମାନ ଦେଖାଏ, ଦେବତା ପରି ପୂଜା କରେ, କିନ୍ତୁ ସେ ଦିନେ ହେଲେ ମୋ ସହିତ ଖୁସିରେ କଥାବାର୍ତ୍ତା କରନ୍ତି ନାହିଁ । ମୋ ପିଲାମାନଙ୍କୁ ମଧ୍ୟ ଭଲ ବ୍ୟବହାର କରନ୍ତି ନାହିଁ । ଏହାଛଡା ଜଣେ ବାହାର ସ୍ତ୍ରୀ ଲୋକ ସହିତ ତାଙ୍କର ଖରାପ ସମ୍ପର୍କ ଥିବାରୁ ସମସ୍ତ ଧନ ସେଠାକୁ ନେଇ ଖର୍ଚ୍ଚ କରିଦେଉଛନ୍ତି । ମୁଁ ଯଦି କିଛି କହେ ତେବେ ମୋତେ ସେ ପିଟନ୍ତି । ଏପରି ସ୍ୱାମୀ ଦେବତାଙ୍କ ଦ୍ୱାରା ଅତ୍ୟାଚାରିତ ହୋଇ ମୁଁ ବା ଆଉ କେତେଦିନ ବଂଚିବି? ଏହାର କ’ଣ କୌଣସି ପ୍ରତିକାର ନାହିଁ?”

                ଏହିଭଳି ସବୁ ନାନା ଅଭିଯୋଗ, ଦୁଃଖକଷ୍ଟ ସବୁ ଶୁଣିବା ପରେ ତାଙ୍କ ମନରେ ଶାସ୍ତ୍ରଜ୍ଞାନ ପ୍ରତି ସନ୍ଦେହ ହେଲା । ସେ ଭାବିଲେ, “ଏସବୁ ତ ମୁଁ ଶାସ୍ତ୍ରରେ ପଢି ନାହିଁ । ଲୋକମାନଙ୍କ ଦୁର୍ଦ୍ଦଶାର କାହାଣୀ ଶାସ୍ତ୍ରଜ୍ଞାନଠାରୁ ଭିନ୍ନ । ମୋର ମନେ ହେଉଛି ଦିନକୁ ଦିନ ଧର୍ମ ନାଶ ହୋଇ ଯାଉଛି ଓ ଅଧର୍ମର ବିଜୟ ହେଉଛି । ଭଗବାନଙ୍କର ସ୍ୱର୍ଗ, ନରକ ବିଷୟ ସବୁ ମୋର ମିଥ୍ୟା ମନେ ହେଉଛି । ଯେପର୍ଯ୍ୟନ୍ତ ମୁଁ ଲୋକଙ୍କ ବିଷୟରେ ଜ୍ଞାନ ଅର୍ଜନ ନ କରିଛି ସେପର୍ଯ୍ୟନ୍ତ ମୁଁ ବା କିପରି ସେମାନଙ୍କର ସହାୟତା କରି ପାରିବି ।” ଏହିପରି ଭାବି ସେ ପାହାଡ ଗୁମ୍ଫା ଛାଡି ଲୋକାଳୟରେ ରହିବାକୁ ସ୍ଥିର କଲେ ।

                ମୁନି ଜୀବନର ସତ୍ୟ ଜାଣିବାକୁ ବାହାରି ପଡିଲେ; କିଛି ଦୂର ଯିବା ପରେ ସେ ଗୋଟିଏ ସୁନ୍ଦର ବାଳକକୁ ଦେଖିଲେ । ବାଳକଟି ମୁନିଙ୍କୁ ଚାହିଁ ହସିଲା । ତା’ପରେ ଦୁହେଁ କଥାବାର୍ତ୍ତା କରି ଜାଣିଲେ ଯେ ସେମାନେ ଏକହିଁ ସ୍ଥାନକୁ ଯାଉଛନ୍ତି । ଏକାଠି ବାଟ ଚାଲିଲେ । ମୁନି ତା’ସହିତ କଥା କହି ବଡ ଆନନ୍ଦିତ ହେଲେ । ସେମାନେ ଯାଇ ଏକ ଗ୍ରାମରେ ପହଁଚିଲେ । ଗ୍ରାମବାସୀ ସେମାନଙ୍କୁ ସ୍ୱାଗତ କରି ଏକ ସୁନ୍ଦର ଘରେ ନେଇ ରଖାଇଲେ । ସେହି ଘରର ମାଲିକ ସେମାନଙ୍କର ସତ୍କାର କଲେ । ବାଳକଟିକୁ ଦେଖି ମାଲିକ ବହୁତ ଖୁସି ହେଲେ ଓ ତାକୁ ଏକ ସୁନାର ପାତ୍ରରେ କ୍ଷିରୀ ଖୁଆଇଲେ । ରାତିରେ ସେ ଦୁହେଁ ସେଠାରେ ରହିଲେ । ରାତ୍ରି ଶେଷ ହେବାରୁ ସେମାନେ ପୁଣି ବାଟ ଚାଲିଲେ । ସେମାନେ ଚାଲି ଯିବା ପରେ ଏଣେ ଧନୀ ଲୋକ ଘରେ ସମସ୍ତେ କହିଲେ ସୁନାର ପାତ୍ର ଚୋରୀ ଯାଇଛି ।

                ସେହି ପାତ୍ରଟି ବାଳକଟି ହିଁ ନେଇଥିଲା । ସମସ୍ତେ ଖାଇବା ପିଇବାରେ ବ୍ୟସ୍ତ ଥିବା ବେଳେ ବାଳକଟି ପାତ୍ରଟିକୁ ଲୁଚାଇ ରଖିଥିଲା । ମୁନି ନିଜେ ସେକଥା ଦେଖିଥିଲେ ଏବଂ ବହୁତ ଦୁଃଖ କରିଥିଲେ କିନ୍ତୁ ସମସ୍ତିଙ୍କ ସାମନାରେ ସେ ତାକୁ ଏ ବିଷୟରେ କିଛିବି ପଚାରି ପାରି ନଥିଲେ ।

                ରାସ୍ତାରେ ମୁନି ଓ ବାଳକ ଯିବାବେଳେ ବହୁତ ବର୍ଷା ପଡିଲା । ସେମାନେ ପୁରା ଭିଜିଗଲେ । ତା’ପରେ ସେମାନେ ଦୂରରୁ କୌଣସି ଘରର ଆଲୋକ ଦେଖି ସେଠାକୁ ଗଲେ । ବାହାରୁ ସେମାନେ ଡାକି କହିଲେ, “ଭିତରେ କିଏ ଅଛ? ଆମେ ଭିଜି ଯାଇଛୁ । ବର୍ଷା ବନ୍ଦ ହେବା ପର୍ଯ୍ୟନ୍ତ ଆମେ ଏଠାରେ ରହିବୁ । ଆପଣଙ୍କର ବହୁତ ପୁଣ୍ୟ ହେବ ।”

                ଜଣେ ଚାକର ବାହାରକୁ ଆସିଲା ଓ ସେମାନଙ୍କୁ ଘରର ମାଲିକ ପାଖକୁ ନେଇଗଲା । ମାଲିକ ଚାକରକୁ ଗାଳିଦେଇ କହିଲେ “ଅଧରାତିରେ ପୁଣ୍ୟ ଲାଭ କରିବାକୁ କିଏ ତୋତେ କହିଲା? ତୋର ବୁଦ୍ଧି ଭ୍ରଂଶ ହେଲାଣି ନା କ’ଣ?” ଯାହାହେଉ ଘରେ ବଳିଥିବା ଖାଦ୍ୟ କିଛି ଚାକରଟି ଯୋଗାଡ କଲା ଓ ସେମାନଙ୍କୁ ଦେଲା । ମାଲିକ କହିଲେ, “ବର୍ଷା ବନ୍ଦହେବା ମାତ୍ରେ ସେମାନଙ୍କୁ ବାହାର କରିଦେବୁ । ଆଜିକାଲି କାହାକୁ ବିଶ୍ୱାସ କରି ହେବ ନାହିଁ ।”

                ଖାଇସାରିବା ପରେ ଚାକରକୁ ସେ ଦୁହେଁ କହିଲେ, “ତୁମେ ଆମକୁ ଖାଇବାକୁ ଦେଲ, ଏବେ ବର୍ଷା ଛାଡି ଆସିଲାଣି ଆମେ ଯାଉଛୁ ।” ଏତିକି କହି ସେମାନେ ବାହାରକୁ ଆସିଲେ, ବାହାରକୁ ଆସି ବାଳକଟି ଚୋରୀ କରିଥିବା ପାତ୍ରଟି ଚାକରକୁ ଦେଇ କହିଲା, “ଶୁଣ ଭାଇ, ତୁମେ ମାଲିକଙ୍କଠାରୁ ଗାଳିଖାଇ ମଧ୍ୟ ଆମକୁ ଅଧରାତିରେ ଆଶ୍ରୟ ଦେଲ, ଖୁଆଇଲ ମଧ୍ୟ । ଆମେ ସାରାଜୀବନ ତୁମ ପ୍ରତି ଋଣି ରହିଲୁ । ତୁମମାନଙ୍କ ପରି ଧର୍ମାତ୍ମାଙ୍କ ଯୋଗୁଁ ସଂସାର ଏବେ ମଧ୍ୟ ଭଲରେ ଚଳୁଛି । ଆମ ତରଫରୁ ଏହି ପାତ୍ରଟି ତୁମ ମାଲିକଙ୍କୁ ଦେବ ।” ବାଳକର ଏପରି ବ୍ୟବହାରରେ ମୁନି ଭୀଷଣ କ୍ରୋଧିତ ହେଲେ କିନ୍ତୁ କିଛି କହିପାରୁ ନଥିଲେ ।

                ବାଳକଟି କହିଲା, “ମୁନିବର, ଏସବୁ ଆପଣଙ୍କୁ ବିଚିତ୍ର ଲାଗୁଛି ନୁହେଁ? ହଁ ଏହା ଏକ ନାଟକ ଏବଂ ଆମେ ଦୁହେଁ ନାଟକର ଦୁଇ ଚରିତ୍ର ।”

ମୁନି କହିଲେ “ମୁଁ ତ ଭାବିଥିଲି ତୁମେ ଏକ ଉତ୍ତମ ବାଳକ । ଭାବିଥିଲି ତୁମ ସହିତ ରହିବା ଦ୍ୱାରା ମୋର ସନ୍ଦେହ ଦୂର ହୋଇଯିବ ।”

ବାଳକଟି କହିଲା, “ଆପଣଙ୍କ ସନ୍ଦେହ ଦୂର କରିବାକୁ ତ ମୁଁ ଆସିଛି । ଶୁଣନ୍ତୁ ପ୍ରଥମ ଧନୀଟି ନିଜର ଖ୍ୟାତି ପାଇଁ ସାରା ସମ୍ପତ୍ତି ଉଡେଇ ଦେଉଛି । ମୁଁ ତା’ର ଅତି ପ୍ରିୟ ସୁନାର ପାତ୍ରଟି ଆଣିବାରୁ ତା’ର ଆଖି ଖୋଲିଯିବ, ଏବେ ସଚେତନ ହେବ ।”

ମୁନି କହିଲେ “ଠିକ୍ ଅଛି । କିନ୍ତୁ ଏତେ ମୂଲ୍ୟବାନ୍ ଜିନିଷକୁ ଏକ ଅଯୋଗ୍ୟ ହାତରେ ଦାନ କରିବା ତ ଠିକ୍ ନୁହେଁ ।”

ବାଳକ କହିଲା, “ଆପଣ ଭ୍ରମରେ ଅଛନ୍ତି । ସେହି ଲୋକଟି କେବଳ ପଇସା ରୋଜଗାର କରି ଜାଣେ ହେଲେ ଖର୍ଚ୍ଚ କରି ଜାଣେନାହିଁ । ତାକୁ ସୁନାପାତ୍ରଟି ଦେବାରୁ ତା’ର ହୃଦୟରେ ପରିବର୍ତ୍ତନ ଆସିପାରେ । ସେ ବୁଝିବ ଏତିକି ଖାଦ୍ୟର ବିନିମୟରେ ଏତେ ବଡ ଜିନିଷ ମିଳିଛି, ଭଲ ଭାବରେ ଅତିଥି ସତ୍କାର କଲେ ଆଉ କ’ଣ ବା ନ ମିଳିବ । ପୁଣ୍ୟ କାର୍ଯ୍ୟ ପାଇଁ ତା’ର ଋଚି ଅଧିକ ହେବ । ସେ ଦାନର ମହତ୍ତ୍ୱ ଜାଣିଲେ ସବୁ ଦାନ କରିବ ।”

ମୁନି କହିଲେ “ଏବେ ମୋର ସମସ୍ତ ସନ୍ଦେହ ଦୂର ହେଲା ।” ବାଳକକୁ ଚାହିଁ ଦେଖିଲେ ସେ ଅଦୃଶ୍ୟ ହୋଇ ଯାଇଛି । ମୁନି ଏବେ ସବୁକିଛି ହୃଦୟଙ୍ଗମ କଲେ । ଭଗବାନଙ୍କ ଲୀଳା ନିଜ ଆଖିରେ ଦେଖି ତୃପ୍ତହୃଦୟ ନେଇ ସେ ପୁଣି ତାଙ୍କ ଗୁମ୍ଫାକୁ ଫେରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ