ଦୁଇ ବନ୍ଧୁ

ରାମୁ ଓ ହରି ପିଲାବେଳେ ଉଭୟେ ନିବିଡ ବନ୍ଧୁ ଥିଲେ । ଗାଁ ଚାଟଶାଳୀରେ ସେମାନଙ୍କ ପାଠ ପଢା ସରିବା ପରେ ହରି ବାରାଣସୀ ଯାଇ ସେଠାରେ ସେ ବହୁତ ପାଠ ପଢିଲା । ପଣ୍ଡିତ ହରିହର ଶାସ୍ତ୍ରୀ ନାମରେ କ୍ରମେ ସେ ବିଖ୍ୟାତ ହେଲା ।

                ରାମୁ ଗାଁରେ ରହିଥାଏ । ତା’ ବାପାର ଯେଉଁ ଖଣ୍ଡିଏ ଜମିଥାଏ, ସେଥିରେ ସେ ଚାଷବାସ କରି ଚଳୁଥାଏ ।

                ସେ ଦୁଇ ବନ୍ଧୁଙ୍କ ଭିତରେ କୌଣସି ସମ୍ପର୍କ ନଥାଏ । ଦେଖାସାକ୍ଷାତ ତ ବହୁତ ଦୂରର କଥା । ତେବେ ରାମୁ ବାରାଣସୀରୁ ଆସୁଥିବା ବାଟୋଇ ଓ ବଣିକମାନଙ୍କଠାରୁ ମଝିରେ ମଝିରେ ପଣ୍ଡିତ ହରିହର ଶାସ୍ତ୍ରୀଙ୍କ ଖ୍ୟାତି ଶୁଣିବାକୁ ପାଉଥାଏ । ସେଥିରେ ତା’ ଛାତି କୁଣ୍ଢେମୋଟ ହୋଇ ଯାଉଥାଏ ।

ଅନେକ ବର୍ଷ ପରେ ଦିନେ ପଣ୍ଡିତେ ଗାଁକୁ ଚାଲିଥାନ୍ତି । ହଠାତ୍ ଜଣେ ଲୋକ ଦୌଡି ଆସି ତାଙ୍କୁ ପ୍ରଣାମ କଲା । ପଣ୍ଡିତେ ତାକୁ ଚିହ୍ନି ପକାଇଲେ । ସେ ରାମୁ ।

ହରିହର ତାକୁ ଚିହ୍ନି ପାରିଛନ୍ତି ବୋଲି ବୁଝିପାରି ରାମୁର ଆନନ୍ଦ କହିଲେ ଆଉ ନ ସରେ । ସେ ଗଦ୍ଗଦ୍ କଣ୍ଠରେ କହିଲା, “ତୁମେ ମୋତେ ଏତେବର୍ଷ ପରେ ବି ଏତେ ସହଜରେ ଚିହ୍ନି ପାରିବ, ମୋର ଏ ଧାରଣା ନଥିଲା! ତମ ସ୍ମୃତିକୁ ଧନ୍ୟ ।”

ପଣ୍ଡିତେ ପଚାରିଲେ “ରାମୁ, ଆମେ ପରା ଖେଳସାଥି ଥିଲୁ! ଆମେ ପରା ବନ୍ଧୁ! ବନ୍ଧୁକୁ କ’ଣ କେବେ କେହି ପ୍ରଣାମ କରେ?”

ରାମୁ କହିଲା “ହରିହର! ମୁଁ ନିରକ୍ଷର ଚଷା । ଜମିରେ ସାଧାରଣ ଫସଲ ଉପୁଜାଉଛି । ହେଲେ ତମେ ମନ ଚାଷ କର; ଜ୍ଞାନର ଫସଲ ଉପୁଜାଅ । ତମକୁ ପ୍ରଣାମ କରିବି ନାହିଁ?”

ପଣ୍ଡିତ ହରିହର କହିଲେ “ରାମୁ! ଥରେ ଗୋଟିଏ ପଥର ପଙ୍କକୁ କହିଲା, ‘ହଇରେ ପଙ୍କ, ତୋତେ ଲୋକେ ଏତେ ଘୃଣା କରନ୍ତି ଯେ ଥରେ ତୋ ଭିତରେ ଗୋଡ ପଡିଲେ ସେମାନେ ଧୋଇ ହୁଅନ୍ତି । ହେଲେ ତୁ ମୋତେ ଦେଖ, ମୁଁ କେମିତି ଚକ୍ମକ୍ କରୁଛି । ମୋତେ କୋଠାବାଡି ଓ ମନ୍ଦିର ତିଆରିରେ ବ୍ୟବହାର କରାଯାଏ ।’ ଏହା ଶୁଣି ପଙ୍କ କହିଲା, ‘ଆରେ ବୁଦ୍ଧୁ ପଥର, ଲୋକେ ଖାଇପିଇ ରହିବା ପରେ ଯାଇ ତୋ କଥା ବିଚାର କରନ୍ତି । ହେଲେ ସେମାନେ ଖାଦ୍ୟ କେଉଁଠୁ ପାଆନ୍ତି ସେକଥା ଜାଣିଛୁ ତ? ପଙ୍କରୁ ଫସଲ ହୁଏ ।’ ଏହା ଶୁଣି ପଥର ଚୁପ୍ ହୋଇଗଲା । ବୁଝିଲ ଭାଇ ରାମୁ, ଉଭୟ ପଥର ଓ ପଙ୍କର ମହତ୍ୱ ଅଛି । ଗୋଟିଏ ଅନ୍ୟଠୁଁ କମ୍ ଉପଯୋଗୀ ବୋଲି ଭାବିବା ନିହାତି ଭୁଲ୍ ।”

ରାମୁ କହିଲା “ମୋର ବି ଗୋଟିଏ ଗଳ୍ପ ମନେ ପଡୁଛି । ଥରେ ଗୋଟିଏ ପିଆଶାଳ ଗଛ ତା’ ପାଖରେ ଥିବା ବରଗଛକୁ କହିଲା, ‘ଦେଖ ମୁଁ କେଡେ ଶକ୍ତ । ଲୋକେ ମୋ କାଠକୁ କେତେ ସୌଖିନ ଆସ୍ବାବ୍ ପତ୍ର ତିଆରି କରିବା ନିମନ୍ତେ ବ୍ୟବହାର କରନ୍ତି!’ ବରଗଛ ଉତ୍ତର ଦେଲା, ‘ଠିକ୍ । ମୁଁ ଖାଲି ଲୋକଙ୍କୁ ଛାୟା ଦିଏ । ସେତିକିରେ ମୋର ଅସୀମ ଆନନ୍ଦ । ତେବେ ଲୋକେ ମୋତେ କିପରି ସମ୍ମାନ ଦିଅନ୍ତି ତାହା ତ ତୁମେ ଅବଶ୍ୟ ଲକ୍ଷ୍ୟ କରିଥିବ!’ ଏକଥା ଶୁଣି ପିଆଶାଳ ଚୁପ୍ ରହିଲା ।”

ପଣ୍ଡିତେ କହିଲେ “ଠିକ୍ କଥା । ଆମର ପ୍ରତ୍ୟେକଙ୍କର ଅଲଗା ଅଲଗା ଭୂମିକା ଅଛି । ଖାଲି ଆମେ ନିଜ ନିଜ କାମ ନିଷ୍ଠାପର ଭାବରେ କଲେ ହେଲା । ସେଥିରେ ନିଜର ମଙ୍ଗଳ; ସମାଜର ବି ମଙ୍ଗଳ ।”

ଏହାପରେ ସେ ଦୁଇ ବନ୍ଧୁ ପରସ୍ପର କୁଣ୍ଢାକୁଣ୍ଢି ହେଲେ । ହରିହରଙ୍କ ନମ୍ରତାରେ ସମସ୍ତେ ମୁଗ୍ଧ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ