ସାଧୁ ଓ ଛଦ୍ମବେଶୀ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ସେହି ଶବଟିକୁ ଉତାରି ଆଣିଲେ । ତେବେ ସେ ଯେତେବେଳେ ସେହି ଶବଟିକୁ ଆପଣା କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କଲେ, ସେତେବେଳେ ଶବସ୍ଥିତ ବେତାଳ କହିଲା, “ରାଜା! ତମେ ଅନେକ ପୂଣ୍ୟ କାର୍ଯ୍ୟ କର ବୋଲି ମୁଁ ଶୁଣିଛି । କିନ୍ତୁ ପୂଣ୍ୟ କାର୍ଯ୍ୟର ଫଳ ନିଶ୍ଚିତ ଭାବରେ ଯେ ଶୁଭ ହେବ, ଏକଥା କହିପାରିବ କି? ଯିଏ ପୂଣ୍ୟ କାର୍ଯ୍ୟ କରେ ନାହିଁ, ଖାଲି ବାଧ୍ୟ ହୋଇ ଦାନ ଧର୍ମ କରେ, ସେ କ’ଣ କିଛି ସୁଫଳ ପାଏ ନାହିଁ? ଏସବୁ ପ୍ରଶ୍ନ ବଡ ଜଟିଳ ହୋଇପାରେ, କିନ୍ତୁ ତମ ଭଳି ବୁଦ୍ଧିମାନ ଓ ଜ୍ଞାନୀ ବ୍ୟକ୍ତି ଏସବୁର ଉତ୍ତର ଦେବାକୁ ସକ୍ଷମ ହେବ, ଏ ଆଶା ମୁଁ କରୁଛି । ଗୋଟାଏ ଘଟଣା କହୁଛି, ମନ ଦେଇ ତାହା ଶୁଣ । ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”

                ଏତିକି କହି ସେ ବେତାଳ ଗପିଲା: କିଛିଦିନ ତଳର କଥା । ବିଚିତ୍ରପୁରରେ ଜଣେ ବଣିକ ଥିଲେ । ନାମ ତାଙ୍କର ରାମରତନ । ସେ ଥରେ ବେମାର ପଡିଲେ । ଚିକିତ୍ସାରେ କିଛିବି ଫଳ ହେଲା ନାହିଁ । ତାଙ୍କ ସ୍ତ୍ରୀ ଓ ପୁଅଝିଅ ସେ ନେଇ ବଡ ଉତ୍କଣ୍ଠାରେ ରହିଥାନ୍ତି । ରାମରତନ ବଡ ଜିଦ୍ଖୋର୍ ଲୋକ । ତାଙ୍କୁ ରାଜଧାନୀକୁ ନେଇଯାଇ ରାଜବୈଦ୍ୟଙ୍କ ଦ୍ୱାରା ଚିକିତ୍ସା କରିବାର ପ୍ରସ୍ତାବ ହେଲା । କିନ୍ତୁ ସେ ପ୍ରସ୍ତାବକୁ ସେ ଉଡାଇଦେଲେ । ଆଖପାଖରେ ଯେତେ ବୈଦ୍ୟ କବିରାଜ ଥିଲେ, ସମସ୍ତେ ଦେଖି ସାରିଲେ । କିନ୍ତୁ କାହାରି ଔଷଧରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଲା ନାହିଁ । ଥରେ ଜଣେ ସାଧୁ ତାଙ୍କ ନଗରୀକୁ ଆସିଥାନ୍ତି । ରାମରତନଙ୍କ ସ୍ତ୍ରୀ ହେମାଙ୍କ ଅନୁରୋଧରେ ସାଧୁ ତାଙ୍କ ଘରକୁ ଆସିଲେ ଓ ରାମରତନଙ୍କୁ ନିରୀକ୍ଷଣ କରି ସେ କହିଲେ, “ବାବୁ! ତମ ଅସୁଖ ଔଷଧରେ ଭଲ ହେବ ନାହିଁ । ତମେ ବେପାର ବାଣିଜ୍ୟରେ ଅନେକ ଅନ୍ୟାୟ କରିଛ, ଅନେକ ଲୋକଙ୍କୁ ଠକିଛ । ତମର ଏ ରୋଗ ସେହି ସବୁ ପାପର ଫଳ । କିଛି ପୂଣ୍ୟ କାର୍ଯ୍ୟ କର । ଅନ୍ୟକୁ ସନ୍ତୋଷ ଦିଅ । ତା’ପରେ ଦେଖିବ ତମ ରୋଗ ବଳେ ଭଲ ହୋଇଯିବ ।”

                ସାଧୁ ଚାଲିଯିବା ପରେ ସ୍ତ୍ରୀ ହେମା, ଦୁଇ ପୁଅ ଓ ଦୁଇ ଝିଅ ରାମରତନଙ୍କ ପାଖକୁ ଆସିଲେ । ସେମାନେ ତ ସାଧୁଙ୍କ ଉପଦେଶ ଶୁଣିଥିଲେ । ହେମା କହିଲେ, “ଆମେ ଗରୀବ ଲୋକଙ୍କୁ ଖୁଆଇବା । ତାହାହିଁ ହେବ ପୂଣ୍ୟକାର୍ଯ୍ୟ ।”

                ରାମରତନ ସେମାନଙ୍କର ଏ ପ୍ରସ୍ତାବ ଖଣ୍ଡନ କରି କହିଲେ, “ଖାଲି ଖୁଆଇଲେ କ’ଣ ହେବ? ଖାଇବା ଲୋକର ସନ୍ତୋଷ ହେବାବି ତ ଦରକାର । ସନ୍ତୋଷ ଦେବାକୁ ହେଲେ ଯେଉଁ ପ୍ରକାର ଖାଦ୍ୟ ଖୁଆଇବାକୁ ହେବ, ସେ ପ୍ରକାର ଖାଦ୍ୟ ଆମେ ବା କେତେଥର ଖାଇ ପାରୁଛୁ?”

                ବଡ ପୁଅ କହିଲା, “ତେବେ ଗୋଟାଏ ଦାତବ୍ୟ ଚିକିତ୍ସାଳୟ ଖୋଲା ଯାଉ ।”

                ପୁଅ କଥା ଶୁଣି ରାମରତନ କହିଲେ, “ଦେଖୁଛି ତୋର ଜ୍ଞାନ ବୁଦ୍ଧି ବୋଲି କିଛି ହେଲେବି ନାହିଁ । ଯଦି ଖାଲି ଚିକିତ୍ସାରେ ରୋଗ ଭଲ ହେଉଥାନ୍ତା, ତେବେ ମୁଁ କାହିଁକି ଆଜିଯାଏଁ ରୋଗ ଭୋଗୁଥାନ୍ତି?”

                ବଡ ଝିଅ କହିଲା, “ତେବେ ଗୋଟାଏ ବିଦ୍ୟାଳୟ ଖୋଲିଲେ କିପରି ହୁଅନ୍ତା?”

                ରାମରତନ କହିଲେ, “ପାଠ ପଢି କେହିବି ମଣିଷ ହୁଏ ନାହିଁ । ଚରିତ୍ର ସବୁଠୁ ବଡ କଥା । ବିଦ୍ୟାଳୟରୁ ତ ପିଲାଏଁ ଲେଖାପଢା ଶିଖନ୍ତି, ହେଲେ ଚରିତ୍ର ପାଆନ୍ତି ନାହିଁ ।”

                ସାନ ଝିଅ କହିଲା, “ଚାଲ ତୀର୍ଥାଟନ କରିବା । ଦିଅଁ ଦର୍ଶନରୁ କିଛିତ ପୂଣ୍ୟ ହେବ ।”

                ରାମରତନ କହିଲେ, “ଭଗବାନ ସବୁଠି ସବୁ ମୂର୍ତ୍ତି ଭିତରେ ଅଛନ୍ତି । ଖାଲି ତାଙ୍କର ଭିନ୍ନ ଭିନ୍ନ ନାମ । ଦିଅଁଙ୍କ ପ୍ରତି ଭକ୍ତି ଥିଲେ ତୀର୍ଥ ବୁଲିବା କିଛିବି ଦରକାର ନାହିଁ । ତମେମାନେ ତ ଆମ ଗାଁ ମନ୍ଦିରକୁ ସବୁଦିନେ ଯାଅ । ମୋ ପାଇଁ ପ୍ରାର୍ଥନା କର । ସେହିଥିରେ ମୁଁ ଭଲ ହୋଇଯିବି ।”

                ଏଥିରୁ ସମସ୍ତେ ବୁଝିଲେ ଯେ ରାମରତନ ପଇସା ଖର୍ଚ୍ଚ କରିବାକୁ ଅନିଚ୍ଛୁକ । ତେଣୁ ସେମାନେ ଆଉ କିଛି ନକହି ସବୁଦିନ ମନ୍ଦିରକୁ ଗଲେ ଓ ପ୍ରାର୍ଥନା କଲେ । କିନ୍ତୁ ଫଳ ଆଦୌ କିଛି ହେଲା ନାହିଁ ।

କ୍ରମେ ରାମରତନଙ୍କ ଅସୁଖ କଥା ପ୍ରଚାର ହୋଇଗଲା । ସେକଥା ଅନ୍ୟ ଏକ ସହରରେ ଥିବା ରଘୁସିଂହ ଶୁଣିଲା । ଅନେକ ବର୍ଷ ତଳେ ଥରେ ରାମରତନ ସହ ସେ ବ୍ୟବସାୟ କରୁଥିଲା । ରାମରତନ ତାକୁ ଠକି ଦେବା ଫଳରେ ସେ ସର୍ବସ୍ୱାନ୍ତ ହୋଇ ଯାଇଥିଲା । ସେ ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିଲା । ବର୍ତ୍ତମାନ ରାମରତନ ଅସୁସ୍ଥ ଥିବା ଜାଣି ସେ ତାଙ୍କ ଘରୁ ଚୋରି କରିବାକୁ ସ୍ଥିର କଲା । ସାଧାରଣ ସମୟରେ ରାମରତନ ବହୁତ ସଜାଗ ଥାନ୍ତି ।

ସେ ପାଟଳିପୁତ୍ର ଆସି ପର ପର ଦୁଇ ରାତି ରାମରତନଙ୍କ ଘରେ ପଶିଲା । କିନ୍ତୁ କୌଣସି ମୂଲ୍ୟବାନ ପଦାର୍ଥ ସେ ପାଇଲା ନାହିଁ । ସେ ଅନ୍ୟ କୌଶଳ କରିବାକୁ ସ୍ଥିର କଲା । ଲୁଚିରହି ସେ ଦୁଇଦିନ କାଳ କିଛିବି ଖାଇ ନଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ