ଝକମକି ବାକ୍ସ

ଦିନେ ଜଣେ ଯୁଦ୍ଧ ଫେରନ୍ତା ସୈନିକ ତାର ପୋଷାକପତ୍ର ପିନ୍ଧି ରାସ୍ତାରେ ମାର୍ଚ୍ଚିଂ କରି ଯାଉଥିବାବେଳେ ବାଟରେ ସେ ଜଣେ ବୁଢୀଲୋକକୁ ଭେଟିଲା । ସେ ବୁଢୀ ଜଣକୁ ଖୁବ୍ ଗୁଣିଗାରଡି ଜଣାଥିଲା ।

                ବୁଢୀଟି ସୈନିକଟିକୁ ଦେଖି ତାକୁ ପାଖକୁ ଡାକି କହିଲା ‘ତୁମେ ଜଣେ ପ୍ରକୃତ ସାହସୀ ସୈନିକ । ତୁମର ଏ ଯୁଦ୍ଧଫେରନ୍ତା ବେଶ ଖୁବ୍ ସୁନ୍ଦର ଦେଖାଯାଉଛି । କେବଳ ତୁମ ପାଖରେ ପ୍ରଚୁର ଟଙ୍କା ହେଲେ ତୁମେ ଧନୀ ହୋଇ ଯାଆନ୍ତ ।’

                ବୁଢୀର ଏକଥା ଶୁଣି ସୈନିକଟି ବୁଢୀକୁ ଧନ୍ୟବାଦ ଦେଇ ଚାଲିଯାଉଥିଲା ମାତ୍ର ବୁଢୀ ସୈନିକକୁ ପୁଣି ପଛରୁ ଡାକି କହିଲା ‘ଏଇ ସେ ଯେଉଁ ବଡ ଗଛଟି ଦେଖା ଯାଉଛି ସେଥିରେ ଗୋଟିଏ ବଡ କୋରଡ ଅଛି । ତୁମେ ସେ ଗଛ ଉପରେ ଚଢି ସେ କୋରଡ ଭିତରକୁ ଯାଅ । ମୁଁ ତୁମ ଅଂଟାରେ ଗୋଟିଏ ଦଉଡି ବାନ୍ଧି ଦେଉଛି ଯେପରିକି ମୁଁ ତୁମକୁ କୋରଡ ମଧ୍ୟରୁ ବାହାର କରି ଆଣିବି ।’

                ସୈନିକଟି ପଚାରିଲା ‘ମୁଁ ସେଠାକୁ ଯାଇ କ’ଣ କରିବି?’ ବୁଢୀ ଉତ୍ତର ଦେଲା ‘ତୁମେ ସେଠାକୁ ଗଲେ ପ୍ରଚୁର ଧନ ପାଇବ । ତୁମେ ଯେମିତି ଯାଇ ସେ କୋରଡର ଶେଷ ଭାଗରେ ପହଁଚିବ ଦେଖିବ ସେଠାରେ ଗୋଟିଏ ବଡ ଘର ଅଛି ଓ ସେଠାରେ ଆଲୋକର ଅନେକ ଝାଡ ସବୁ ଜଳୁଛି । ସେଇ ବଡ ଘରର ତିନୋଟି ଦରଜା ମଧ୍ୟ ଅଛି । ସେ ଦରଜା ମାନଙ୍କରେ ସବୁ ବଡ କୋଲପ ଝୁଲୁଛି ଓ ସେ କୋଲପ ମାନଙ୍କ ଦେହରେ ଚାବି ସବୁ ବି ଲାଗିଛି । ତୁମେ ସେଠାରେ ପହଁଚି ପ୍ରଥମ ଘରର ଦରଜାଖୋଲି ଘର ଭିତରକୁ ଯାଇ ଦେଖିବ ସେଠାରେ ଗୋଟିଏ ବଡ ସିନ୍ଦୁକ ଅଛି ଓ ସେ ସିନ୍ଦୁକ ଉପରେ ବଡ ବଡ ଥାଳିଆ ଭଳି ଆଖିଥିବା ଗୋଟିଏ କୁକୁର ବସିଛି । ତୁମେ ସେ କୁକୁରକୁ ଦେଖି ମୋଟେ ଭୟ କରିବ ନାହିଁ । ମୁଁ ତୁମକୁ ଏ ଯେଉଁ ନୀଳ ଉତ୍ତରୀୟଟି ଦେଉଛି ତୁମେ ତାକୁ ନେଇ ସେ ଘର ଚଟାଣ ଉପରେ ପକାଇ ଦେଇ ତା ଉପରେ ସେ କୁକୁରକୁ ଆଣି ବସାଇ ଦେବ ଓ ତାପରେ ସେ ସିନ୍ଦୁକଟିକୁ ଖୋଲି ସେଥିରେ ଥିବା ତମ୍ବା ମୁକ୍ତା ତୁମ ମନ ଇଚ୍ଛା ଆଣିବ । ତୁମର ଯଦି ରୂପା ମୁଦ୍ରା ଦରକାର ତେବେ ତୁମେ ମଝି କବାଟଟି ଖୋଲି ଆରପଟ ଘରକୁ ଯିବ । ସେଠାରେ ସିନ୍ଦୁକ ଉପରେ ମଧ୍ୟ ଗୋଟିଏ ଶଗଡ ଚକ ଭଳିଆ ଆଖିଥିବା କୁକୁରଟିଏ ବସିଥିବାର ଦେଖିବ । ତୁମେ ସେ ଘରକୁ ଯାଇ ମୋର ଏଇ ଉତ୍ତରୀୟଟି ଉପରେ ସେ କୁକୁରକୁ ବସାଇ ଦେଇ ସିନ୍ଦୁକ ଖୋଲି ମନଇଚ୍ଛା ରୂପାମୁଦ୍ରା ଆଣି ପାରିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ