ପୁରସ୍କାର

ଜମିଦାର ପ୍ରତାପ ବର୍ଦ୍ଧନଙ୍କ ଧୋବା ଆସି ଟଙ୍କା ଥଳିଟିଏ ଧରାଇଦେଇ କହିଲା, “ହଜୁର୍! ଆପଣଙ୍କ କୁର୍ତା ମୁଣିରେ ଏ ଥଳି ଥିଲା । ଠିକ୍ ପାଣିରେ ବୁଡାଇବାକୁ ଯାଉଛି, ମୋ ହାତରେ ଏସବୁ ଲାଗିଲା ।”

                ଜମିଦାର ସଙ୍ଗେ ସଙ୍ଗେ ସେହି ଥଳୀଟି ଖୋଲି ଦେଖିଲେ । ସେଥିରେ କୋଡିଏଟି ଟଙ୍କା ଥିଲା । ତାଙ୍କର ମନେ ପଡିଲା ଗତ ରାତ୍ରିରେ କୁର୍ତା ମୁଣିରୁ ସେ ଟଙ୍କା ବାକ୍ସରେ ନ ରଖି ଶୋଇ ଯାଇଥିଲେ । ଜମିଦାର ସେହି ଲୋକଟିର ସାଧୁତାରେ ବେଶ୍ ଖୁସି ହୋଇ ତାକୁ ଦଶଟଙ୍କା ପୁରସ୍କାର ସ୍ୱରୂପ ଦେଲେ ।

                ମାସକ ପରେ ଆଉ ଥରେ ଗୁଡିଏ ଲୁଗାପଟା ଧୋବାକୁ ଦେବା ପରେ ସେ ଜମିଦାରଙ୍କର ହଠାତ୍ ମନେ ପଡିଗଲା – ଖଣ୍ଡିଏ କମିଜ ମୁଣିରେ ଦଶଟଙ୍କା ରହିଯାଇଛି । ସେ ତାଙ୍କ ଚାକରକୁ ଧୋବା ଘରକୁ ପଠାଇବାକୁ ଯାଉଛନ୍ତି, ଧୋବା ଆସି ସେଠାରେ ପହଁଚିଗଲା ଓ ତାଙ୍କୁ ସେ ପାଞ୍ଚଟଙ୍କା ଧରାଇ ଦେଲା ।

                ଜମିଦାର ଖୁବ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ମୋ କାମିଜ୍ ମୁଣିରେ ଦଶଟଙ୍କା ନଥିଲା?”

                ଧୋବା ନମ୍ର ଭାବରେ ଉତ୍ତର ଦେଲା “ହଁ ଆଜ୍ଞା, ଥିଲା । ମୁଁ ମୋ ପୁରସ୍କାର ବାବଦରେ ପାଞ୍ଚଟଙ୍କା କାଟିନେଲି । ଆରଥର ଆପଣ କୋଡିଏ ଟଙ୍କାରୁ ଦଶଟଙ୍କା ମୋତେ ଦେଇଥିଲେ ନା? ଭାବିଲି ଅଯଥାରେ ପୁଣି ଆପଣ କାହିଁକି ଗଣାଗଣି କରିବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ