ଗୋ-ପାଳକର ପତ୍ନୀ

ଗୋଟିଏ ଗ୍ରାମରେ ଶହ ଶହ ଗାଈ ଗୋରୁଙ୍କୁ ନେଇ ଗୋଟିଏ ପିଲା ବାସ କରୁଥାଏ । ସେ ନିତୀ ଗାଈ ଗୋରୁମାନଙ୍କୁ ଚରାଇବାକୁ ଯାଏ । ଗାଈ ଗୋରୁ ମାନଙ୍କର ସେବାଯତ୍ନରେ ତାର ସମୟ କଟିଯାଏ । ଘରେ ତାର ସୁନ୍ଦରୀ ପତ୍ନୀ ଏକାକୀ ରହୁଥାଏ । ଗୋପାଳକର ଘର ପାଖରେ ଗ୍ରାମର ମୁଖିଆଙ୍କ ଘର । ଘରେ ଯାବତୀୟ କାମ ଶେଷ କରି ଗୋପାଳକର ପତ୍ନୀ ମୁଖିଆଙ୍କ ଘରକୁ ଯାଏ । ମୁଖିଆ ମଧ୍ୟ ଗୋପାଳକର ଘରକୁ ଆସନ୍ତି । ଉଭୟ ପରିବାର ମଧ୍ୟରେ ଏହିପରି ଯିବା ଆସିବା ଲାଗି ରହିଥାଏ । ଗୋପାଳକ ଅଧିକାଂଶ ସମୟ ଗାଈ ଗୋରୁଙ୍କ କାର୍ଯ୍ୟରେ କଟାଉଥିବାରୁ ପତ୍ନୀପାଇଁ ଅଧିକ ସମୟ ଦେଇପାରୁନଥାଏ । ଫଳରେ ଗୋପାଳକର ସୁନ୍ଦରୀ ପତ୍ନୀ ମୁଖିଆ ଏବଂ ତାଙ୍କର ପୁତ୍ର ସହିତ ପ୍ରେମ ସଂପର୍କ ସ୍ଥାପନ କଲା । ଏକଥା କିନ୍ତୁ ଗୋପାଳକକୁ ଜଣା ନଥାଏ । ସେ ସର୍ବଦା ମୁଖିଆ ଏବଂ ତାଙ୍କ ପୁତ୍ର ସହିତ ମିଳିତ ହେବାକୁ ଇଚ୍ଛା କରୁଥାଏ ।

         ଦିନେ ସୁଯୋଗ ଦେଖି ମୁଖିଆଙ୍କ ପୁତ୍ର ଗୋପାଳକ ଘରକୁ ଆସିଥିଲା । କିଛି ସମୟପରେ ମୁଖିଆ ମଧ୍ୟ ଗୋପାଳକ ପତ୍ନୀର ସାନ୍ନିଧ୍ୟ ପାଇବାପାଇଁ ଇଚ୍ଛା ପ୍ରକାଶ କରି ତାର ଘରେ ଉପସ୍ଥିତ ହୁଅନ୍ତେ, ଗୋପାଳକ ପତ୍ନୀ ଏହା ଜାଣିପାରି ମୁଖିଆଙ୍କ ପୁତ୍ରକୁ ଧାନ ଅମାର ଥିବା ଘରେ ଲୁଚି ଯିବାକୁ କହିଲା । ପୁତ୍ର ଲୁଚିଯିବାପରେ ଗୋପାଳକର ପତ୍ନୀ ହସି ହସି ମୁଖିଆଙ୍କୁ ସ୍ୱାଗତ ଜଣାଇଲା । ସେମାନେ ପରସ୍ପର ଆଳାପ ଆଲୋଚନାରେ ବ୍ୟସ୍ତଥିବା ସମୟରେ ଗୋପାଳକଟି ଆସି ପହଁଚିଲା । ଗୋପାଳକକୁ ଦେଖି ତାର ପତ୍ନୀ ମୁଖିଆଙ୍କୁ କହିଲା, “ଆପଣ ଗୋଟେ ବାଡି ଧରି ରାଗରେ ଗରଗର ହୋଇ ମୋ ଘରୁ ବାହାରନ୍ତୁ ।” ଗୋପାଳକ ପତ୍ନୀର କହିବା ଅନୁଯାୟୀ ମୁଖିଆ ସଂଗେ ସଂଗେ ସେହିପରି ଆଚରଣ କଲେ । ଗୋପାଳକଟି ମୁଖିଆଙ୍କୁ ଏପରି ଅବସ୍ଥାରେ ଦେଖି ପଚାରିଲା, “ମୁଖିଆ ମହାଶୟ! ଆପଣ ମୋ ଘରେ, ମୋର କ’ଣ କିଛି ଭୁଲ୍ ହେଲାକି?” ଗୋପାଳକର କଥା ଶୁଣି ତାର ପତ୍ନୀ କହିଲା, “ମୁଖିଆଙ୍କ ପୁତ୍ର ତାଙ୍କ ଉପରେ ରାଗ କରି ଆମ ଘରର ଧାନ ଅମାର ମଧ୍ୟରେ ଆସି ଲୁଚିଥିଲା । ତାକୁ ଖୋଜି ଖୋଜି ମୁଖିଆ ଆସି ଏଠାରେ ପହଁଚିଛନ୍ତି ।” ଏହାପରେ ଗୋପାଳକର ପତ୍ନୀ ମୁଖିଆଙ୍କ ପୁଅକୁ ଧାନ ଅମାର ମଧ୍ୟରୁ ବାହାରକୁ ଆସିବାକୁ କହିଲା । ଏହାପରେ ମୁଖିଆ ଓ ତାଙ୍କ ପୁତ୍ର ସାଙ୍ଗ ହୋଇ ଘରକୁ ଫେରିଗଲେ ।

         ଗୋପାଳକର ପତ୍ନୀ ସିନା ତାର ସ୍ୱାମୀକୁ ଭୁଲାଇ ଦେଇପାରିଲା । ହେଲେ ଭଗବାନ ସବୁ କିଛି ଜାଣିପାରନ୍ତି । ସେ ଭଗବାନଙ୍କ ନିକଟରେ ଦୋଷୀ । ତେଣୁ କଦାପି ଅନ୍ୟାୟ ଅନୀତି ପୂର୍ଣ୍ଣ କାର୍ଯ୍ୟ କରିବ ନାହିଁ । ଏଇ ଘଟଣା ପରେ ମୁଖିଆ ଓ ତାଙ୍କ ପୁଅ ମଧ୍ୟରେ ଘୋର ମତାନ୍ତର ଲାଗିଲା । ସେମାନେ ଯେ ଦୁଶ୍ଚରିତ୍ର ଏ ନେଇ ପରସ୍ପରକୁ ଘୃଣା କଲେ । କ୍ରମେ ତାଙ୍କ ଘର ଉଜୁଡି ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ