ମହାଭାରତ

ଶୁକ୍ରାଚାର୍ଯ୍ୟଙ୍କଠାରୁ ବାର୍ଦ୍ଧକ୍ୟର ଅଭିଶାପ ପାଇ ଯଯାତି ବଡ ବ୍ୟସ୍ତ ହେଲେ । ସେ ଶୁକ୍ରାଚାର୍ଯ୍ୟଙ୍କୁ ନିବେଦନ କରି କହିଲେ, “ଆପଣଙ୍କ ଅଭିଶାପ ତ ନିଶ୍ଚୟ ଫଳିବ, ଶର୍ମିଷ୍ଠାର ଇଚ୍ଛା ପୂରଣ ଅର୍ଥ କ’ଣ ମୁଁ ଦେବଯାନୀଙ୍କ ପ୍ରତି କୌଣସି ଭାବରେ ଅନ୍ୟାୟ କରିଛି? ରାଜାମାନଙ୍କର ତ ଅନେକ ସ୍ତ୍ରୀ ଥା’ନ୍ତି । ଆପଣ ଜଣେ କନ୍ୟାର ପିତା ଭାବରେ ଶର୍ମିଷ୍ଠାର ଦୁର୍ଦ୍ଦଶା ବୁଝିପାରୁ ନାହାଁନ୍ତି? ଆଉ ମୁଁ ଏମିତି କି ଭୁଲ୍ କଲି ଯେ ଆପଣ ମୋତେ ଏତେବଡ ଅଭିଶାପ ଦେଲେ?”

                ଶୁକ୍ରାଚାର୍ଯ୍ୟ କହିଲେ “ମୋ ଶାପ ତ ଆଉ ବ୍ୟର୍ଥ ହେବ ନାହିଁ; ହଁ ତେବେ ଗୋଟେ ଉପାୟ ଅଛି । ତୁମର ବାର୍ଦ୍ଧକ୍ୟ ଯଦି କେହି ଯୁବକ ଗ୍ରହଣ କରି ତା’ର ଯୌବନ ତୁମକୁ ଦିଏ; ତେବେ ଯାଇ ତୁମେ କିଛି ଦିନ ଯୌବନ ଉପଭୋଗ କରିପାରିବ ।”

                ଯଯାତି ଭାବିଲେ ଅନ୍ୟଲୋକକୁ କହିବା ଅପେକ୍ଷା ନିଜ ପୁତ୍ରମାନଙ୍କୁ କହିଲେ ଭଲ; ଏବଂ ଏହି ସର୍ତ୍ତରେ ଯେଉଁ ପୁତ୍ର ତା’ ପିତା ପାଇଁ ଯୌବନ ତ୍ୟାଗ କରିବ, ସେ ହିଁ ତାଙ୍କପରେ ସିଂହାସନରେ ରାଜା ହେବ । ଶୁକ୍ରାଚାର୍ଯ୍ୟ ମଧ୍ୟ ଏଥିରେ ସମ୍ମତ ହେଲେ ।

                ଦେଖୁ ଦେଖୁ ହଠାତ୍ ସେ ବୁଢା ହୋଇଗଲେ । ଦେହ ହାତ ଥରୁଛି, ପକ୍ୱକେଶ, ଚାଲିବାକୁ ଶକ୍ତି ନାହିଁ । ଚମ ସବୁ ଦୁହିଁ ହୋଇ ଗଲାଣି । ଚକ୍ଷୁ କୋଟରାଗତ । କଥା କହିଲେ କଷ୍ଟ ଲାଗୁଛି । ସେ ତାଙ୍କର ଜ୍ୟେଷ୍ଠ ପୁତ୍ର ଯଦୁକୁ ଡାକି ପଚାରିଲେ – “ପୁତ୍ର, କିଛି ସମୟ ପାଇଁ ତୁମେ ମୋର ବାର୍ଦ୍ଧକ୍ୟ ନେଇ ତା’ପ୍ରତିବଦଳରେ ତୁମର ଯୌବନ ମୋତେ ଦେବ କି? ପୁଣି ଅଳ୍ପ କିଛି ଦିନ ପରେ ମୁଁ ତୁମକୁ ତୁମର ଯୌବନ ଫେରାଇ ଦେବି ।” ଯଦୁ ତାଙ୍କ ପିତାଙ୍କର ଏଭଳି ପ୍ରସ୍ତାବକୁ ଅସ୍ୱୀକାର କରି କହିଲେ, “ଯୌବନ ବିନା ବଂଚିରହିବାର କୌଣସି ଅର୍ଥ ନାହିଁ । ଯୌବନ ଜୀବନର ସର୍ବାପେକ୍ଷା ସାରବସ୍ତୁ । ମଣିଷର ସମସ୍ତ ଆଶା ଆକାଂକ୍ଷା କେବଳ ଯୌବନକାଳରେ ହିଁ ପୂର୍ଣ୍ଣ ହୁଏ । ଜୀବନର ସମସ୍ତ ମଧୁର ଅନୁଭୂତି ଯୌବନରେ ହିଁ ହୁଏ । ମୁଁ ଜାଣିଜାଣି ସେପରି ସାରବସ୍ତୁକୁ ଜୀବନରେ କାହିଁକି ହରାଇବି? ତା’ଛଡା ମୁଁ ଏ ବାର୍ଦ୍ଧକ୍ୟକୁ ନେଇ କ’ଣ ବା କରିବି?”

                ଯଯାତି ପୁତ୍ରର କଥା ଶୁଣି ରାଗିଯାଇ କହିଲେ – ତାଙ୍କ ପରେ ଯଦୁ କେବେବି ସିଂହାସନ ପାଇବ ନାହିଁ, ତା’ପୁଅମାନେ ମଧ୍ୟ ପାଇବେ ନାହିଁ । କେବଳ ଯଦୁ ନୁହେଁ, ତାଙ୍କର ଅଧିକାଂଶ ପୁତ୍ର ଏହି ପ୍ରସ୍ତାବକୁ ଅସ୍ୱୀକାର କଲେ ଏବଂ କହିଲେ, “ଇଏ କିଭଳି ପିତା ଯିଏ ପୁତ୍ରକୁ ବାର୍ଦ୍ଧକ୍ୟ ଦେଇ ତା’ଠାରୁ ଯୌବନ ନେବାକୁ କହୁଛନ୍ତି ।”

                ଶର୍ମିଷ୍ଠାଙ୍କ ପୁତ୍ରମାନଙ୍କ ମଧ୍ୟରେ କନିଷ୍ଠ ପୁତ୍ର ପୁରୁ ପିତାଙ୍କ କଥାକୁ ସ୍ୱୀକାର କଲା । ତେଣୁ ଶୁକ୍ରାଚାର୍ଯ୍ୟଙ୍କ ସହାୟତାରେ ଯଯାତି ଯୌବନ ଫେରିପାଇଲେ ଓ ପୁରୁ ଅକାଳବାର୍ଦ୍ଧକ୍ୟ ପ୍ରାପ୍ତ ହେଲା । ତା’ପରେ ବିଶ୍ୱାଚୀ ନାମ୍ନୀ ଅପ୍ସରା ସହିତ ସେ ଦୂର ବନପ୍ରଦେଶରେ ବିହାର କରିବାକୁ ଚାଲିଗଲେ । ସେଠାରେ ଅନେକ ଦିନ ବିଳାସପୂର୍ଣ୍ଣ ଜୀବନ କଟାଇବା ପରେ ସେ ପୁଣି ରାଜ୍ୟକୁ ଫେରି ଆସିଲେ ଓ ପୁତ୍ରଠାରୁ ବାର୍ଦ୍ଧକ୍ୟ ନେଇ ତାକୁ ତା’ ଯୌବନ ଫେରାଇଦେଲେ ଓ ତା’ର ରାଜ୍ୟାଭିଷେକ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ