କୃଷ୍ଣାବତାର

ଉଷା ଅନିରୁଦ୍ଧଙ୍କ ଚିତ୍ରପଟକୁ ଧରି ଏକଲୟରେ ଚାହିଁ ରହିଥା’ଏ; ସତେ ଯେମିତି ତା’ର ସମଗ୍ର ଶରୀର ପୁଲକିତ ହୋଇ ଉଠୁଥାଏ । ସଖୀ ଚିତ୍ରରେଖା ଏକଥା ଦେଖି ହସି ହସି କହିଲା, “ଉଷା, ମୁଁ ବୁଝିଗଲି ତୁମେ ସ୍ୱପ୍ନରେ କାହାକୁ ଦେଖିଥିଲ । ସେ ଯେଉଁଠି ଥିଲେ ମଧ୍ୟ ମୁଁ ତାଙ୍କୁ ନିଶ୍ଚୟ ଖୋଜି ଆଣି ତୁମ ହାତରେ ସମର୍ପଣ କରିବି । ତୁମ ଉପରେ ଯେହେତୁ ଦେବୀ ପାର୍ବତୀଙ୍କର ଆଶୀର୍ବାଦ ରହିଛି, ତେଣୁ ମୁଁ ଅବଶ୍ୟ ଏଥିରେ ସଫଳ ହେବି, ସେଥିଲାଗି କୌଣସି ପ୍ରକାର ସନ୍ଦେହ କର ନାହିଁ ।”

                ଏହା ଶୁଣି ଉଷା ଅଧିକ ଆନନ୍ଦ ହୋଇ କହିଲା, “ସଖୀ, ମୁଁ ଜାଣିନଥିଲି ଯେ ଚିତ୍ରକଳାରେ ତୁମେ ଏତେଦୂର ପାରଦର୍ଶିତା ଲାଭ କରିଛ ବୋଲି । ତୁମେ ତୁମ ନାମକୁ ସାର୍ଥକ କରିଛ । ଏବେ ତୁମେ ଯଥାଶୀଘ୍ର କୁହ ଏହି ରାଜକୁମାର ଜଣକ କାହାର ପୁତ୍ର । ଏହାଙ୍କର ସ୍ୱଭାବ କିପରି? ସେ ଏବେ କିପରି ପରିସ୍ଥିତିରେ ଅଛନ୍ତି । ଏଯାବତ ସେ ବିବାହିତ ନା ଅବିବାହିତ । ସେ ମୋ ପରି ଏକ ଅଜଣା ଝିଅ ପ୍ରତି କାହିଁକି ବା ଆକୃଷ୍ଟ ହେବେ? ସ୍ୱଭାବତଃ ମୋ ମନ ଏପରି ଚଂଚଳ ହୁଏନାହିଁ । ହେଲେ ଆଜି ମୋର ଏ କ’ଣ ହେଲା ଗୋଟିଏ ରାତିର ସ୍ୱପ୍ନ ମାତ୍ର, ଅଥଚ ମୋ ମନ କାହିଁକି ଏତେ ଚଂଚଳ, ପୁଣି ଏତେ ବିବଶ ହୋଇଯାଉଛି । ଏହାଙ୍କର ପରିଚୟ ପାଇବା ବିନା ମୋର ମନ ଅଧିକରୁ ଅଧିକ ବ୍ୟାକୁଳ ହୋଇ ଉଠୁଛି ।”

                ଉଷାର ଏଭଳି ଉତ୍ସୁକତା ଦେଖି ଚିତ୍ରରେଖା କହିଲା, “ସଖୀ କ’ଣ ତୁମେ ଜାଣନାହିଁ ଯେ ପୃଥିବୀ ଉପରେ ସ୍ୱୟଂ ଭଗବାନ୍ ନାରାୟଣ ଶ୍ରୀକୃଷ୍ଣଙ୍କ ରୂପରେ ଅବତାର ଗ୍ରହଣ କରିଛନ୍ତି ବୋଲି । ତାଙ୍କର ଳୀଳା ଅସୀମ । ତାଙ୍କ ପୁତ୍ର ହେଲେ ପ୍ରଦ୍ୟୁମ୍ନ ଯିଏକି ସ୍ୱୟଂ କାମଦେବଙ୍କ ଅବତାର । ସେ ଶ୍ରୀକୃଷ୍ଣଙ୍କ ପାଟରାଣୀ ଦେବୀ ରୁକ୍ମିଣୀଙ୍କ ଗର୍ଭରୁ ଜନ୍ମଲାଭ କରିଛନ୍ତି । ସେହି ପ୍ରଦ୍ୟୁମ୍ନଙ୍କ ପୁତ୍ର ଓ ଶ୍ରୀକୃଷ୍ଣଙ୍କ ନାତି ହେଲେ ଅନିରୁଦ୍ଧ । କୃପାରୁ ଅନିରୁଦ୍ଧଙ୍କ ରୂପ, ଗୁଣ, ସୌର୍ଯ୍ୟ ବୀର୍ଯ୍ୟ ତାଙ୍କର ପିତା ଓ ପିତାମହଙ୍କ ପରି ଅତୁଳନୀୟ । ଏହାଙ୍କର ପରାକ୍ରମ ପୃଥିବୀ ବିଖ୍ୟାତ, ସେ ଯଦି ତୁମର ପତି ହେବେ ତେବେ ତୁମ ସୌଭାଗ୍ୟର ପ୍ରଶଂସା ଆଦିଶେଷ କରିବାକୁ ମଧ୍ୟ ଯଥେଷ୍ଟ ହେବେନାହିଁ । ଆମ ରାଜ୍ୟ ପରି ଦ୍ୱାରିକା ମଧ୍ୟ ଅତ୍ୟନ୍ତ ସୁରକ୍ଷିତ କିନ୍ତୁ ମୁଁ ତୁମ ଖୁସିପାଇଁ କୌଣସି ନା କୌଣସି ଉପାୟରେ ନିଶ୍ଚୟ ସେଠାକୁ ଯାଇ ଏହାଙ୍କୁ ତୁମ ପାଖକୁ ନେଇ ଆସିବି ।”

                ଉଷା କହିଲା, “ଜାଣେ ତୁମେ ନାନା ପ୍ରକାର ଅଲୌକିକ ବିଦ୍ୟାରେ ଖୁବ୍ କୁଶଳୀ । ତୁମେ ତ ଇଚ୍ଛା ଅନୁସାରେ ରୂପ ନେଇପାର ଓ ଇଚ୍ଛା ଅନୁସାରେ ଯୁଆଡେ ବି ଯାଇପାର । ତେଣୁ ମନେରଖ ଅନିରୁଦ୍ଧଙ୍କୁ ମୁଁ ପ୍ରତ୍ୟକ୍ଷ ନ ଦେଖିଲେ ଆଉ ପ୍ରାଣ ରଖି ପାରିବି ନାହିଁ । ଏବେ ମୁଁ ତୁମକୁ ସାତଦିନ ସମୟ ଦେଲି । ତା’ ମଧ୍ୟରେ ତାଙ୍କୁ ଏଠାକୁ ନଆଣି ପାରିଲେ ତୁମେ ଫେରିଆସି କେବଳ ମୋର ମୃତଦେହହିଁ ଦେଖିବ ।”

                ତହୁଁ ଚିତ୍ରରେଖା ଅଳ୍ପ ହସି କହିଲା, “ତୁମେ ଏତେ ବ୍ୟସ୍ତ ହୁଅନାହିଁ । ଅନ୍ୟ ସଖୀମାନଙ୍କ ସହ ଏଠି ତୁମେ ବେଶ୍ ଖୁସିରେ ଥାଅ । ମୁଁ ତ ଏଇ ଏବେ ଯାଉଛି ।” ଏତିକି କହି ହଠାତ୍ ଆକାଶମାର୍ଗରେ ସେ କୁଆଡେ ଅଦୃଶ୍ୟ ହୋଇଗଲା ।

                ସେ ଅତି ଅଳ୍ପ ସମୟରେ ପ୍ରାୟ ଦ୍ୱାରକାରେ ପହଁଚିବାକୁ ଯାଉଛି, ବାଟରେ ଏକ ମନୋରମ ସରୋବର କୂଳରେ ଦେବର୍ଷି ନାରଦଙ୍କୁ ସେ ଦେଖିଲା । ସେଠାରେ ସେ ଓହ୍ଲାଇ ପଡି ନାରଦଙ୍କୁ ଯାଇ ପ୍ରଣାମ କଲା ।

                ନାରଦ ତ ସମସ୍ତିଙ୍କୁ ଚିହ୍ନିଥା’ନ୍ତି । ଏଣୁ ସେ ପଚାରିଲେ, “ଆରେ, ତୁ ଏଠାକୁ ଆସିଲୁ କିପରି?”

ଚିତ୍ରରେଖା ନାରଦଙ୍କୁ ସବୁକଥା ବୁଝାଇ କହିଲା । ତା’ପରେ ସେ ନାରଦଙ୍କୁ ନିବେଦନ କରି କହିଲା, “ମହାଶୟ, ମୁଁ ଅନିରୁଦ୍ଧଙ୍କୁ ନେଇଗଲେ ଶ୍ରୀକୃଷ୍ଣ ମୋ ଉପରେ ରାଗି ମୋତେ ଆଉ କିଛି ଅଭିଶାପ ଦେବେନାହିଁ ତ? ମୋର ଖାଲି ସେଇ ଗୋଟିଏ ଭୟ ମନେ ହେଉଛି । କାରଣ ବାଣାସୁର ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଯୁଦ୍ଧ ହେଲେ ବାଣାସୁର ତ ନିଶ୍ଚୟ ହାରିବ । ମୁଁ ମଝିରେ ଭଗବାନ୍ଙ୍କର କ୍ରୋଧ କିପରି ସହିବି । ତେଣୁ ଆପଣ ଯାଇ ଶ୍ରୀକୃଷ୍ଣଙ୍କୁ ଏସବୁକଥା କହି ଦିଅନ୍ତୁ । ତେବେ ସିନା ମୁଁ ମୋ କାମ ନିର୍ଭୟ ସହକାରେ କରି ପାରିବି ।”

ନାରଦ ଚିତ୍ରରେଖାକୁ ତାମସୀ ବିଦ୍ୟା ଶିଖାଇ କହିଲେ, “ଏବେ ତୁ ଅଦୃଶ୍ୟ ଭାବରେ ଅନିରୁଦ୍ଧକୁ ଏଠାରୁ ନେଇଯାଇ ପାରୁ । ବାଣ ସହିତ ଯୁଦ୍ଧ ହେବାବେଳେ ମୁଁ ଯାଇ ସେଠି ପହଁଚିବି ତା’ପରେ ତେଣିକି ସବୁ ଦାଇତ୍ତ୍ଵ ମୋର । ତୁ ଆଉ କିଛି ଚିନ୍ତା ନକରି ତୋ କାମ ନିଃଦ୍ୱର୍ନ୍ଦରେ କରିଯା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ