ମହାରାଜାଙ୍କ କଳା

ଭ୍ରମରପୁର ରାଜ୍ୟର ରାଜା ବିଚିତ୍ରସେନ ପ୍ରାସାଦ ବାରାନ୍ଦାରେ ଠିଆ ହୋଇ ପଶ୍ଚିମ ଦିଗ୍ବଳୟ ଆଡେ ଅନାଇଥିଲେ । ସୂର୍ଯ୍ୟ ଅସ୍ତ ଯାଉଥିଲେ । ମେଘ ସବୁ ସୁନାର ପାହାଡ ଭଳି ଦିଶୁଥିଲେ ।

ରାଜା ମୁଗ୍ଧ ହେଲେ । ସେହି ସୁନ୍ଦର ସୂର୍ଯ୍ୟାସ୍ତର ଦୃଶ୍ୟ ଅଳ୍ପ ସମୟ ପରେ ଲିଭିଯିବ, ଏହା ଭାବି ତାଙ୍କ ମନରେ ଭୀଷଣ ମାତ୍ରାରେ ଦୁଃଖ ହେଲା । ସେ ନିଜର ପ୍ରଧାନ ପରିଚାରକଙ୍କୁ ଡକାଇ ଆବଶ୍ୟକୀୟ ରଙ୍ଗ, ତୁଳୀ ଓ କନା ଯୋଗାଡ କରିବାକୁ ବରାଦ ଦେଲେ । ସେ ସେହି ସୂର୍ଯ୍ୟାସ୍ତକୁ ଚିତ୍ରପଟରେ ଚିରଦିନ ନିମନ୍ତେ ଧରି ରଖିବାକୁ ସିଦ୍ଧାନ୍ତ ନେଇଥିଲେ ।

ଘଂଟାଏ ଭିତରେ ଜିନିଷପତ୍ର ସବୁ ଆସିଗଲା । ରାଜା ଚିତ୍ରାଙ୍କନ ଆରମ୍ଭ କଲେ । ଏକାଗ୍ର ଭାବରେ ସେ ଆଙ୍କି ଚାଲିଥାନ୍ତି । ନିଜେ ନିଜେ କହୁଥାନ୍ତି, “ବାଃ, ବାଃ” ।

“ବାହା ବାଃ, ବାହା ବାଃ” ବୋଲି ପଛରୁ ଶୁଭିଲା । ରାଜା ବୁଲିପଡି ଅନାଇଲେ । ଦେଖିବା ବେଳକୁ ରାଜାଙ୍କ ଦରବାରର ଜଣେ ଅମାତ୍ୟ ସୁଜନଚନ୍ଦ୍ର ଠିଆ ହୋଇ ତାଳି ମାରୁଛନ୍ତି । ସୁଜନଚନ୍ଦ୍ର ରାଜାଙ୍କର ଅତି ପ୍ରିୟପାତ୍ର ଥିଲେ । କାରଣ ସୁଜନଚନ୍ଦ୍ରଙ୍କ ମୁହଁରୁ ସବୁବେଳେ ମଧୁର କଥା ବାହାରେ ।

ସୁଜନଚନ୍ଦ୍ର କହିଲେ “ମଣିମା! ଆପଣ ଜଣେ ଏଡେ ମହାନ୍ କୁଶଳୀ କଳାକାର, ସେକଥା ତ କାହିଁ ମୁଁ ଜାଣି ନଥିଲି!”

ଏହାଶୁଣି ମହାରାଜା ହସିଲେ ଓ ପଚାରିଲେ, “ଏ ଚିତ୍ର କିପରି ଲାଗୁଛି?”

ସୁଜନଚନ୍ଦ୍ର କହିଲେ “ମଣିମା! ଏ ଚିତ୍ରର ତ କୌଣସି ତୁଳନା ହିଁ ନାହିଁ । ଆପଣ ଯେପରି ଅସାଧାରଣ ସୁଶାସକ, ଠିକ୍ ସେହିପରି ଅସାଧାରଣ କଳାକାର ମଧ୍ୟ । ଜଣେ ସାଧାରଣ କଳାକାର ଲାଲ୍ ରଙ୍ଗରେ ସୂର୍ଯ୍ୟର ଚିତ୍ର ଆଙ୍କିଥାନ୍ତା, ଆପଣ ସୂର୍ଯ୍ୟକୁ ହଳଦିଆ ରଙ୍ଗରେ ଆଙ୍କିଛନ୍ତି । ଆପଣ ପୁଣି ମେଘମାଳାକୁ ସବୁଜ ରଙ୍ଗରେ ଆଙ୍କିଛନ୍ତି । ଆପଣଙ୍କ ସୂର୍ଯ୍ୟ ଲଡୁ ଭଳି ଦିଶୁଛନ୍ତି । ମେଘମାନେ ପିଠା ଭଳି ଦିଶୁଛନ୍ତି । ଏହାକୁ ଯଦି କଳା-ପ୍ରତିଭା ନ କହିବା, ତେବେ କାହାକୁ କହିବା? ଜନସାଧାରଣ ଯେ ଆପଣଙ୍କ ପ୍ରତିଭା ଚିହ୍ନିବାର ସୁଯୋଗ ପାଉ ନାହାଁନ୍ତି, ଏହା ଦେଶର ଦୁର୍ଭାଗ୍ୟ ଛଡା ଆଉ କ’ଣ ବା ହୋଇପାରେ?”

“ହୁଁ!” ରାଜା ଗମ୍ଭୀର ଦେଖାଗଲେ । ସେ ପଚାରିଲେ “ଆଚ୍ଛା, ଜନସାଧାରଣ ମୋ କଳା ଉପଭୋଗ କରିବାର ସୁଯୋଗ ପାଇଲେ ଭଲ ହେବ ଭାବୁଛ?”

ସୁଜନଚନ୍ଦ୍ର କହିଲେ “ଏଥିରେ କ’ଣ ଆଉ କିଛି ସନ୍ଦେହ ଅଛି, ମଣମା? ଆପଣ ସ୍ୱୟଂ ଚିତ୍ର ଆଙ୍କିଛନ୍ତି, ଏହାହିଁ ଲୋକଙ୍କୁ ଆପଣଙ୍କ ଚିତ୍ର ପ୍ରତି ଆକୃଷ୍ଟ କରିବ । ଥରେ ଆପଣଙ୍କ ଚିତ୍ର ପ୍ରତି ଆକୃଷ୍ଟ ହେଲେ ସେମାନଙ୍କ ଭିତରେ କଳା ଜ୍ଞାନର ଉଦ୍ରେକ ହେବ । ସେମାନେ ତେଣିକି ସାଧାରଣ କଳାକାରମାନଙ୍କ ଚିତ୍ର ପ୍ରତି ମଧ୍ୟ ଆକୃଷ୍ଟ ହେବେ ।”

ରାଜାଙ୍କୁ ଏ ପ୍ରସ୍ତାବ ବେଶ୍ ଭଲ ଲାଗିଲା । ସେ ସୁଜନଚନ୍ଦ୍ରଙ୍କ ସହ ଏ ପ୍ରସ୍ତାବ ବିଶେଷ ଭାବରେ ଆଲୋଚନା କଲେ । ପରଦିନହିଁ ଦଶ ବାରଜଣ ଯୁବକ କଳାକାରଙ୍କୁ ନିଯୁକ୍ତି ଦିଆଗଲା । ସେମାନଙ୍କ କାମ ହେଲା, ରାଜାଙ୍କ ଚିତ୍ରକଳା ସବୁ ସେମାନେ ଅନ୍ୟ କନାକୁ ଉତାରିବେ । ସେସବୁ ନକଲ ଚିତ୍ର ସୁନ୍ଦର କାଠପଟାଟିମାନ ଉପରେ ମଡା ହେବ ଓ ବନ୍ଧା ହେବ । ଅଳ୍ପ ମୂଲ୍ୟରେ ସେସବୁ ବିକ୍ରୟ ହେବ । ତା’ହେଲେ ଯାଇ ରାଜ୍ୟର ଗରୀବମାନେ ମଧ୍ୟ ତାହା କିଣି ପାରିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ