ରାଜା ବିକ୍ରମାଦିତ୍ୟଙ୍କୁ ଶାରୀ ଏପରି ଅଭିଶାପ ଦେଇ ପ୍ରାଣ ତ୍ୟାଗ କଲେ । ଶାରୀ ମୃତ୍ୟୁପରେ ରାଜା ଶାରୀ ମାଂସ ଭାଜି ଶୁକ ମାଂସ ସାଙ୍ଗରେ ମିଶାଇ ଏକତ୍ର କରି ରଖିଲେ । ଶୁକ ପକ୍ଷୀର ଗୁଣ ରାଜା ଭୁଲି ପାରୁନଥାନ୍ତି । ତା’କଥା ଭାବି କ୍ରନ୍ଦନ କରନ୍ତି । ଏହିପରି ଦୁଃଖରେ କିଛିଦିନ ବିତିଗଲା । ରାଜା ବିକ୍ରମାଦିତ୍ୟ ଦିନେ ନିର୍ଜନରେ ବସିଥିଲେ । ଶାରୀର ଅଭିଶାପ ତାଙ୍କ ମନରେ ପଡିଲା । ବିକ୍ରମାଦିତ୍ୟ ଚିନ୍ତାକଲେ ଶାରୀ ପ୍ରକୃତରେ ପତିବ୍ରତା । ସ୍ୱାମୀର ମୃତ୍ୟୁରେ ଅତ୍ୟନ୍ତ ଶୋକାକୂଳ ହୋଇ ଶାରୀ ଜୀବନ ତ୍ୟାଗ କଲେ । କମଳିନୀପାଇଁ ମୁଁ ମଧ୍ୟ କିଛି ଦିନ କ୍ରନ୍ଦନ କରିବି । ଏ ଅଭିଶାପ ଶାରୀ ମୋତେ ଦେଇଛି । ତା’ର ଅଭିଷାପ ନିଶ୍ଚିତ ମୋତେ ଫଳିବ ।
କମଳିନୀ କଥା ନୃପ ମନ ମଧ୍ୟରେ ଚିନ୍ତାଥାନ୍ତି। କମଳିନୀ କେଉଁଠାରେ କିପରି ରହିଛି । ସଦାସର୍ବଦା ରାଜା ମନ ମଧ୍ୟରେ ଚିନ୍ତା କରୁଥାନ୍ତି । ଏପରି ଚିନ୍ତା କରି ପାତ୍ର, ମନ୍ତ୍ରୀମାନଙ୍କୁ ପାଶକୁ ଡାକି ସମସ୍ତ କଥା ତାଙ୍କୁ ବୁଝାଇ କହିଲେ । ତୁମ୍ଭେମାନେ ଚତୁର୍ଦ୍ଦିଗକୁ ଯାଇ କମଳିନୀର ସନ୍ଦେଶ ମୋତେ ଦିଅ । ପୁରା ନଗର ମହାନଗର ମଧ୍ୟରେ ପ୍ରବେଶ କରି ସନ୍ଧାନ ନିଅ । ସନ୍ଧାନ ପାଇବା ମାତ୍ରେ ମୋତେ ଜଣାଇବ । ରାଜା ବିକ୍ରମାଦିତ୍ୟଙ୍କ ଆଦେଶ ପାଇ ପାତ୍ର ମନ୍ତ୍ରୀମାନେ ଯାଇ ଦେଶ ବିଦେଶ ସନ୍ଧାନ ନେଲେ ମାତ୍ର ସନ୍ଧାନ ନପାଇ ଫେରି ଆସି ରାଜାଙ୍କୁ ସନ୍ଧାନ ନପାଇବା କଥା କହିଲେ । କମଳିନୀର କୌଣସି ସନ୍ଧାନ ନପାଇ ରାଜା ଅତ୍ୟନ୍ତ ଦୁଃଖରେ ବାହୁଡିଯାଇ ପଲଙ୍କରେ ଶୟନ କଲେ ।
ରାତ୍ରିରେ ଶଯ୍ୟାରେ ଶୋଇଛନ୍ତି । ରାଜା ସ୍ୱପ୍ନରେ ଦେଖିଲେ ମନୋରମା ଓ କମଳିନୀ ତାଙ୍କ ପାଖରେ ବସିଛନ୍ତି । ଏଡେ ସୁନ୍ଦରୀ ସେ ସ୍ତ୍ରୀ । ତାଙ୍କୁ ରୂପରେ ବିଷ୍ଣୁ ପାଟରାଣୀ ମଧ୍ୟ ହାର ମାନିବେ । ପୂର୍ଣ୍ଣଚନ୍ଦ୍ର ଜିଣି ତା’ ବଦନ ସୁନ୍ଦର ଦିଶୁଛି । ନାନା ଢଙ୍ଗରେ କୌତୁକ କରି ରାଜାଙ୍କୁ କହୁଛି । ସ୍ୱପ୍ନରେ କମଳିନୀକୁ ଦେଖି ରାଜା କାମାତୁର ହୋଇ ତା’ ସଙ୍ଗରେ ବୀହାର କରିବାପାଇଁ ଚିନ୍ତାକଲେ । ସେ କାମିନୀ ରାଜାଙ୍କର ମନଜାଣି ତାଙ୍କୁ ଆଲିଙ୍ଗନ କଲା । ରାଜା ଅତ୍ୟନ୍ତ ସ୍ନେହରେ ତା’ ମୁଖରେ ଚୁମ୍ବନ ଦେଲେ । ହଠାତ୍ ତାଙ୍କର ନିଦ୍ରା ଭଙ୍ଗ ହେଲା । ଦେଖିଲେ ପାଖରେ କମଳିନୀ ନାହିଁ କି ମନୋରମା ନାହିଁ । ରାଜା ଅତ୍ୟନ୍ତ ଦୁଃଖିତ ହୋଇ ରହିଲେ । ରାଜା ବିକ୍ରମାଦିତ୍ୟ କହିଲେ ହା ପ୍ରିୟା, ତୁ କେଣେ ଗଲୁ ଏହା କହି ବିଛଣା ଉପର ସହିତ ଘରର ଚାରିକୋଣ ଖୋଜିଲେ । କମଳିନୀର ରୂପ ନିଶାରେ ରାଜା ବିକ୍ରମାଦିତ୍ୟ ପାଗଳ । କାମ ବାଣରେ ପୀଡାପାଇ ବାଳକ ସଦୃଶ କ୍ରନ୍ଦନ କଲେ । ଦୁଃଖରେ କହିଲେ ପ୍ରିୟେ ଦେଖାଦେଇ ମୋତେ ତୁମେ ଅନ୍ତର ହୋଇଗଲ । ଏବେ ପ୍ରାଣ ନେବାପାଇଁ ତୁମ୍ଭେ ବିଚାର କରିଛ ।