ଧୂଳିଆବାବା

 ଦେଗାଁର ହନୁମାନଜୀ ପ୍ରତ୍ୟକ୍ଷ ଦେବତା । ସେ ତ ଆଉ ଆଜିକାଲିକା କଳିଯୁଗର ଦେବତା ନୁହଁନ୍ତି, ସତ୍ୟଯୁଗରୁ ସେଠାରେ ସେ ବିରାଜୁଛନ୍ତି । ସେଠାକାର ମହନ୍ତ ମହାରାଜାଙ୍କ ନାମ ହନୁମାନ ଦାସ । ତାଙ୍କର ବି ଠିକ୍ ସେହିପରି ମହିମା । ବଡ ବଚନସିଦ୍ଧ ପୁରୁଷ ଥିଲେ ସେ । ଯାହାକୁ ଯାହା ସେ ଆଜ୍ଞା କରୁଥିଲେ, ତୁରନ୍ତ ତାହା ଫଳିଯାଉଥିଲା । ତେଣୁ ତାଙ୍କ ମହିମା କଥା ପୃଥିବୀଯାକ ଜାରୀ । ନାଗପୁର ମରହଟ୍ଟା ଫୌଜଦାର ସବୁ କଥା ଶୁଣିପାରି ତାଙ୍କୁ ଦର୍ଶନ କରିବାକୁ ଅଇଲା । ସକାଳଓଳିଆ ମହନ୍ତ ମହାରାଜ ଗୋଟାଏ କାନ୍ଥଡା ଉପରେ ବସି ଗଞ୍ଜେଇ ଟିପୁଥିଲେ । ଦୂରକୁ ଅନାଇ ଦେଲେ ଯେ ଗୋଟାଏ ଖୁବ୍ ବଡ ଦନ୍ତାହାତୀ ଉପରେ ଅମାରି କସା, ତା ଉପରେ ପାଟଛତା ଉଡୁଛି, ଫୌଜଦାର ତା ଉପରେ ବସି ଆସୁଛି । ମହନ୍ତ ମହାରାଜ ଖାଲି ଏତିକି କହିଲେ, ହଁ – ଚେଲ୍ ବାବା କାନ୍ଥଡା ଚେଲ୍! ଆଉ କଣ କାନ୍ଥଡା ସେଠି ରହିପାରେ, ଚାଲିଲା । ତେଣୁ ଆସୁଛି ହାତୀ, ଏଣୁ ଯାଉଛି କାନ୍ଥଡା, ଅଧବାଟରେ ସେମାନେ ହେଲେ ଭେଟାଭେଟି! ଫୌଜଦାର ଯିମିତି ଅନାଇ ଦେଇଛି ଆଉ କଣ ହାତୀରେ ସେ ବସିପାରେ । ଖପ୍କରି ହାତୀରୁ ଡେଇଁପଡି ଲମ୍ ଲମ୍ ଗୋଡତଳେ ପଡିଗଲା । ମହନ୍ତ ମହାରାଜ ତାଙ୍କୁ କଲ୍ୟାଣ କଲେ, ଜୀତେରହୋ – ଜୀତେରହୋ ବଚ୍ଚା, ଉଠ – ଉଠ । ଫୌଜଦାର ଯିମିତି ଉଠିଛି, ସାଙ୍ଗେ ସାଙ୍ଗେ ତମ୍ବା ପାଟିଆରେ ବାରବାଟୀ ଜମି ଅକରା ସନନ୍ଦ କରିଦେଲା । ଏହି ମହନ୍ତ ଗାଦିରେ ବସିଥିଲେ – ବାରଶ ବାର ବରଷ ବାର ମାସ ବାର ଦିନ । ସେ ତ ଥିଲେ ଇଚ୍ଛାମୟ ପୁରୁଷ, ଆଉ ପୃଥିବୀରେ ରହିବାକୁ ତାଙ୍କର ମନ ବଳିଲା ନାହିଁ । ଅଯୋଧ୍ୟାକୁ ଖବର ଗଲା । ହନୁମାନ ଗାଦିରୁ ଜଣେ ଚେଲା ଆସିଲେ । ୟାଙ୍କ ହାତରେ ଗାଦି ଦେଇ ସେ ସ୍ୱର୍ଗକୁ ଚାଲିଗଲେ । ଏ ଚେଲାଙ୍କ ନାମ ମର୍କଟ ଦାସ ମହନ୍ତ ମହାରାଜ । ଗାଦିର ମହିମା – ଏ ମହନ୍ତ ବି ଠିକ୍ ସେହିପରି । ୟାଙ୍କ ସମୟରେ ପଡିଲା ଫିରିଙ୍ଗୀ ଅମଳ ଜାରୀ । ସବୁ ଶୁଣି କଟକ ସାହେବ କହିଲା, କ୍ୟା – ହିନ୍ଦୁ ଫକିରଟା ଖଜଣା ନ ଦେଇ କେଉଁ ଏତେଗୁଡାଏ ଜମି ମାହାଳିଆ ଖାଏଗା? ବୋଲାଓ ଉସ୍କୁ ହାମ୍ ଦେଖେଙ୍ଗା । ପରବାନା ପାଇ ମହନ୍ତ ଘୋଡାରେ ଚଢି ବାହାରିଲେ । ଆଗରେ ତାଙ୍କର ବାନା ବୈରଖ ଉଡୁଛି, ହରିବୋଲ ବି ପଡୁଛି, କୀର୍ତନ ଲାଗିଛି, ଯାଇ ବିଜେ ହୋଇଗଲେ ମହାନଦୀ କୂଳରେ । ଭୋଦୁଅ ମାସିଆ ଦିନ – ମହାନଦୀ ଏକୂଳ ସେକୂଳ ଖାଉଛି । ବର୍ଷା ତୋଫାନ ବୋଲେ ମୁହିଁ – ନାଉରି କହିଲା, ନାଆ ଫିଟାଇବି ନାହିଁ । ପାରି ହେଉଛନ୍ତି କିମିତି? ମହନ୍ତ ମହାରାଜ ଆଜ୍ଞା କଲେ, ପରବା ନାହିଁ । ତାଙ୍କ କାଖରେ ଯେଉଁ ବାଘଛାଲ ଥିଲା, ତାକୁ ସେ ପାଣିରେ ପାରି ଦେଲେ – ଆପେ ବିଜେ ହୋଇଗଲେ, ଅଧିକାରୀ ଟହଲିଆ ସୁଆର ଚଳିବା ଭଳି ଲୋକଙ୍କୁ ପାଖରେ ବସାଇ ନେଲେ । ଜଣେ ଛତିଆ ମହନ୍ତଙ୍କ ମୁଣ୍ଡ ଉପରେ ପାଟଛତି ଟେକିଥାଏ । ଦୁଇ ଜଣ ବାହିଆ ଛାଲ ବାହି ଯାଉଥାନ୍ତି । ଏଣେ ମହାନଦୀ ଆରକୂଳରେ ସାହେବ ରାଉଟି ପକାଇ ବସିଥିଲା । ଦୂରବୀନରେ ଚାହିଁଦେଲା, ପାଖ ଲୋକଙ୍କୁ ପଚାରିଲା, ଏ କ୍ୟା? ତହୁଁ ଲୋକେ କହିଲେ, ହିନ୍ଦୁ ଫକିର ବିଜେ ହୋଇ ଆସୁଛନ୍ତି । ଏସବୁ ଦେଖି ସେ ସାହେବ ଆଉ କଣ ଚୌକିରେ ବସିବ – ସିଧା ନଈକୂଳକୁ ଧାଇଁ ଆଇଲା । ମୁଣ୍ଡରୁ ଟୋପି ତଳେ ରଖି ସେ ତିନି ସଲାମ କଲା । କହିଲା – ଯାଓ ଫକିର! ତୁମାରା ଜମିନ ବାହାଲ । ଏ ମହନ୍ତ ଦେଢହଜାର ବର୍ଷ ଗାଦିରେ ବସିଥିଲେ । ତାଙ୍କର ଉତାରେ ସେ ଗାଦିରେ ବସିଲେ ଜମ୍ବୁବାନ ମହନ୍ତ ମହାରାଜ । ସେ ମନ୍ଦିର ପଛପଟରେ ଯେଉଁ ଦି ଫାଙ୍କୁଡିଆ ବୁଢା ସାହାଡା ଗଛ ଦେଖୁଛ, ଏଟା କଣ ଜାଣ? ମହନ୍ତ ଦିନେ ସାହାଡା ଦାନ୍ତକାଠିରେ ଦାନ୍ତ ଘଷୁଥିଲେ । କାଠିଖଣ୍ଡ ଦାନ୍ତରେ ଚିରି ଜିଭ ଛେଲିପକାଇ ଦୁଇ ଖଣ୍ଡ କାଠି ଯୋଡି ମାଟିରେ ପୋତିଦେଲେ । ତା ଉପରେ ଯେମିତି ସେ ଟୋପାଏ ପାଣି ପକାଇଛନ୍ତି, ସିମିତି ତାହା ଗଜେଇ ଗଲା । ଏଇଟା ହେଉଛି ସେଇ ଗଛ । ବର୍ତ୍ତମାନ ମହନ୍ତଙ୍କ ନାମ ବାନ୍ଦର ଦାସ ମହନ୍ତ ମହାରାଜ । ଏପରି ପୁରୁଷ କାହିଁ ଦେଖା ନାହିଁ, ନ ଥିବ ବୋଧେ । ପଂଚହତା ମର୍ଦ, ଗାଲ ଓଠ ଛାତିରେ ଲାଗିଯାଇଛି, ବେକ ଦିଶେ ନାହିଁ । ବାହୁ ଆଉ ଲୋକଙ୍କ ଜଙ୍ଘ ପରି, ମୋଟା ପେଟଟି ଗୋଟିଏ ଦଶନୌତିଆ ଘୁମ । ଅଜଣା ଲୋକ ତାଙ୍କୁ ହଠାତ୍ ଦେଖି କହିବେ, ମହନ୍ତ ଲଙ୍ଗଳା । ନାହିଁ ନାହିଁ – ଚାଖଣ୍ଡେ ଚୌଡା ଦେଢ ହାତ ଲମ୍ବ ଖଣ୍ଡେ କନା କୌପୀନ ସେ ମାରିଥାଆନ୍ତି । ଜଙ୍ଘକୁ ଜଙ୍ଘ ଲାଗିଯାଇଛି – ପେଟଟି ତାଙ୍କର ଝୁଲିପଡିଛି, ତେଣୁ କୌପୀନ ଦିଶେ ନାହିଁ । ଏ ମହନ୍ତଙ୍କର ବି ମହିମା ଅପାର । ସେ ମନ୍ଦିରରେ ଏତେ ଖଟ ପଲଙ୍କ, ହେଲେ ସେ କୋଉଥିରେ ବି ଶୋଇବେ ନାହିଁ, ସବୁବେଳେ ଖାଲି ସେ ଧୂଳିରେ ଗଡୁଥାନ୍ତି । ଏଣୁ ତାଙ୍କ ଦେହଯାକ ଧୂଳିଧୂସର । ତାଛଡା ସେ କେବେ ବି ସ୍ନାନ କରନ୍ତି ନାହିଁ, ପାଣି ମଧ୍ୟ ଛୁଅନ୍ତି ନାହିଁ । ଏଥିପାଇଁ ଲୋକମାନେ ସେ ମହନ୍ତ ମହାରାଜଙ୍କୁ ଧୂଳିଆବାବା ବୋଲି ଡାକନ୍ତି । ମନ୍ଦିରରେ ଏତେ ଧନଦୌଲତ, ଏତେ ପିଠା ଖଜା, ହେଲେ ସେ ମହନ୍ତ ସେସବୁ କିଛି ବି ଛୁଇଁବେ ନାହିଁ । ଦଶ ସେର ନିରୁତା ଦୁଧ ଆଉଟି ଆଉଟି ପାଂଚ ସେର ରହିବ – ଅଳତା ଫଡା ପରି ତା’ଉପରେ ସର ପଡିବ – ଦି’ପହର ଧୂପରେ ଠାକୁରଙ୍କ କତିରେ ତାହାହିଁ ଭୋଗ ଲାଗେ – ସେ ମହନ୍ତ ମହାରାଜ କେବଳ ସେତିକି ସେବା କରନ୍ତି । ଆଉ ତୋଳାଏ ଆପୁ, ପାଏ ଗଞ୍ଜେଇ ଖଞ୍ଜା । ଦିନରାତି ତାଙ୍କ ହାତରୁ ଗଞ୍ଜେଇ ଚିଲମ ମୋଟେ ଛୁଟଣ ନ ଥାଏ । ତେଣୁ ତାଙ୍କ ଆଖି ଯୋଡିକ ସାନ ସାନ ସିନ୍ଦୂରବିନ୍ଦୁ ପରି ଲାଲ । ସବୁବେଳେ ସେ ଖାଲି ମିଞ୍ଜିମିଞ୍ଜି କରି ଚାହାଁନ୍ତି । ତାଙ୍କ ଗଞ୍ଜେଇ ଚିଲମଟା ହାତେ ଲମ୍ବ । ଦଶ ପନ୍ଦର ଜଣ ଭଗତ-ଚେଲା ସବୁବେଳେ ତାଙ୍କୁ ବେଢି ବସିଥାନ୍ତି । ଗଞ୍ଜେଇଟିପା କାମ ପାଂଚ ଛ’ଜଣଙ୍କ ହାତରେ ଲାଗିଥାଏ । ମନ୍ଦିରରୁ ପ୍ରସାଦ ସେବାକରି ସବୁବେଳେ ଏମାନେ ପାଖରେ ହାଜର ।


ଗପ ସାରଣୀ

ତାଲିକାଭୁକ୍ତ ଗପ