ଶିବ ପୁରାଣ

ଭଗବାନ୍ ଶିବଙ୍କର ରୁଦ୍ରଗଣ ଓ ରାକ୍ଷସମାନଙ୍କ ମଧ୍ୟରେ ବହୁକାଳ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଲା । କିନ୍ତୁ ରାକ୍ଷସମାନେ କୌଣସି ମତେ ହାରିଯାଉ ନଥାନ୍ତି ଏହା ଦେଖି ଶିବ ଖୁବ୍ ବିସ୍ମିତ ହେଲେ । ସେ ବିଷ୍ଣୁଙ୍କୁ ସ୍ମରଣ କରି ତାଙ୍କୁ ପଚାରିଲେ, “ଏତେଦିନ ଧରି ଯୁଦ୍ଧ ହେଉଛି ଅଥଚ ରାକ୍ଷସ ସଂଖ୍ୟା ମୋଟେ କ୍ଷୟ ହେଉନାହିଁ ଏହାର କାରଣ କ’ଣ?”

                ବିଷ୍ଣୁ କହିଲେ, “ଶଙ୍ଖଚୂଡର ପତ୍ନୀ ତୁଳସୀର ପତିବ୍ରତା ଧର୍ମ ସେମାନଙ୍କୁ ରକ୍ଷା କରୁଛି । ମୁଁ ତୁଳସୀର ପାତିବ୍ରତ୍ୟ ଭାଙ୍ଗିବାକୁ ଚେଷ୍ଟା କରୁଛି, ଆପଣ ଶଙ୍ଖଚୁଡକୁ ସଂହାର କରନ୍ତୁ ।”

                ବିଷ୍ଣୁ ଶଙ୍ଖଚୂଡର ରୂପ ଧାରଣ କରି ତୁଳସୀଙ୍କ ନିକଟକୁ ଯାଇ କହିଲେ, “ଶିବଙ୍କ ସହିତ ଯୁଦ୍ଧ ବହୁତ ଦିନ ଧରି ଚାଲିଛି । ମୁଁ ଘରକୁ କିଛି ସମୟ ପାଇଁ ବିଶ୍ରାମ କରିବାକୁ ଆସିଛି ।”

                ଅନେକ ଦିନ ପରେ ସ୍ୱାମୀ ପ୍ରତ୍ୟାବର୍ତ୍ତନ କରିବାର ଦେଖି ତୁଳସୀ ଟିକେ ଆଶ୍ୱସ୍ତ ହେଲେ ।

                ତୁଳସୀ ଖୁସି ହୋଇ ସ୍ୱାମୀଙ୍କର ସେବାଯତ୍ନ କରିବାକୁ ଲାଗିଲେ । ସେ ଜାଣି ନଥିଲେ ସ୍ୱୟଂ ବିଷ୍ଣୁ ଛଦ୍ମବେଶରେ ତାଙ୍କୁ ଏପରି ପ୍ରତାରିତ କରିଛନ୍ତି ବୋଲି । ରାତିରେ ହଠାତ୍ ନିଦ ଭାଙ୍ଗି ଯିବାରୁ ତୁଳସୀ ଉଠି ପଡି ଦେଖିଲେ ତାଙ୍କ ପଲଙ୍କରେ ସ୍ୱାମୀଙ୍କ ବଦଳରେ ଚତୁର୍ଭୁଜ ବିଷ୍ଣୁ ଶୋଇଛନ୍ତି । କାରଣ କୌଣସି ମାୟାରୂପ ନିଦ୍ରାକାଳରେ ରହିପାରେ ନାହିଁ ।

                ଶିବଙ୍କ ସହ ଶଙ୍ଖଚୂଡର ଲଢେଇ ଅବ୍ୟାହତ ଥାଏ । ଶିବ ବିଷ୍ଣୁଙ୍କ ସାଫଲ୍ୟକୁ ଅପେକ୍ଷା କରି ଯୁଦ୍ଧ କରି ଯାଉଥାନ୍ତି । ତେବେ ତାଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିଲା ନାହିଁ । ତୁଳସୀ ମନରେ କୌଣସି ସନ୍ଦେହ ପୋଷଣ ନକରି ବିଷ୍ଣୁଙ୍କୁ ଶଙ୍ଖଚୂଡ ବୋଲି ଧରି ନେଇଥାନ୍ତି ।

                ଏଣେ ତୁଳସୀଙ୍କ ପାତିବ୍ରତ୍ୟ ଭାଙ୍ଗିବାରୁ ଶଙ୍ଖଚୂଡକୁ ଶିବ ବଧ କଲେ । ତୁଳସୀ ବିଷ୍ଣୁଙ୍କର ଏପରି ଆଚରଣ ଦେଖି ବହୁତ ଦୁଃଖିତ ହେଲେ ଓ ତାଙ୍କୁ ଶାପ ଦେଲେ, “ଆପଣ ଜ୍ଞାନୀ ହୋଇ ଅଜ୍ଞାନୀ ପରି ବ୍ୟବହାର କରିଛନ୍ତି । ତେଣୁ ଆପଣ ଏବେ ପଥର ହୋଇଯା’ନ୍ତୁ ।”

                “ତୁଳସୀ, ତମେ ଲକ୍ଷ୍ମୀଙ୍କର ଅଂଶରେ ଜନ୍ମ ନେଇଛ । କେତେ ସମୟ ପାଇଁ ତୁମେ ଏ ଅସୁରପୁରୀରେ ଥାଇ ସବୁ ଭୁଲି ମୋତେ ଶାପ ଦେଲ! ଶଙ୍ଖଚୂଡ ମଧ୍ୟ ମୋରି ଅଂଶଜାତ ବୋଲି ମୁଁ ତା’ ସହିତ ଯୁଦ୍ଧ କଲିନାହିଁ । ଏବେ ସେ ଶିବଙ୍କ ଦ୍ୱାରା ନିହତ ହୋଇ ତା’ର ମର ଦେହ ଛାଡି ଦିବ୍ୟ ଦେହ ଦେଇ ମୋ ସହିତ ମିଶିଗଲାଣି । ତୁମେ ଚାଲ ମୋ ସହିତ ବୈକୁଣ୍ଠକୁ ସେଠାରେ ଲକ୍ଷ୍ମୀଙ୍କ ସହିତ ମିଶିଯିବ । କିନ୍ତୁ ତୁମ ଶାପ ଅନୁସାରେ ମୁଁ ଗଣ୍ଡକୀ ନଦୀରେ ପବିତ୍ର ଶାଳଗ୍ରାମ ରୂପରେ ବାସ କରିବି । ତୁମର ସ୍ଥାନ ମଧ୍ୟ ସର୍ବଦା ମୋ ମସ୍ତକରେ ରହିବ । ତୁମର ଜନ୍ମର ସାର୍ଥକତା ସେଇଠି ହେବ ଯେତେବେଳେ ତୁମେ ତୁଳସୀ ଗଛ ରୂପରେ ସମସ୍ତଙ୍କୁ ପବିତ୍ର କରିବ । ଏପରିକି ତୁଳସୀ ବିନା ବିଷ୍ଣୁ ପୂଜା ଅସମ୍ଭବ । ତୁମେ ମୋ ସହିତ ମର୍ତ୍ତ୍ୟରେ ସର୍ବଦା ରହିଥିବ । ଏବେ ଚାଲ ବୈକୁଣ୍ଠକୁ ଯିବା ।” ଏହା କହି ବିଷ୍ଣୁ ତୁଳସୀଙ୍କୁ ସାଥିରେ ନେଇ ବୈକୁଣ୍ଠକୁ ଫେରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ