ତାନ୍ତ୍ରିକ

ରାଜଗଡର ରାଜକୁମାରୀ ରୂପମତୀ ଥିଲେ । ସେ ନିଜର ନାମକୁ ସାର୍ଥକ କରିଛନ୍ତି; ସେ ଦେଖିବାକୁ ଅତ୍ୟନ୍ତ ରୂପବତୀ । କିନ୍ତୁ ଏକମାତ୍ର କନ୍ୟା ବୋଲି ଶିଶୁକାଳରୁ ଅତିବେଶି ଆଦର ପାଇ ସେ ନଷ୍ଟ ହୋଇଛନ୍ତି । ଅତି ଯିଦ୍ଖୋର, ହଠାତ୍ କିଛି ଅବାନ୍ତର କଥା ମନରେ ଆସିଲା ତ ସେ ତାହା ନକରି କେବେବି ଛାଡିବେ ନାହିଁ । ସଖୀଗଣଙ୍କ ମଧ୍ୟରେ ବିମଳା ଥିଲା ତାଙ୍କର ଅତି ପ୍ରିୟ ଓ ଘନିଷ୍ଠ । କାହାକୁ କିଛି ନକହି ହଠାତ୍ ବିମଳାକୁ ନେଇ ସେ ଜଙ୍ଗଲକୁ ବୁଲିଯା’ନ୍ତି ।

                ଦିନେ ଜଙ୍ଗଲରେ ବୁଲୁବୁଲୁ ଦୂରରେ ଥିବା ଏକ ଭଗ୍ନଦୁର୍ଗ ତାଙ୍କର ଦୃଷ୍ଟିଗୋଚର ହେଲା । ସେ ବିମଳାକୁ କହିଲେ, “ମୁଁ ଥରେ ସେହି ଦୁର୍ଗକୁ ଯାଇ ଦେଖିବି ଯେ ସେଠାରେ କ’ଣ ଅଛି । ତୁ ମୋ ସାଙ୍ଗରେ ଚାଲ୍ ।”

                ତାଙ୍କର ଏହି ଅଜବ ଯିଦ୍ ଶୁଣି ବିମଳା କହିଲା, “ରାଜକୁମାରୀ, ଏସବୁ ବାଜେ ଯିଦି ଛାଡି ଦିଅ । ଭଙ୍ଗାରୁଜା ଦୁର୍ଗରେ ତାନ୍ତ୍ରିକ ଅଥବା ଭୂତ ଛଡା ଆଉ କେହିବି ରହନ୍ତି ନାହିଁ ।”

                ଏକଥା ଶୁଣି ରୂପମତୀ କହିଲେ “ତୋ ପରି ଡରୁଆ ଏ ଜଗତରେ ଆଉ କେହି ମଧ୍ୟ ନାହିଁ । ତୁ ନଗଲେ ମଧ୍ୟ ମୁଁ ଦିନେ ନା ଦିନେ ଅବଶ୍ୟ ତା’ ଭିତରକୁ ଯିବି ଓ ଦେଖିବି ସେଠାରେ କ’ଣ ଅଛି ।”

                ରାଜାରାଣୀ ଭାବିଲେ, “ଝିଅ ଗେହ୍ଲା ହୋଇ ନଷ୍ଟ ହୋଇଛି । ତା’ର ତ ବିବାହବୟସ ହେଲାଣି, ଏଣିକି ତାକୁ ବିବାହ ଦେଇଦେଲେ ସେ କାଳେ ସୁଧୁରି ଯିବ ।” ଅନେକ ରାଜ୍ୟ ଖୋଜି ଖୋଜି ରାମଗିରିର ଯୁବରାଜ ରତ୍ନସେନଙ୍କ ସହିତ ରୂପମତୀଙ୍କ ବିବାହ ପ୍ରସ୍ତାବ କରିବାକୁ ସେମାନେ ଭାବିଲେ ।

                ରୂପମତୀ ବିବାହ କଥା ଶୁଣି ବିରକ୍ତ ହୋଇ କହିଲେ, “ତୁମେମାନେ ମୋର ଅନୁମତି ନନେଇ ବିବାହ ଠିକ୍ କରିପକାଇଲ । ଅନ୍ତତଃ ଏତିକି କଥା ମୋତେ ଜଣାଇବା ଉଚିତ୍ ଯେ ସେ ରାଜକୁମାରଙ୍କର ବିଶିଷ୍ଟତା କ’ଣ ଅଛି?”

                ଝିଅକଥା ଶୁଣି ରାଜା କହିଲେ, “ରାମଗିରି ରାଜ୍ୟର ଯୁବରାଜ ରତ୍ନସେନ ଖୁବ୍ ବିଦ୍ୱାନ, ଶିକ୍ଷିତ, ଗୁରୁକୂଳରେ ଶିକ୍ଷା ପାଇଛନ୍ତି । ଦେଖିବାକୁ ସେ ଖୁବ୍ ଭଲ । ନିକଟ ଭବିଷ୍ୟତରେ ରାଜ୍ୟର ରାଜା ହେବେ ।”

                ରାଜାଙ୍କ କଥାରେ ରୂପମତୀ କହିଲେ, “ସେ ସୁନ୍ଦର, ବିଦ୍ୟାବାନ୍ ପୁଣି ଯୁବରାଜ ତେଣୁ ରାଜା ହେବେ; ଏସବୁ ତ ସହଜ କଥା, ଅନେକ ଯୁବରାଜଙ୍କ ମଧ୍ୟରେ ଥିବ । କିନ୍ତୁ ତାଙ୍କ ମଧ୍ୟରେ ବିଶିଷ୍ଟତା କ’ଣ ଏମିତି ଅଛି ଯେ ମୋ ପାଇଁ ତୁମେ ତାଙ୍କୁ ପସନ୍ଦ କରି ପକାଇଲ? ମୁଁ ଚାହେଁ କୁଆଡେ ପାଣିରେ ବୁଡନ୍ତା ବା ଆକାଶରେ ଉଡନ୍ତା ବା ସେହିପରି କିଛି ବିଶିଷ୍ଟତା ତାଙ୍କ ମଧ୍ୟରେ ଥା’ନ୍ତା ।”

                ରାଜା କହିଲେ, “ତୁ ପାଗଳ ହୋଇଗଲୁ ନା କ’ଣ? ନା ତୋ ଉପରେ କେହି ଭୂତ ସବାର ହୋଇଛି? ତୁ ଭଲ କରି ଶୁଣ୍ ଯେ ରତ୍ନସେନଙ୍କ ସହିତହିଁ ତୋର ବିବାହ ନିଶ୍ଚିତ ଭାବରେ ହେବ ।”

                କିଛିଦିନ ପରେ ରତ୍ନସେନ ତାଙ୍କ ବନ୍ଧୁବାନ୍ଧବ ମିତ୍ର, ପାତ୍ରମନ୍ତ୍ରୀ ଧରି ଏହି ରାଜ୍ୟକୁ ଆସିଲେ । ସମସ୍ତେ ଅତିଥି ଭବନରେ ରହିଲେ । ଏଣେ ହଠାତ୍ ରାଜକୁମାରୀ କୁଆଡେ ଚାଲିଗଲେ ଯେ କେଉଁଠାରେ ମିଳୁ ନାହାଁନ୍ତି । ରାଜା ବହୁତ ଚେଷ୍ଟା କରି ସୈନ୍ୟ ପଠାଇ ଖୋଜିଲେ । ହେଲେ କେଉଁଠି ମଧ୍ୟ ତାଙ୍କର ସନ୍ଧାନ ମିଳିଲା ନାହିଁ । କେହି ବୁଝି ପାରିଲେ ନାହିଁ ଯେ ଏପରି ସେ କାହିଁକି କଲେ?


ଗପ ସାରଣୀ

ତାଲିକାଭୁକ୍ତ ଗପ