ଗଙ୍ଗାସ୍ନାନର ଫଳ

ଗୋଟିଏ ଗ୍ରାମରେ ଜଣେ ସରଳ ବ୍ରାହ୍ମଣ ରହୁଥିଲା । ସେ ଆଦୌ ପାପ କରେନି । କିନ୍ତୁ ଥରେ ଅଜାଣତରେ ତା ଦ୍ୱାରା ଏକ ପାପ ହେଲା । ଲୋକମାନେ ତାକୁ ପଚାରିଲେ ପାପର ପ୍ରାୟଶ୍ଚିତ କିପରି କରିବ? ତହୁଁ ସେ କହିଲା ଜୀବିତ ରହିଥିବା ପର୍ଯ୍ୟନ୍ତ ଗଙ୍ଗାରେ ସ୍ନାନ କରି ଭଗବାନଙ୍କୁ ଧ୍ୟାନ କଲେ, ମୋ ପାପର ନିଶ୍ଚୟ ପାୟଶ୍ଚିତ ହେବ ।

                ଦିନେ ସେହି ବ୍ରାହ୍ମଣ ଜଣକ ତା ଗଣ୍ଠିଲି ପତ୍ର ବାନ୍ଧି, ଜମିବାଡି ଧନ ସମ୍ପତ୍ତି ପୁଅକୁ ଦେଇ ଗଙ୍ଗା ଯିବାକୁ ବାହାରିଲା । ଯାଉଯାଉ ବାଟରେ ଏକ ବଡ ଜଳପ୍ରବାହ ଦେଖି ସେ ଭାବିଲା, “ଆରେ ଏଇତ ଗଙ୍ଗା ।” ସେଇଠି ସେ ପାଞ୍ଚବର୍ଷ ରହିଲା । ସେ ସେଠି ଭିକ୍ଷା କରି ଖାଉଥାଏ । ପ୍ରତିଦିନ ସେଥିରେ ସେ ସ୍ନାନ କରି ଭଗବାନଙ୍କ ନାମ ନିଏ । ଏମିତି ପାଞ୍ଚବର୍ଷ ବିତିଗଲା । ଗଙ୍ଗା ବୋଲି ଭାବି ସେ ସେହି ନଦୀଟିକୁ ବଡ ଆନନ୍ଦରେ ଗଙ୍ଗାକୁ ପ୍ରାର୍ଥନା କରି ସେହିଠାରେହିଁ ରହିଥାଏ । ଦିନେ ଜଣେ ଶିବଭକ୍ତ ସେଇ ବାଟ ଦେଇ ଯାଉଥିଲା; ବ୍ରାହ୍ମଣକୁ ଦେଖି ସେ କହିଲା, “ପୁତ୍ର, ତୁ ଏଠି କ’ଣ କରୁଛୁ?”

                ତା’ପରେ ସେ ବ୍ରାହ୍ମଣ କହିଲା, “ମହାଶୟ, ମୁଁ ମୋର ଅଜାଣତରେ ପାପଟିଏ କରିଛି । କେବଳ ତା’ରି ପ୍ରାୟଶ୍ଚିତ ପାଇଁ ମୁଁ ଏଠାରେ ନିତ୍ୟ ଗଙ୍ଗାସ୍ନାନ କରି ଭଗବାନଙ୍କୁ ଧ୍ୟାନ କରେ ।”

                ଏହାଶୁଣି ସେ ଶିବଭକ୍ତ ଜଣକ ଜୋର୍ରେ ହସି ହସି କହିଲା, “ମୂର୍ଖ ନା କ’ଣ? ଏଇ ସାଧାରଣ ଜଳ ପ୍ରବାହକୁ ତୁ ପୁଣି ଗଙ୍ଗା କହୁଛୁ । ଗଙ୍ଗା ସହିତ ଏହାକୁ ତୁଳନା କଲେ ତ ଆକାଶ ପାତାଳ ତଫାତ୍ ହେବ । ତୁ ଉଇହୁଙ୍କାକୁ ହିମାଳୟ ବୋଲି ଭାବୁଛୁ । ତୋପରି ଲୋକ ଦ୍ୱିତୀୟ ମୁଁ କେବେବି ଦେଖି ନାହିଁ । ପ୍ରକୃତ ଗଙ୍ଗା ତ ଏହିଠାରୁ ପ୍ରାୟ ଦୁଇଶହ କୋଶ ହେବ ।”

                ବ୍ରାହ୍ମଣ କହିଲା “ମହାଶୟ, ଆପଣ ମୋର ବହୁତ ବଡ ଉପକାର କଲେ । ଆପଣ ବଡ ପୁଣ୍ୟବାନ୍ ।” ତା’ପରେ ସେ ତାର ଗଣ୍ଠିଲି ପତ୍ର ବାନ୍ଧି, ଗଙ୍ଗା ଅନ୍ୱେଷଣରେ ଆଗକୁ ବାହାରିଲା ।

                ବହୁତ ଦୂର ଯିବାପରେ ଛୋଟ ନଦୀଟିଏ ଦେଖି, ତାକୁ ଗଙ୍ଗା ବୋଲି ଭାବି ସେ ଅତି ପ୍ରସନ୍ନ ଚିତ୍ତରେ ସେଠି ରହିଲା । ସେଠାରେ ମଧ୍ୟ ପାଞ୍ଚବର୍ଷ ବିତିଗଲା । ଦିନେ ଜଣେ କାପାଳିକ ସେହିବାଟଦେଇ ଯାଉଥିଲା । ବ୍ରାହ୍ମଣଟି ସହିତ କଥାବାର୍ତ୍ତା କରି ସେ ସବୁ ବୁଝିଲା ଓ କହିଲା, “ଏ ନଦୀର ତ ସେମିତି କିଛି ହେଲେ ବି ମହତ୍ତ୍ୱ ନାହିଁ । ତୁ ଏହାକୁ ଗଙ୍ଗା ଭାବିଛୁ? ପାଞ୍ଚବର୍ଷର ତପସ୍ୟା ବୃଥା? ଛାଡ ଏବେ ମଧ୍ୟ ସମୟ ଅଛି, ତୁ ଗଙ୍ଗାକୁ ସ୍ନାନ କରିବାକୁ ଯା ।” ଏକଥା ଶୁଣିବା ମାତ୍ରେ ବ୍ରାହ୍ମଣ ଚମକି ପଡି କହିଲା, “ଏଁ, ଇଏ ବି ଗଙ୍ଗା ନୁହେଁ?”

                କାପାଳିକ କହିଲା “କାହିଁ ଗଙ୍ଗା, ଆଉ କାହିଁ ଏହି ସାଧାରଣ ନଦୀ?” ବ୍ରାହ୍ମଣ ବହୁ ବିନୟ ପୂର୍ବକ କହିଲା, “ଭଲ ହେଲା । ଆପଣ ମୋତେ ପ୍ରକୃତ କଥା କହିଲେ ନହେଲେ ମୃତ୍ୟୁ ପର୍ଯ୍ୟନ୍ତ ମୁଁ ଏଇଠି ରହିଥା’ନ୍ତି ।” ତା’ପରେ ବ୍ରାହ୍ମଣ ତା ଗଣ୍ଠିଲି ପତ୍ର ବାନ୍ଧି ସେଠାରୁ ଗଙ୍ଗା ଉଦ୍ଧେଶ୍ୟରେ ଚାଲିଲା । ଚାଲିଚାଲି ଶେଷରେ ସେ ନର୍ମଦା ନଦୀ ପାଖରେ ଯାଇ ପହଁଚିଲା । ପୂଣ୍ୟତୋୟା ନର୍ମଦାରେ ଅନେକ ଲୋକ ସ୍ନାନ କରୁଥିବାର ଦେଖି ସେ ମଧ୍ୟ ସେଠାରେ ସ୍ନାନ କଲା ଓ ଗଙ୍ଗା ଭାବି ସେଇଠି ରହିଲା । କେତେକ ଯାତ୍ରୀ ନଦୀରେ ପୂଜା କରି “ନର୍ମଦା” ବୋଲି କହି ସେଥିରେ ଫୁଲ ପକାଇ ଚାଲିଯିବା ବେଳେ ବ୍ରାହ୍ମଣ ତାଙ୍କୁ ପଚାରିଲା, “ମହାଶୟ, ଏ ନଦୀର ନାମ କ’ଣ?”

                ଯାତ୍ରୀ କହିଲେ “ଏହା ଅତି ପବିତ୍ର ନର୍ମଦା ନଦୀ”

                “ମହାଶୟ, ଆପଣ ମୋର ବଡ ଉପକାର କଲେ ।” ଏହା କହି ବ୍ରାହ୍ମଣ ତା ଗଣ୍ଠିଲି ପତ୍ର ବାନ୍ଧି ସେଠୁ ଉଠିଲା । ସେତେବେଳକୁ ସେଠାରେ ସେ ପାଞ୍ଚବର୍ଷ ରହି ସାରିଥାଏ । ଘରୁ ଆସିବାପରେ ତାର ପନ୍ଦରବର୍ଷ ବିତିଗଲାଣି । ବୟସ ହୋଇଗଲାଣି । ଶକ୍ତି କ୍ଷୀଣ । ତପସ୍ୟା ଯୋଗୁଁ ଶରୀର ଶୁଷ୍କ । ଚାଲି ଚାଲି ବହୁ କଷ୍ଟରେ ସେ ଆଗେଇ ଯାଉଥାଏ । ଅବସ୍ଥା ଏପରି ହେଲା ଯେ ଶେଷରେ ସେ ଆଉ ଚାଲିପାରିଲା ନାହିଁ । ବହୁଚେଷ୍ଟା କରି ଘୋଷାରି ହୋଇ ସେ ଚାଲିଥାଏ । ଦୂରରୁ ସେ ଗଙ୍ଗା ଦେଖିଲା । ଅସଂଖ୍ୟ ଯାତ୍ରୀ ସେଠାରେ ସ୍ନାନ କରୁଥା’ନ୍ତି । ସେଠାକାର ଯାତ୍ରୀମାନଙ୍କୁ ସେ ପଚାରି ବୁଝିଲା ଯେ ପ୍ରକୃତରେ ତାହାହିଁ ଗଙ୍ଗା । ଗଙ୍ଗା ନଦୀକୁ ଦେଖି ତାର ହୃଦୟ ଭକ୍ତିରେ ଗଦ୍ ଗଦ୍ ହୋଇଗଲା । ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସ କ୍ଷୀଣ ଶରୀରରେ ସହ୍ୟ ହେଲା ନାହିଁ । ସେ ସେହି କ୍ଷଣରେହିଁ ଗଙ୍ଗାତଟରେ ପ୍ରାଣତ୍ୟାଗ କଲା । ଯମଦୂତ ମାନେ ଆସି ତାକୁ  ଯମରାଜଙ୍କ ପାଖକୁ ନେଇଗଲେ ।

                ଯମ ଚିତ୍ରଗୁପ୍ତଙ୍କୁ ପଚାରିଲେ, “ଏହାଙ୍କର ପାପ ପୁଣ୍ୟ କ’ଣ?” ଚିତ୍ରଗୁପ୍ତ ତାଙ୍କ ପାଞ୍ଜି ଦେଖି କହିଲେ, “ସେ ଏକମାତ୍ର ପାପ କରିଛି । କିନ୍ତୁ ପନ୍ଦରବର୍ଷ ଧରି ଗଙ୍ଗାସ୍ନାନ କରିଥିବାରୁ ସେ ବହୁପୁଣ୍ୟ ଅର୍ଜନ କରିଛି । ତେଣୁ ତାର ପାପର ପ୍ରାୟଶ୍ଚିତ ହୋଇ ଯାଇଛି ।”

ଯମରାଜ ଆଜ୍ଞାଦେଲେ “ତେବେ ତାକୁ ସିଧା ସ୍ୱର୍ଗକୁ ପଠାଇ ଦିଅ ।”

ତତ୍କ୍ଷଣାତ୍ ଦୂତମାନେ ତାଙ୍କୁ ସମ୍ମାନର ସହିତ ସ୍ୱର୍ଗ ରାଜ୍ୟକୁ ନେଇଗଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ