ଭୁବନ ସୁନ୍ଦରୀ

(ମୋହନ ଭୁବନସୁନ୍ଦରୀଙ୍କୁ ନେଇ ଯାଇଥିଲେ । ଏଥିପାଇଁ ଯୁଦ୍ଧ ଲାଗୁ ବୋଲି ଗ୍ରୀକ୍ ରାଜା ତ ଆଦୌ ଚାହୁଁ ନଥିଲେ । ସେ ତାଙ୍କୁ ଫେରାଇ ଦେବା ପାଇଁ ଦୂତ ପଠାଇଲେ । ଭୁବନସୁନ୍ଦରୀଙ୍କ ସ୍ୱାମୀ ପ୍ରତାପ ଗ୍ରୀକ୍ ରାଜକୁମାରମାନଙ୍କୁ ଯୁଦ୍ଧ କରିବାକୁ ଯିବା ପାଇଁ ନିମନ୍ତ୍ରଣ କଲେ । ସମସ୍ତିଙ୍କୁ ବହୁ କଷ୍ଟରେ ଏକତ୍ରିତ କରି ପ୍ରତାପ ଟ୍ରୟ ନଗରୀକୁ ଆକ୍ରମଣ କରିବାକୁ ଚାଲିଲେ । ନାନା ସୁବିଧା ଅସୁବିଧାର ସମ୍ମୁଖୀନ ହେବା ପରେ ସେମାନେ ଟ୍ରୟ ନଗରୀରେ ଯାଇ ପହଁଚିଲେ ।)

                ଜ୍ୟୋତିଷମାନେ ଭବିଷ୍ୟତବାଣୀ କରିଥିଲେ କି ଯିଏ ପ୍ରଥମେ ଟ୍ରୟ ନଗରୀରେ ପାଦ ରଖିବ, ତାହାର ମୃତ୍ୟୁ ଅନିବାର୍ଯ୍ୟ । ଚନ୍ଦ୍ରପ୍ରଭୂ ସେହି ଜ୍ୟୋତିଷ-ବାଣୀକୁ ମୋଟେ ଖାତିର୍ ନକରି ପ୍ରଥମେ ଜାହାଜରୁ ଭୂମି ଉପରକୁ ଡେଇଁ ପଡିଲେ । ତାଙ୍କ ପରେ ବଜ୍ରକାୟ ଓ ଅନ୍ୟ ସୈନ୍ୟମାନେ ଜାହାଜରୁ ଓହ୍ଲାଇଲେ ।

                ଟ୍ରୋଜାନ୍ ମଧ୍ୟରେ ମରାଳ ନାମକ ଏକ ଯୋଦ୍ଧା ଥିଲେ । କୌଣସି ଅସ୍ତ୍ରଶସ୍ତ୍ର ତାଙ୍କର କିଛିବି କ୍ଷତି କରିପାରୁ ନଥିଲା । ସେ ଅନେକ ଗ୍ରୀକ୍ ସୈନ୍ୟଙ୍କୁ ମାରିଲେ । ବଜ୍ରକାୟ ଆସି ମରାଳ ସହିତ ଲଢିଲେ । ଫଳରେ ଘମାଘୋଟ ଯୁଦ୍ଧ ହେଲା । ବହୁସମୟ ଧରି ସେମାନେ କେହି କାହାରିକୁ ମଧ୍ୟ ପରାଜିତ କରିପାରୁ ନଥିଲେ । କିନ୍ତୁ ହଠାତ୍ ମରାଳର ମୁଣ୍ଡରେ କିଛି ଅସ୍ତ୍ର ବାଜିବାରୁ ସେ ପଡିଗଲେ ସେହି ସୁଯୋଗ ଦେଖି ବଜ୍ରକାୟ ଡେଇଁ ପଡି ତାଙ୍କ ଛାତି ଉପରେ ବସି ତାଙ୍କୁ ତଂଟି ଚିପି ମାରିଦେଲେ ।

                ମରାଳଙ୍କର ମୃତ୍ୟୁ ହେବା ପରେ ଟ୍ରୋଜାନ୍ର ସେନାମାନେ ଛାନିଆରେ କିଏ କୁଆଡେ ଦୌଡି ପଳାଇଲେ । ତା’ପରେ ଗ୍ରୀକ୍ ସୈନ୍ୟମାନେ ସେମାନଙ୍କ ଜାହାଜ ଏକ ନିରାପଦ ସ୍ଥାନରେ ନେଇ ରଖିଲେ ଏବଂ ସେଥିରୁ ବାହାରି ଟ୍ରୟର ଦୁର୍ଗକୁ ଘେରିଗଲେ । ସେମାନେ ପ୍ରାୟ ଦଶବର୍ଷ ପର୍ଯ୍ୟନ୍ତ ସେହିପରି ଦୁର୍ଗକୁ ଘେରାଉ କରି ରଖିଲେ । ନବବର୍ଷ ପର୍ଯ୍ୟନ୍ତ ଛୋଟ ଛୋଟ ଯୁଦ୍ଧ ଚାଲୁଥାଏ ।

                ଟ୍ରୟ ନଗରୀର ରାଜା ବର୍ଦ୍ଧନଙ୍କର ଦୁଇଟି ସ୍ତ୍ରୀ ଥିଲେ । ମୋହନର ମା’ ତାଙ୍କର ଦ୍ୱିତୀୟ ପତ୍ନୀ ଥିଲେ । ରାଜାଙ୍କର ପଚାଶ ଜଣ ରାଜକୁମାରଙ୍କ ମଧ୍ୟରେ ଉଣେଇଶ ଜଣେ ସେହି ଦ୍ୱିତୀୟ ପତ୍ନୀଙ୍କ ପୁତ୍ର ଥିଲେ । ସେମାନଙ୍କ ମଧ୍ୟରେ ବୀରସିଂହ ଜ୍ୟେଷ୍ଠ ଥିଲେ । ଇଲିୟ ସେମାନଙ୍କର ଅନ୍ୟତମ ପୁତ୍ର ଥିଲେ । ଜ୍ୟୋତିଷମାନେ କହିଥିଲେ ଯେ ଯେତେବେଳେ ଇଲିୟଙ୍କୁ କୋଡିଏ ବର୍ଷ ପୂରିବ, ତା’ପରେ ଟ୍ରୟ ନଗରୀର କେହି କିଛିବି କ୍ଷତି କରିପାରିବେ ନାହିଁ । ତାଙ୍କର ସେ ପୁଅ ପାଇଁ ବର୍ଦ୍ଧନ ଖୁବ୍ ଗର୍ବିତ ଥିଲେ । ପିଲାଦିନରୁହିଁ ରାଜା ତାଙ୍କୁ ନାନା ପ୍ରକାରର ଯୁଦ୍ଧବିଦ୍ୟାରେ ପାରଙ୍ଗମ କରାଇଥିଲେ । ବଜ୍ରକାୟ ଭାବୁଥିଲେ ଯେ କୌଣସି ରୂପେ ଇଲିୟକୁ ଯେପରି ମାରି ଦିଆଯିବ । ଦିନେ ଇଲିୟ ମନ୍ଦିରର ପ୍ରାଙ୍ଗଣରେ ଘୋଡା ଚଢି ବୁଲୁଥିଲେ । ବଜ୍ରକାୟ ସେଠାକୁ ଯାଇ ପଛରୁ ତାଙ୍କୁ ବର୍ଚ୍ଛା ମାରି ମାରି ପକାଇଲେ । ଇଲିୟଙ୍କର ମୃତ୍ୟୁରେ ଟ୍ରୟର ନାଗରିକମାନେ ବହୁତ ଦୁଃଖିତ ହେଲେ । ଇଲିୟଙ୍କ ଉପରେ ସେମାନେ ବହୁତ ଆଶା ରଖିଥିଲେ । ଅଚାନକ ଏପରି ଏକ ଘଟଣାରେ ସମସ୍ତେ ବ୍ୟଥିତ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ