ତିଳୋତମା ବିବାହ

କିଛିଦିନ ବିତିଗଲା । ଶୁକକଥା ମାନି ରାଜା ବିକ୍ରମାଦିତ୍ୟ ରାଜ୍ୟଶାସନ କରନ୍ତି । ପ୍ରତ୍ୟେକ ଦେଶରେ ତାଙ୍କର ଯଶ ସୁନାମ ଉଡିଲା । ଦିନେ ରାଜା ସଭାକରି ବସିଥିଲେ । ଶୁକମନ୍ତ୍ରୀକୁ ପ୍ରଶ୍ନକଲେ ହେ ଶୁକମନ୍ତ୍ରୀ ଭବିଷ୍ୟତ ବର୍ତ୍ତମାନ କଥା କିଛି ପ୍ରଶ୍ନ କରୁଛି କୁହ । ରାଣୀ ଭାନୁମତୀ ଆମ୍ଭର ପାଟରାଣୀ ଅନ୍ତଃପୁରେ ସେ କ’ଣ କରୁଛନ୍ତି । ଶୁକ କହିଲା ହେ ରାଜନ ସେ ଏକାକି ବସି ଫୁଲମାଳ ଗୁନ୍ଥୁଛନ୍ତି । ଏକ ଦାସୀକୁ ଡକାଇ ଭାନୁମତୀ କ’ଣ କରୁଛନ୍ତି ଦେଖି ଆସିବା ନିମିତ୍ତ ପଠାଇଲେ । ସେ ଦାସୀ ଫେରି ଆସି କହିଲା ମହାରାଜ ରାଣୀ ମା’ ଏକ ଫୁଲହାର ଗୁନ୍ଥୁଛନ୍ତି । ପୁନର୍ବାର ଶୁକକୁ ପଚାରିଲେ ତୁ ଏବେ କହ ସେ ଫୁଲ ମାଳା ଗୁନ୍ଥି କ’ଣ କରିବେ । ଶୁକ କହିଲା ତାଙ୍କର ଭଗ୍ନୀ ତିଳୋତମାର ବିଭାଘର । ରାଣୀ ଆଜି ରାତ୍ରିରେ ବିଭାଘରେ ଯୋଗଦାନ କରିବାକୁ ଯିବେ । ବିକ୍ରମାଦିତ୍ୟ କହିଲେ ବଡ ଅସମ୍ଭବ କଥା । ରାତ୍ରିକରେ ଯାଇ ଫେରି ଆସିବେ କିପରି । ପାଂଚଶହ କୋଶ ତାଙ୍କର ପିତା ଭୋଜରାଜଙ୍କର ରାଇଜ । ସେ କିପରି ଯିବେ । ଶୁକ କହିଲା ଏ ଯୋଗ୍ନୀମାନେ ଏକ ବୃକ୍ଷ ନେଇକରି ଆସିବେ । ସେ ବୃକ୍ଷରେ ବସି ରାଣୀ ତାଙ୍କ ପିତାଙ୍କ ଘରକୁ ଫେରି ଯିବେ । ବିକ୍ରମାଦିତ୍ୟ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ଠିକ୍ ସେହି ସମୟ ବେଳକୁ ସୂର୍ଯ୍ୟ ଅସ୍ତ ହେଲେ । ବିକ୍ରମାଦିତ୍ୟ ବିଚାର କଲେ ଦେଖିବି ସେ କିପରି ଯିବେ । ବିକ୍ରମାଦିତ୍ୟ ନଗରକୁ ଯାଇ ଭାନୁମତୀଙ୍କୁ କହିଲେ ଖଣ୍ଡେ ବିଛଣା ପକାଇ ଦିଅ । ଆଳସ୍ୟ ଲାଗୁଛି । ଶୟନ କରିବି । ଭାନୁମତୀ ତ ସୁଯୋଗ ଖୋଜୁଥିଲେ, ବିଛଣା କରିଦେଲେ । ବିକ୍ରମାଦିତ୍ୟ ତହିଁରେ ଶୋଇଲେ । ରାଣୀ ଶୟନ କକ୍ଷରେ ପ୍ରବେଶି ତାଙ୍କର ପଦ ମଂଚାଳିଲେ । ମନରେ ଚିନ୍ତାକଲେ ସୁଯୋଗ ମିଳିଲା, ଏବେ ମୁଁ ଯାଇ ରାତିକ ମଧ୍ୟରେ ଫେରି ଆସିବି । କାଳେ ସେ ଜାଣିବେ ମୋ ମନରେ ଭୟ ଥିଲା । ଏହି ସମୟରେ ଯୋଗ୍ନୀଗଣ ବୃକ୍ଷଘେନି ଆସି ବୃକ୍ଷ ରଖି ଝରକା ଦ୍ୱାର ଦେଇ ଭାନୁମତୀଙ୍କୁ ଡାକିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ