ଶନି କୋପ ଓ ଧନ ଦେବୀଙ୍କ କୃପା

ପରମ ଧାର୍ମିକ ରାଜା ବିକ୍ରମାଦିତ୍ୟ । ସଦାସର୍ବଦା ବିକ୍ରମାଦିତ୍ୟଙ୍କ ଶରୀରରେ ପ୍ରବେଶ କରିବା ନିମିତ୍ତ ଚେଷ୍ଟା କରନ୍ତି ମାତ୍ର ପାରନ୍ତିନି । ନିଜ ମନେ ମନେ ଗ୍ରହରାଜ ବିଚାର କରନ୍ତି କ’ଣ ସତରେ ରାଜାର ଧର୍ମବଳ ନିକଟରେ ମୁଁ ହାର ମାନିବି । ରାଜା ବିକ୍ରମାଦିତ୍ୟଙ୍କର ଏକଥା କିଛି ମନେ ନାହିଁ । ଭୋଜନ ପୂର୍ବରୁ ରାଜା ପାଦଧୌତ କରନ୍ତି । ଦିନେ ପଦଧୌତ କରୁଛନ୍ତି ତାଙ୍କର ଗୋଇଠି ତଳେ ଜଳ ଲାଗିଲା ନାହିଁ । ଗ୍ରହରାଜତ ସୁଯୋଗ ଉଣ୍ଡୁଥିଲେ । ସେହି ପଥଦେଇ ରାଜାଙ୍କର ଶରୀର ମଧ୍ୟରେ ପ୍ରବେଶ କଲେ । ତାଙ୍କର ଶରୀର ମଧ୍ୟରେ ନାନାପ୍ରକାର ରୋଗ ଜାତହେଲା । ରାଜା ନିଜର ସ୍ୱଧର୍ମ କର୍ମ ତ୍ୟାଗକଲେ । ବନ୍ଧୁଜନଙ୍କୁ ପରିତ୍ୟାଗ କଲେ । ପାତ୍ରମନ୍ତ୍ରୀ ଆଦି ପାରିଷଦମାନଙ୍କୁ ବାହାର କରିଦେଲେ । ହିତକଥାକୁ ଅହିତ ମଣିଲେ । ନିଜର ଭଣ୍ଡାରର ଧନରତ୍ନ ପଶା ଖେଳି ଉଡାଇ ଦେଲେ । ରାଜ୍ୟରେ ଦୁର୍ଭିକ୍ଷ ପଡିବାରୁ ପ୍ରଜାମାନେ ମୃତ୍ୟୁବରଣ କଲେ । ରାଣୀ ଭାନୁମତୀ ଏ ଅବସ୍ଥା ଦେଖି ଆପଣାମନରେ ଚିନ୍ତାକଲେ ଗ୍ରହରାଜ ଶନିଶ୍ଚରଙ୍କର କୋପଦୃଷ୍ଟିରୁ ଏପରି ଫଳ ମିଳିଲା । ଭାନୁମତୀ ବିକ୍ରମାଦିତ୍ୟଙ୍କୁ ଅନେକ ବୁଝାଇ କହିଲେ । ନୃପତି ତାଙ୍କ କଥାକୁ କର୍ଣ୍ଣପାତ କଲେନାହିଁ । କିଛିଦିନ ଗତହେଲା । ଶନିଶ୍ଚର ଚିନ୍ତାକଲେ ଗୃହରେ ରହିବାରୁ ଏ ରାଜା ମୋତେ ଚିହ୍ନିପାରୁ ନାହିଁ । ତା’ର ରାଜ୍ୟ ହରଣ କରି ତାକୁ ମୁଁ ବନକୁ ପଠାଇଲେ ତା’ର ଗର୍ବ ଚୂନା ହେବ । ଶନିଶ୍ଚର ମନରେ ଏହିପରି ଚିନ୍ତା କରି ବିକ୍ରମାଦିତ୍ୟଙ୍କୁ ରାଜ୍ୟରୁ ତଡିଦେଲେ । ଯାହା ଦ୍ୱାରକୁ ବିକ୍ରମାଦିତ୍ୟ ଯାଆନ୍ତି ଲୋକେ ତାଙ୍କ ଉପରକୁ ଧୂଳି ପକାନ୍ତି । ଭାଗ୍ୟରେ ଯାହା ଅଛି ସେ ଭୁଞ୍ଜୁଛନ୍ତି । ଭିକ୍ଷାମାଗି ରାଜା ଦୁଇଦିନରେ ଥରେ ଭୋଜନ କରନ୍ତି । ଶନି ଚିନ୍ତାକଲେ ଏହାକୁ ଆହୁରି କଠିନ ଶାସ୍ତି ଦେବି । ଏପରି ଚିନ୍ତା କରି ଅଜଗର ସର୍ପ ରୂପରେ ରାଜାଙ୍କ ପେଟରେ ପ୍ରବେଶ କଲେ । ତାଙ୍କର ପେଟ ବଢିବାକୁ ଲାଗିଲା । ଅଙ୍ଗ ପ୍ରତ୍ୟଙ୍ଗମାନ କ୍ଷୀଣ ହେଲା । ଘୁସୁରି ଘୁସୁରି ବନସ୍ତରେ ବୁଲନ୍ତି । କଂଟାବାଜି ଦେହସାରା ଚିରି ହୋଇଗଲା । ଅନେକ କଷ୍ଟ ପାଇବାରୁ ନୃପତି ଶନିଶ୍ଚରଙ୍କୁ ସ୍ତବକଲେ । ତଥାପି ସେ କ୍ରୁର ଗ୍ରହ ବିକ୍ରମାଦିତ୍ୟକୁ ମାରିଦେବା ନିମିତ୍ତ ଚେଷ୍ଟାକଲେ । ଶନିଶ୍ଚର ନୃପତିଙ୍କୁ ସ୍ୱର୍ଣ୍ଣବତୀ ନଦୀକୁ ଫିଙ୍ଗିଦେଲେ । ଜଳରେ ପଡି ନୃପତି ଭାବିଲେ ଏ ଦଣ୍ଡ ମୁଁ ପାଉଛି ଶନିଙ୍କ କୋପରୁ । ନୃପତି ଭାବିଲେ ଯେବେ ଧର୍ମଥିବ ମୁଁ ନିଶ୍ଚିତ ଉଦ୍ଧାର ପାଇବି । ରାଜା ବିକ୍ରମାଦିତ୍ୟ ମାତା ଧନ ଦେବୀଙ୍କ ସ୍ତବ ପଠନ କରି କହିଲେ ମୋତେ ରକ୍ଷାକର । ତୁମ୍ଭେ ନ ରଖିଲେ ମୁଁ ବିନାଶ ହେଲି । ନ୍ୟାୟ କରି ମୁଁ ଯେବେ ଏ ଦୁଃଖପାଏ ସଂସାରରେ ସତ୍ୟଧର୍ମ କିପରି ରହିବ । ଧନ ଦେବୀଙ୍କୁ ସ୍ତୁତି କରିବା ଦେଖି ଶନିଶ୍ଚର ସପ୍ତବାର ତାଙ୍କୁ ଜଳରେ ବୁଡାଇ ଦେଲେ । ରାଜାଙ୍କର ଜୀବନ କଣ୍ଠାଗ୍ରତ ହେବା ଦେଖି କୂଳରେ ଲଗାଇ ଦେଲେ । ରାଜା ବିକ୍ରମାଦିତ୍ୟଙ୍କ ଉପରେ ଶନିଙ୍କର କୃପାଦୃଷ୍ଟି ପଡିଲା । ନୃପତିଙ୍କର ଦୁଃଖ ଦୂରହେଲା । ସେ ମରାଠାରେ ଯାଇ ପହଁଚିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ