ଦରିଦ୍ର ରାଜା

ବ୍ୟବସାୟୀ ସିଂହଳରୁ ଫେରି ଆସିଲେ । ଦିନେ ମୁଖ୍ୟ ରାସ୍ତା ଉପରେ ରୂପସିଂହକୁ ଅପେକ୍ଷା କରି ରହିଲେ । ରୂପସିଂହ ଘୋଡା ଚଢି ଆସିବା ମାତ୍ରେ ତାଙ୍କୁ ସିଂହଳ ରାଜାଙ୍କ ଉପହାର ଦେଇ ବ୍ୟବସାୟୀଟି କହିଲା, “ଆପଣ ମୋ ହାତରେ ସିଂହଳର ରାଜାଙ୍କ ପାଖକୁ ଯେଉଁ ଉପହାର ପଠାଇଥିଲେ, ତାକୁ ମୁଁ ସିଂହଳର ରାଜାଙ୍କୁ ଦେଇ ଦେଇଛି । ସେ ତାକୁ ପାଇ ବହୁତ ଖୁସି ହେଲେ ଓ ମୋ ହାତରେ ଆପଣଙ୍କ ପାଇଁ ଉପହାର ସ୍ୱରୂପ ଏହି ରତ୍ନପାଦୁକା ପଠାଇଛନ୍ତି ।”

ରୂପସିଂହ ପଚାରିଲେ “ଆଚ୍ଛା ଧନ୍ୟବାଦ । ଏବେ ତୁମେ ଏଠାରୁ କେଉଁ ଦେଶକୁ ଯିବ?”

ସେ କହିଲେ “ମହାଶୟ, ଏବେ ମୁଁ ଆରବ ଦେଶକୁ ଯିବି ।”

“ତେବେ ଏହି ରତ୍ନପାଦୁକା ଦୁଇଟି ତୁମେ ନେଇ ଆରବର ସମ୍ରାଟଙ୍କୁ ମୋ ତରଫରୁ ଉପହାର ଦେଇଦେବ । ତା’ପରେ ଦେଖିବ ତୁମର ବ୍ୟବସାୟ ପାଇଁ ମଧ୍ୟ ସେ ବହୁତ ସାହାଯ୍ୟ କରିବେ ।” ରୂପସିଂହ ଏତିକି କହି ଘୋଡାରେ ବସି କୁଆଡେ ଚାଲିଗଲେ ।

ବ୍ୟବସାୟୀଟି ଆରବରେ ପହଁଚିବା ମାତ୍ରେ ପ୍ରଥମେ ସେଠାକାର ସମ୍ରାଟଙ୍କୁ ଯାଇ ଦେଖାକଲେ ଓ ରୂପସିଂହଙ୍କ ପ୍ରଦତ୍ତ ଉପହାର ତାଙ୍କୁ ଦେଲେ । ରତ୍ନଜଡିତ ପାଦୁକା ଦୁଇଟି ପାଇ ସମ୍ରାଟ ଖୁବ୍ ଖୁସି ହେଲେ । ସେ ଭାବିଲେ ଏତେ ମୂଲ୍ୟବାନ୍ ଉପହାର ଯିଏ ପଠାଇଛନ୍ତି ସେ ତ ଆଉ ଛୋଟିଆ ମୋଟିଆ ରାଜା ହୋଇ ନଥିବେ । ତେଣୁ ସେ ସେହି ବ୍ୟବସାୟୀଙ୍କ ସହିତ ବଛା ବଛା ଶହେଟି ଜାତିଆ ଘୋଡା ରୂପାସିଂହଙ୍କ ପାଇଁ ଉପହାର ବାବଦକୁ ପଠାଇଲେ । ସେତେବେଳେ ସେ କହିଲେ, “ରୂପସିଂହ ଠାକୁରଙ୍କୁ ମୋର ସଲାମ୍ ଜଣାଇଦେବ । ତାଙ୍କୁ କହିବ କି ଏ ଘୋଡା ମୋ ତରଫରୁ ଏକ ମାମୁଲି ଉପହାର କିନ୍ତୁ ତାଙ୍କ ଉପହାରଟି ଅତି ଚମତ୍କାର ହୋଇଛି ।”

ବ୍ୟବସାୟୀ ଘୋଡାମାନଙ୍କୁ ଧରି ସେଠାରୁ ଫେରିଲେ ଓ ମୁଖ୍ୟ ରାସ୍ତା ଉପରେ ରୂପସିଂହଙ୍କୁ ଅପେକ୍ଷା କଲେ । ରୂପସିଂହ ଘୋଡା ଚଢି ସେହି ରାସ୍ତାରେ ଯାଉଥିବା ବେଳେ ବ୍ୟବସାୟୀ ତାଙ୍କୁ ଡାକି ସବୁକଥା କହିଲେ ଓ ଘୋଡାମାନଙ୍କୁ ଉପହାର ଦେଲେ । ଏସବୁ କଥା ଶୁଣି ତାଙ୍କ ମନ ଖୁବ୍ ଆନନ୍ଦ ହୋଇ ଉଠିଲା । ସେ ଅଳ୍ପ ହସି ପଚାରିଲେ, “ଏବେ ତୁମେ ପୁଣି କେଉଁ ଦେଶକୁ ଯିବ?”

ତହୁଁ ବ୍ୟବସାୟୀ ଜଣକ କହିଲେ, “ମୁଁ ତ ଏବେ ପୁଣି ସିଂହଳକୁ ଯିବି ।”

“ଠିକ୍ ଅଛି । ଏବେ ତୁମେ ଏହି ଶହେ ଘୋଡାଙ୍କୁ ସିଂହଳ ରାଜାଙ୍କୁ ଉପହାର ସ୍ୱରୂପ ଦେଇଦିଅ ।” ଏତିକି କହି ସେ ଘୋଡା ଚଢି ସେଠାରୁ କୁଆଡେ ଅନ୍ତର୍ଦ୍ଧାନ ହୋଇଗଲେ ।

ବ୍ୟବସାୟୀ ସେହି ଏକଶତ ଆରବୀ ଘୋଡାଙ୍କୁ ସିଂହଳ ରାଜାଙ୍କ ପାଖରେ ପହଁଚାଇଲେ । ଘୋଡାମାନଙ୍କୁ ପାଇବା ପରେ ସିଂହଳ ରାଜାଙ୍କର ଆନନ୍ଦର ଆଉ ସୀମା ନାହିଁ । ସେ ଭାବିଲେ ରୂପାସିଂହଙ୍କ ସହିତ ମିତ୍ରତା କରିବା ଉଚିତ୍ । ସିଂହଳର ରାଜା ସେହି ବ୍ୟବସାୟୀଙ୍କଠାରୁ ବୁଝିନେଲେ କି ରୂପସିଂହ ସୁନ୍ଦର, ସେ ପୁଣି ଜଣେ ଯୁବକ, କ୍ଷତ୍ରିୟକୁଳ ସମ୍ଭୁତ, “ଏହାଙ୍କଠାରୁ ଆଉ ଭଲ ବର ତାଙ୍କ ଝିଅ ପାଇଁ ସେ କେଉଁଠୁ ପାଇବେ” ବ୍ୟବସାୟୀଙ୍କୁ ସେ ନିଜର ମନକଥା କହିଲେ ଓ ତାଙ୍କ ସହିତ କିଛି ଧନ, ଅଳଙ୍କାର, ପଟ୍ଟବସ୍ତ୍ର ଓ କେତେଜଣ ସେବକ ପଠାଇଲେ ।

ବ୍ୟବସାୟୀ ରୂପସିଂହଙ୍କ ଘର, ଠିକଣା କିଛି ତ ଜାଣି ନଥିଲେ । ତେଣୁ ସେ ସମସ୍ତ ଉପହାର ନେଇ ରାସ୍ତାର ପୂର୍ବ ସ୍ଥାନରେ ରୂପସିଂହଙ୍କ ଅପେକ୍ଷାରେ ଠିଆ ହୋଇ ରହିଲେ । ଉପରବେଳାକୁ ରୂପସିଂହ ପୁରା ଥାଟ ଉପରେ ଘୋଡା ଚଢି ସେହି ରାସ୍ତାରେ ଆସିଲେ । ବ୍ୟବସାୟୀଙ୍କୁ ଦେଖି ସେ ଘୋଡାରୁ ଓହ୍ଲାଇଲେ । ବ୍ୟବସାୟୀ ତାଙ୍କୁ ବିନମ୍ର ଅଭିବାଦନ କରିବା ପରେ ସିଂହଳ ରାଜା କରିଥିବା ପ୍ରସ୍ତାବ ବିଷୟ କହିଲେ ଓ ସେ ପଠାଇଥିବା ଜିନିଷ ଓ ସେବକମାନଙ୍କୁ ତାଙ୍କ ହାତରେ ସମର୍ପଣ କଲେ, ସେ ସବୁ ଜିନିଷ ଗ୍ରହଣ କଲେ; କିନ୍ତୁ ବ୍ୟବସାୟୀଙ୍କ ନିକଟରେ ସେବକମାନେ ରହିଲେ । ସେ କହିଲେ କି ପରଦିନ ସେହି ସ୍ଥାନରେ ସେ ଦେଖା କରିବେ ।

ପରଦିନ ସେ ପୋଷାକ ଓ ଘୋଡା ଆଉ ଭଡାକୁ ଆଣିଲେ ନାହିଁ । ସିଂହଳ ରାଜା ପଠାଇଥିବା ଉପହାରରୁ କିଛି ବିକ୍ରି କରି ଆଉ ଭଲ ପୋଷାକ ପିନ୍ଧି ଗୋଟିଏ ପାଲିଙ୍କି କିଣି ସେଥିରେ ସେ ବସି ସେହି ସ୍ଥାନକୁ ଆସିଲେ । ସେଇଠୁ ସେମାନେ ସମସ୍ତେ ମିଳି ସିଂହଳ ଦେଶକୁ ଗଲେ ।

ସିଂହଳରେ ପହଁଚି ସେମାନେ ଦେଖିଲେ ତାଙ୍କର ସ୍ୱାଗତ ପାଇଁ ନଗରୀ ଖୁବ୍ ସାଜସଜ୍ଜା ହୋଇଛି । ସେଠାରେ ପହଁଚିବା ମାତ୍ରେ ଜଣେ ସେବକ ଆଗରୁ ଯାଇ ଖବର କହିଥିଲା । ବିବାହ ଉତ୍ସବ ପାଇଁ ତ ଆଗରୁ ସମସ୍ତେ ପ୍ରସ୍ତୁତ ଥିଲେ । ସିଂହଳ ରାଜାଙ୍କର ଝିଅଟି ଏକମାତ୍ର ସନ୍ତାନ । ତେଣୁ କେତେବର୍ଷ ପରେ ରୂପସିଂହହିଁ ସିଂହଳର ଶାସନକର୍ତ୍ତା ହେଲେ । ତାଙ୍କର ମହାନ୍ ଗୁଣ ସବୁ ଯୋଗୁହିଁ ସିଂହଳର ପ୍ରଜାମାନେ ଅତି ସୁଖରେ କାଳାତିପାତ କରୁଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ