ପରୀକ୍ଷା

ମୁକୁନ୍ଦ ନାମକ ଏକ ଯୁବକ କିଛି ସଉଦା କିଣିବାକୁ ଦୋକାନକୁ ଗଲା । ସେତେବେଳେ ତ ସେଠାରେ ଗ୍ରାହକମାନେ ଭିଡ କରିଥିଲେ । ତେଣୁ ସେ ସେଠାରେ କିଛି ସମୟ ଅପେକ୍ଷା କଲା, ଅନ୍ୟାନ୍ୟ ଗ୍ରାହକମାନେ ଯିବା ପରେ ସେ ଦୋକାନୀକୁ ସଉଦାର ତାଲିକା ଧରାଇ ଦେଲା । ତା’ପରେ ଦୋକାନୀ ସେ ତାଲିକା ମୁତାବକ ସବୁକିଛି ଦେଇ ସେସବୁର ମୂଲ୍ୟ ମଧ୍ୟ କହିଦେଲା । ମୁକୁନ୍ଦ ଟଙ୍କା ଦେଲା । ଦୋକାନୀ ତା’ର ମୂଲ୍ୟ ରଖି ବାକି ଟଙ୍କା ମୁକୁନ୍ଦକୁ ଫେରାଇ ଦେଲା ।

      ପଇସା ଗଣି ମୁକୁନ୍ଦ ଟିକିଏ ଆଶ୍ଚର୍ଯ୍ୟ ହେଲା । କାରଣ ସେଥିରେ ଦଶଟଙ୍କା ଅଧିକା ଥିଲା । ଏହାପରେ ସେ ଦୋକାନୀକୁ ଦଶଟଙ୍କା ଫେରାଇ କହିଲା, “ଆପଣ ଭୁଲ୍ ଗଣତି କରି ମୋତେ ଅଧିକା ଦଶଟଙ୍କା ଦେଇଛନ୍ତି । ଟଙ୍କା ପଇସା ବ୍ୟାପାରରେ ଅଧିକ ସାବଧାନ୍ ରହିବା ଉଚିତ୍ ।” ଏତିକି କହି ସେ ସେଠାରୁ ଚାଲିଯିବାକୁ ବାହାରିଲା ।

      ଦୋକାନୀ ମୁକୁନ୍ଦକୁ ପଛରୁ ଡାକି କହିଲା, “ଟିକିଏ ରୁହ, ତମେହିଁ ଭୁଲ୍ ଗଣନା କରି ଶହେଟଙ୍କା ସ୍ଥାନରେ ଦୁଇଶ ଟଙ୍କା ଦେଇଛ । ଯେଉଁମାନେ ପଇସା ପ୍ରତି ବେଖାତିର୍ ଭାବ ଦେଖାନ୍ତି କେବଳ ସେମାନେ ହିଁ ଏପରି ଭୁଲ୍ କରି ବସନ୍ତି । ଏପରି ଧନକୁ ନଷ୍ଟ କରିବା ଅପେକ୍ଷା ବରଂ କୌଣସି ଦରିଦ୍ର ଲୋକକୁ ଦେଲେ ପୁଣ୍ୟ ହେବ । ଏହିକଥା ବିଚାର କରି ମୁଁ ତୁମକୁ ଅଧିକ ଦଶଟଙ୍କା ଇଚ୍ଛା କରି ଦେଇ ପରୀକ୍ଷା କରି ଦେଖୁଥିଲି । ତମେ ଯଦି ଅଧିକ ଟଙ୍କା ମୋତେ ନ ଫେରାଇ ଚାଲିଯାଇଥା’ନ୍ତ ତେବେ ମୁଁ ମଧ୍ୟ ତୁମ ଟଙ୍କା କେବେବି ତୁମକୁ ଫେରାଇ ନଥା’ନ୍ତି । ଏବେ ମୁଁ ତୁମର ସଚ୍ଚୋଟ ପଣିଆ ଦେଖି ଅତ୍ୟନ୍ତ ପ୍ରସନ୍ନ ହୋଇଛି । ତୁମେ ଏବେ ତୁମର ଅଧିକ ଶହେଟଙ୍କା ନେଇଯାଅ । ” ଏତିକି କହି ସେ ମୁକୁନ୍ଦକୁ ତା’ର ଶହେଟଙ୍କା ଫେରାଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ