ମିଜାଜ୍

ଚନ୍ଦ୍ରପୁର ଓ ତା’ ପାର୍ଶ୍ଵବର୍ତ୍ତୀ ରାଜ୍ୟ ଚକ୍ରଗିରି ଭିତରେ ବିବାଦ ଲାଗି ରହିଥାଏ ।

ଚନ୍ଦ୍ରପୁରର ରାଜା ଏ ବିବାଦର ସବୁଦିନିଆ ସମାଧାନ କରିବା ନିମନ୍ତେ ବହୁତ ଚେଷ୍ଟା କଲେ । କିନ୍ତୁ ଚକ୍ରଗିରିର ରାଜା ତାଙ୍କ ନିବେଦନ ପ୍ରତି ଆଦୌ କାନ ଦେଲେ ନାହିଁ । ଶେଷକୁ ଦିନେ ହଠାତ୍ ଚକ୍ରଗିରିର ସୈନ୍ୟବାହିନୀ ପୂର୍ବରୁ ଯୁଦ୍ଧ ଘୋଷଣା ନକରି ଚନ୍ଦ୍ରପୁର ଭିତରକୁ ମାଡି ଆସିଲେ । ଚନ୍ଦ୍ରପୁରର ରାଜା, ସେନାପତି ଓ ସୈନ୍ୟମାନେ ପ୍ରାଣମୂର୍ଚ୍ଛା ପ୍ରତିରୋଧ କରି ଖାଲି ଯେ ଚକ୍ରଗିରିର ସୈନ୍ୟବାହିନୀକୁ ପରାସ୍ତ କଲେ, ସେତିକି ନୁହେଁ, ଚକ୍ରଗିରିକୁ ଦଖଲ କରି ଚନ୍ଦ୍ରପୁର ସହ ତାକୁ ସେ ମିଶାଇ ଦେଲେ ।

ତେବେ ଚନ୍ଦ୍ରପୁରର ସେନାପତି ଶକ୍ତିବର୍ମା ତାଙ୍କର ଗୋଟାଏ ଗୋଡ ହରାଇ ଅକ୍ଷମ ହୋଇଗଲେ ।

ଶକ୍ତିବର୍ମା ରାଜାଙ୍କୁ କହିଲେ “ମହାରାଜ, ଜଣେ ନୂଆ ସେନାପତି ମନୋନୀତ କରନ୍ତୁ ।” ରାଜା ଅନିଚ୍ଛା ସତ୍ତ୍ୱେ ବି ତାଙ୍କର ସେ ପ୍ରସ୍ତାବକୁ ଗ୍ରହଣ କଲେ ଓ ସେନାପତି ଓ ମନ୍ତ୍ରୀଙ୍କ ଉପରେ ନୂଆ ସେନାପତି ବାଛିବାର ଭାର ଦେଲେ । ସୈନ୍ୟବାହିନୀର ଦକ୍ଷ ଯୋଦ୍ଧାମାନଙ୍କ ଭିତରୁ ଶେଷ ପର୍ଯ୍ୟନ୍ତ ମାତ୍ର ଦୁଇଜଣଙ୍କୁ ଆଖିରେ ରଖାଗଲା । ଜଣକର ନାମ ଜୟ, ଅନ୍ୟ ଜଣକର ନାମ ବିଜୟ । ସେନାପତି ଶକ୍ତିବର୍ମା ମନ୍ତ୍ରୀଙ୍କୁ କହିଲେ, “ଦୁହେଁ ସବୁ ଦୃଷ୍ଟିରୁ ସମାନ ଯୋଗ୍ୟ । କିନ୍ତୁ ଦୁହିଁଙ୍କ ସ୍ୱଭାବ ଓ କଥାବାର୍ତ୍ତା ଏଡେ ନରମ ଯେ ସେନାପତି ହେବା ପରେ କେହି ଜଣେ କଡା ଭାବରେ ସୈନ୍ୟମାନଙ୍କୁ ହୁକୁମ୍ ଦେଇପାରିବେ ନାହିଁ ।”

“ଆଚ୍ଛା, ଦେଖାଯାଉ ।” ଏହାପରେ ସେ ଶକ୍ତିବର୍ମାଙ୍କୁ ଗୋଟାଏ ଯୋଜନା କହିଲେ ।

ସେହି ଅନୁସାରେ ପରଦିନ ଜୟକୁ ପ୍ରଥମେ ସେନାପତିଙ୍କ ସିରସ୍ତାକୁ ଆସି ତା’ପରେ ମନ୍ତ୍ରୀଙ୍କୁ ଦେଖା କରିବାକୁ ନିର୍ଦ୍ଧେଶ ଦିଆଗଲା । ବିଜୟକୁ ବି ସେହି ଏକା ନିର୍ଦ୍ଧେଶ ଦିଆଗଲା, ତେବେ ତାଙ୍କୁ ଭିନ୍ନ ସମୟ ଦିଆଗଲା ।

ଜୟ ଆସି ମନ୍ତ୍ରୀଙ୍କୁ ଭେଟିବା ମାତ୍ରେ ମନ୍ତ୍ରୀ କହିଲେ, “ତମକୁ ସେନାପତି ପଦ ମିଳିଯାଇଛି । କିନ୍ତୁ, ଦେଖ ବିଜୟ, ତମେ ଆମ ପୂର୍ବ ସେନାପତିଙ୍କ ଭଳି ଦକ୍ଷ ହେବ, ରାଜା ଏଇଆ ଆଶା କରନ୍ତି ।”

ଜୟ ଉତ୍କଣ୍ଠିତ ହୋଇ କହିଲା, “ମୋ ନାମ ବିଜୟ ନୁହେଁ, ଜୟ ।”

ମନ୍ତ୍ରୀ କହିଲେ “ଆରେ, ସେନାପତିଙ୍କ ସିରସ୍ତାଦାର ତ କହି ପଠାଇଲା ସେ ବିଜୟକୁ ମୋ ପାଖକୁ ପଠାଉଛି!”

“କିଛି ଗୋଟାଏ ଭୁଲ୍ ହୋଇ ଯାଇଛି । ମୁଁ ଯାଉଛି, ସିରସ୍ତାଦାରକୁ ଡାକି ଆଣିବି ।” ଏହା କହି ଜୟ ଚାଲିଗଲା ।

ଏହା ପରେ ବିଜୟ ପହଁଚିବାରୁ ମନ୍ତ୍ରୀ କହିଲେ, “ତମେ ଏହି ମୁହୂର୍ତ୍ତରୁ ଆମ ସେନାପତି ହେଲ । କିନ୍ତୁ, ଜୟ, ତମେ ଆମ ପୂର୍ବ ସେନାପତିଙ୍କ ଭଳି ଦକ୍ଷ ହେବ – ରାଜା ତୁମଠୁଁ ଏହାହିଁ ଆଶା କରନ୍ତି ।”

“ମନ୍ତ୍ରୀବର, ମୋର ନାମ ଜୟ ନୁହେଁ ବିଜୟ । ସିରସ୍ତାଦାର ମୋତେ କହିଲା, ମୁଁ, ଅର୍ଥାତ୍ ବିଜୟ, ସେନାପତି ରୂପେ ନିଯୁକ୍ତି ପାଇଛି । ଆପଣ ବିଜୟ ପରିବର୍ତ୍ତେ ଜୟ ଶୁଣିଛନ୍ତି ।” ଏତିକି କହି ବିଜୟ ଜଣେ ପ୍ରହରୀ ଆଡେ ବୁଲିପଡି କହିଲା, “ସିରସ୍ତାଦାରକୁ ଯାଇ କୁହ, ନୂତନ ସେନାପତିଙ୍କ ନିର୍ଦ୍ଧେଶ, ସେ ଏଇକ୍ଷଣି ମନ୍ତ୍ରୀଙ୍କ ଘରକୁ ଆସିବ ।”

ମନ୍ତ୍ରୀ କହିଲେ “ବେଶ୍, ବେଶ୍, ବିଜୟ! ଠିକ୍ ଅଛି । ମୋର ଭୁଲ୍ ହୋଇଯାଇଥିଲା । ତମେହିଁ ସେନାପତି ।” ସେ ଯାଇ ପୁରୁଣା ସେନାପତିଙ୍କୁ ଗୋପନରେ ହସି ହସି କହିଲେ, “ପଦ ଅନୁସାରେ ମିଜାଜ୍ ଜାହିର୍ କରିବାକୁ ବିଜୟ ସମ୍ପୂର୍ଣ୍ଣ ରୂପେ ସକ୍ଷମ!”


ଗପ ସାରଣୀ

ତାଲିକାଭୁକ୍ତ ଗପ