ତାମ୍ସା

ସଦାନନ୍ଦ ଖୁବ୍ ବୁଦ୍ଧିମାନ୍ ଯୁବକ; ତା’ ସ୍ୱଭାବ ଯେ ଖରାପ, ସେକଥା ବି ନୁହେଁ । କିନ୍ତୁ ତା’ର ଗୋଟାଏ ଦୁର୍ଗୁଣ ଥିଲା । ସେ ସମସ୍ତଙ୍କ ସହ ଥଟ୍ଟା କରିବାକୁ ଭଲ ପାଉଥାଏ । ସେଥିରେ ତା’ ସମବୟସୀମାନେ ବେଶ୍ ମଜା ଉପଭୋଗ କରୁଥାନ୍ତି । ସଦାନନ୍ଦ ନିରୀହ ଅଭିନୟ କରି କାହାକୁ ଅଡୁଆରେ ପକାଇଲେ ସେମାନେ ହସି ହସି ବେଦମ୍ ହୋଇ ଯାଉଥାନ୍ତି । ସଦାନନ୍ଦ ସେଥିରେ ବେଶ୍ ଉତ୍ସାହ ଅନୁଭବ କରୁଥାଏ ।

                ଅବଶ୍ୟ ସଦାନନ୍ଦର ଏପରି ବ୍ୟବହାରରେ ଅନେକେ ବିରକ୍ତ ହେଉଥାନ୍ତି । ତେବେ କ୍ରମେ ତାହା ସମସ୍ତିଙ୍କର ଦେହସୁହା ହୋଇଗଲା । ମନେ ମନେ ବିରକ୍ତ ହେଲେ ବି କେହି ମୁହଁ ଖୋଲି ତାକୁ କିଛିବି କହୁ ନଥାନ୍ତି । କାରଣ ସଦାନନ୍ଦ ଜମିଦାରଙ୍କ ସିରସ୍ତାରେ ଗୁମାସ୍ତା କାମ କରୁଥାଏ । ଏହା ଯେଉଁ ସମୟ କଥା କୁହାଯାଉଛି, ସେ ସମୟରେ ଗାଁ ଗହଳରେ ଜମିଦାରଙ୍କ ପ୍ରତିପତି କଥା କହିଲେ ନସରେ! ଜମିଦାରଙ୍କ ଗୁମାସ୍ତା ପଦରେ ଥିବା ହେତୁ ସଦାନନ୍ଦ ଇଚ୍ଛା କଲେ ଯେ କୌଣସି ଲୋକର କ୍ଷତି କରିପାରେ!

                ଦିନେ ସଞ୍ଜବେଳେ ସଦାନନ୍ଦ ଗାଁ ବାହାରେ ଥିବା ସରୋବର ତୁଠରେ ସାଙ୍ଗ ମେଳରେ ବସିଛି, ଦେଖିଲା ଜଣେ ବୟସ୍କ ଲୋକ ଖାଲି ଗୋଡରେ ଆସୁଛନ୍ତି । ଲୁଗାପଟା ଧୂଳିଧୂସର ଓ ତହିଁ ଉପରେ ପୁଣି କାଦୁଅ ବି ଲାଗିଛି । ସେ ଅପରିଚିତ ଲୋକକୁ ଦେଖି ସଦାନନ୍ଦ ଉଲ୍ୱସି ଉଠିଲା । କାରଣ ଥଟ୍ଟା କରିବା ସକାଶେ ଜଣେ ଲୋକ ମିଳିଗଲା!

ସଦାନନ୍ଦ ପଚାରିଲା “ନମସ୍କାର ଆଜ୍ଞା, କାହାକୁ ଖୋଜୁଛନ୍ତି କି?”

ଆଗନ୍ତୁକ ପଚାରିଲେ “ବାବୁ ରତ୍ନାକର ଘର କେଉଁଠି କହିପାରିବେ?

ରତ୍ନାକର ବୋଇଲେ ସଦାନନ୍ଦ ଗାଁରେ ଥିବା ଜଣେ କୃଷକ ରତ୍ନାକର ଜେନାକୁ ଆଗନ୍ତୁକ ଖୋଜୁଥିବେ ବୋଲି ଧରିନେଲା ଓ କହିଲା, “ରତ୍ନାକର ତ ଆଜିକାଲି ଆଉ ଏଠି ରହୁ ନାହାଁନ୍ତି! ସେ ସହରରେ ।

ଆଗନ୍ତୁକ କହିଲେ “ସତେ? ବଡ ଅଡୁଆରେ ପଡିଲି ତ! ମୁଁ ସହରରୁ ଆସୁଛି, ଅଥଚ ମୋ ମିତ୍ର ରତ୍ନାକର ଯାଇ ସହରରେ ପହଁଚିଲାଣି! ମୁଁ ଏବେ କ’ଣ କରିବି? ଆଚ୍ଛା, ଏଠି ରାତିକ ରହିବା ପାଇଁ ଗୋଟାଏ ଅତିଥିଭବନ ଅଛି ବୋଲି ଶୁଣିଥିଲି! ସେଇଟା କେଉଁଠାରେ ମୋତେ ଟିକିଏ ଦେଖାଇ ଦେବେ? ବରଂ କାଲି ସକାଳେ ମୁଁ ସହରକୁ ଲେଉଟିଯିବି ।”

ସଦାନନ୍ଦ ଗମ୍ଭୀର ଭାବରେ କହିଲା “ଅତିଥିଭବନ ଅଛି ଯେ, କିନ୍ତୁ ସେଠାରେ ରାତି କଟାଇବାକୁ ହେଲେ ଗୁଡିଏ ସର୍ତ୍ତ ମାନିବାକୁ ହେବ ।”

ଆଗନ୍ତୁକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ଅତିଥିଭବନରେ ରହିବାକୁ ହେଲେ ପୁଣି ସର୍ତ୍ତ ମାନିବାକୁ ହେବ? ସେଗୁଡିକ କି ସର୍ତ୍ତ ଭଲା?”

ସଦାନନ୍ଦ କହିଲା “ପ୍ରଥମେ ଏଇ ଯେଉଁ ଗଛ ଦେଖୁଛନ୍ତି, ଶହେଥର ଏ ଗଛ ଚଢି ଶହେଥର ତଳକୁ ଲଂପ ଦେବାକୁ ପଡିବ । ତା’ପରେ ଯେ କୌଣସି ଚାରିଜଣ ଯୁବକଙ୍କୁ ଜଳଖିଆ ଖୁଆଇବାକୁ ପଡିବ । ସାଧାରଣତଃ ଏଠି ଜଳଖିଆ ଖାଇବାକୁ କେହିବି ମଙ୍ଗନ୍ତି ନାହିଁ । ତେବେ ଆପଣଙ୍କ ଭଳି ଅତିଥିଙ୍କ ସୁବିଧା ସକାଶେ ଆମେ ଚାରିଜଣ ଖାଇବାକୁ ପ୍ରସ୍ତୁତ ଅଛୁ । କ’ଣ ଆଉ କରାଯିବ!”


ଗପ ସାରଣୀ

ତାଲିକାଭୁକ୍ତ ଗପ