ଅପୂର୍ବଙ୍କ ପରାକ୍ରମ

ଅପୂର୍ବ ହେଉଛି କୁନି ମଣିଷଟିଏ । କିନ୍ତୁ ତା’ ପାଖରେ ଅଲୌକିକ ଶକ୍ତି ସବୁ ଥାଏ । କାରଣ ତା’ର ଆବିର୍ଭାବ ଏହି ପୃଥିବୀ ଉପରେ ହିମାଳୟରେ ବାସ କରୁଥିବା ମୁନି ସଦାନନ୍ଦଙ୍କ ତପୋବନରୁ । ପୃଥିବୀର ଦୁଃଖୀ ଲୋକଙ୍କର ସମସ୍ତ କଷ୍ଟ ଦୂର କରିବାକୁ ସେ ଚାହେଁ । ପ୍ରଥମେ ସେ ଗୋଟିଏ ଗ୍ରାମରେ ଗରୀବଲୋକଙ୍କୁ ଜମିଦାରର ଅତ୍ୟାଚାରରୁ ମୁକ୍ତ କଲା । ପୁଣି ସମୀର ନାମକ ଏକ ବାଳକକୁ ଡାକୁମାନଙ୍କ କବଳରୁ ସେ ଉଦ୍ଧାର କଲା । ଏଣିକି ଆଗକୁ ଚାଲନ୍ତୁ ।

ଗାଁ ଲୋକମାନେ ସମୀରକୁ ଦେଖିବା ମାତ୍ରେ ତା’ ଆଡକୁ ଦୌଡିଲେ । ତା’ ମା’ ମଧ୍ୟ ସେମାନଙ୍କ ସଙ୍ଗରେ ଥିଲା । ସମସ୍ତେ ଏକାବେଳକେ ତାକୁ କୁଣ୍ଢାଇ ପକାଇ ଆଦର କରି ପକାଇଲେ । ତା’ ମା’ଆଖିରୁ ଲୁହଧାର ବହି ଯାଉଥାଏ । ଗାଁର ମୁଖିଆ ପଚାରିଲେ, “ତୁ ସେ ଦୁର୍ଦ୍ଦର୍ଷ ଡକାଏତ୍ ହାତରୁ କିପରି ନିଜ ପ୍ରାଣ ନେଇ ଫେରିଲୁ?”

                ଆଉ ଜଣେ କହିଲେ, “ଆମ ସମୀର କେବଳ ବୁଦ୍ଧିମାନ ନୁହେଁ ତା’ର ପୁଣି ସବୁକିଛି ନିରୀକ୍ଷଣ କରି ବୁଝିବା ଶକ୍ତି ମଧ୍ୟ ପ୍ରବଳ । ନହେଲେ ସେ ଡାକୁମାନଙ୍କ ପାଖରୁ ଆପଣା ପ୍ରାଣ ନେଇ ଫେରି ଆସିବା କିଛି ବି ସହଜ କଥା ନୁହେଁ ।” ଆଉ କିଏ ବା ସମୀରର ସାହସକୁ ଖୁବ୍ ପ୍ରଶଂସା କଲା ।

                କିନ୍ତୁ ସମୀର ହାତଯୋଡି ଗ୍ରାମବାସୀଙ୍କୁ ବିନୟ ଭାବରେ କହିଲା, “ଆଜି ଯଦି ମୁଁ ମୃତ୍ୟୁ ମୁଖରୁ ବଂଚିଛି ମୋ ନିଜର ବୁଦ୍ଧି ବା ସାହସ ଯୋଗୁଁ ନୁହେଁ, କେବଳ ଇଶ୍ୱରଙ୍କର କୃପା ଯୋଗୁଁ । କାରଣ ମୋତେ ଉଦ୍ଧାର କରିବାକୁ ସେହିଁ ଜଣେ ଦେବଦୂତଙ୍କୁ ମୋ ପାଖକୁ ପଠାଇଥିଲେ । ତାଙ୍କରି ବୁଦ୍ଧି, କୌଶଳ ଓ ସାହସ ଯୋଗୁଁ ମୁଁ ବଂଚିଗଲି । ସେକଥା ମୁଁ ପରେ କହିବି । ଡାକୁମାନେ ତ ଅନେକ ଲୋକଙ୍କୁ ସେଠାରେ ମାରିଛନ୍ତି ।”

ମୁଖିଆ କହିଲେ “ତୁ ଠିକ୍ କହିଛୁ ସମୀର । କିନ୍ତୁ ତାଙ୍କ ହାତମୁଠାରୁ ଜଣେ ଖସି ଆସିବା ବଡ ଆଶ୍ଚର୍ଯ୍ୟର କଥା । ତୁ ଜାଣିଥିବୁ ସେହି ଡାକୁମାନଙ୍କ ସହିତ ସଂଘର୍ଷ କରିବା ଆମ ପରି ଲୋକଙ୍କ ପକ୍ଷେ ହାସ୍ୟାସ୍ପଦ । ଏପରିକି ରାଜାଙ୍କ ସିପାହୀମାନେ ମଧ୍ୟ ଡାକୁମାନଙ୍କୁ ଧରି ପାରୁ ନାହାଁନ୍ତି ।”

ସମୀର କହିଲା, “ସବୁ ପାପର ଶେଷ ଦିନେ ନା ଦିନେ ହୋଇଥାଏ । ଏବେ ସେମାନଙ୍କର ଶେଷ ସମୟ ଆସିଗଲାଣି । ରାଜାଙ୍କ ସେନାଦଳକୁ କୁହନ୍ତୁ ସେମାନେ କାଳ ବିଳମ୍ବ ନକରି ମୋ ସହିତ ଯାଇ ସେମାନଙ୍କୁ ଧରନ୍ତୁ ।”

ସମୀର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଏବଂ ସହଜରେ ବିଶ୍ୱାସ କରିପାରିଲେ ନାହିଁ । ଜଣେ ସୈନିକ ସମୀରର ଏକଥା ଶୁଣି ଯାଇ ତାଙ୍କ ଦଳପତିଙ୍କୁ କହିଲା । ଦଳପତି କହିଲେ, “ବାଳକଟି ପାଗଳ ନା କ’ଣ? ଏପରି କଥା କହୁଛି, ଏହା କ’ଣ ଏତେ ସହଜରେ ସମ୍ଭବ?” ସୈନିକଟି କହିଲା ଯେ ସେହି ପିଲାଟି ଡାକୁମାନଙ୍କ ଆଡ୍ଡା ସ୍ଥାନରୁ ଖସି ଆସିଛି । ତା’କଥାରେ ବିଶ୍ୱାସ ରଖି, ସେଠାକୁ ଯିବା ଉଚିତ୍ ।

ମୁଖିଆ ସମୀରକୁ ପଚାରିଲେ, “ସେମାନେ ରହୁଥିବା ସ୍ଥାନକୁ ତୁ ଆମମାନଙ୍କୁ ଓ ସୈନ୍ୟଦଳଙ୍କୁ ନେଇଯିବୁ ଏଇକଥା କହୁଛୁ ତ? ଇତିମଧ୍ୟରେ ଯଦି ସେମାନେ ଅନ୍ୟ କୁଆଡେ ପଳାଇ ଥିବେ । ଯଦିବା ସେମାନେ ସେଇଠି ଥିବେ ତେବେ ତୁ କ’ଣ ଭାବୁଛୁ ଯେ, ଆମର ଏତିକି ସିପାହୀ ଓ ଗ୍ରାମ ଲୋକ ସେହି ଭୟଙ୍କର ଦୁର୍ଦ୍ଦର୍ଷ ଡାକୁଦଳ ସହିତ ଯୁଦ୍ଧ କରି ତାଙ୍କୁ ହରାଇ ପାରିବେ?”


ଗପ ସାରଣୀ

ତାଲିକାଭୁକ୍ତ ଗପ