ସମ୍ରାଟ ଅଶୋକ

(ତକ୍ଷଶିଳାରେ ସୃଷ୍ଟି ହୋଇଥିବା ବିଦ୍ରୋହ, ସଫଳତାର ସହ ଦମନ କରି ବିଜୟୀ ଅଶୋକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିଲେ । ସୁଶେମ ତାଙ୍କୁ ପଥ ମଧ୍ୟରେ ହତ୍ୟା କରିବା ପାଇଁ ଯୋଜନା କରିଥିଲେ, ତାହା ବିଫଳ ହେଲା । ଜ୍ୟେଷ୍ଠପୁତ୍ରର କୁଟିଳ ବୁଦ୍ଧିସମ୍ବନ୍ଧରେ ଜାଣି ରାଜା ବିନ୍ଦୁସାର ଦାରୁଣ ଆଘାତ ପାଇଲେ । ଦୁଇ କୁମାରଙ୍କ ମଧ୍ୟରୁ ଜଣକୁ ରାଜ-ପ୍ରତିନିଧି ରୂପେ ଉଜ୍ଜୟିନୀକୁ ପ୍ରେରଣ କରିବା ପାଇଁ ସେ ନିଷ୍ପତି ନେଲେ । କିନ୍ତୁ ରାଜଧାନୀ ପାଟଳୀପୁତ୍ର ତ୍ୟାଗ କରି ଅନ୍ୟତ୍ର ଯିବା ପାଇଁ ସୁଶେମ ସମ୍ମତ ହେଲେ ନାହିଁ । ତେଣୁ ସେ ରାଜା ଅଶୋକଙ୍କୁ ପଠାଇବା ପାଇଁ ସ୍ଥିର କଲେ । ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ଯେ, ଅଶୋକ ତାଙ୍କର ଆଦେଶ କେବେବି ଅମାନ୍ୟ କରିବେ ନାହିଁ । ଏହା ପରେ ଆଗକୁ ପଢନ୍ତୁ -)

                ଅଶୋକ ସେଠାରେ ପହଁଚି ପିତା ବିନ୍ଦୁସାରଙ୍କୁ ସବିନୟ ପ୍ରଣାମ କଲେ । ରାଜା ଅଶୋକଙ୍କୁ ଉପବେଶନ କରିବା ପାଇଁ ସଙ୍କେତ ଦେଲେ । ଆଉ ସ୍ୱୟଂ ଶଯ୍ୟାରେ ଉଠି ବସି କହିଲେ, “ପୁତ୍ର ଅଶୋକ, ତମେ ବିଜୟୀ ହୋଇ ଫେରି ଆସିଥିବାରୁ ଆଜି ମୁଁ ତୁମ ଉପରେ ଅତ୍ୟନ୍ତ ଖୁସୀ । ତୁମେ ନିଜର ପ୍ରାଣକୁ ସଙ୍କଟାପନ୍ନ କରି ବିଦ୍ରୋହୀଙ୍କୁ ଦମନ କରିବାରେ ସମର୍ଥ ହେଲ । ତୁମକୁ ହତ୍ୟା କରିବା ପାଇଁ ଯେଉଁ ଷଡଯନ୍ତ୍ର ରଚନା କରାଯାଇଥିଲା, ସେଥିରୁ ତୁମେ ଅତି ଅଳ୍ପକେ ରକ୍ଷା ପାଇଯାଇଛ । ଶାସନ-ପଦ୍ଧତି କିପରି ବିପର୍ଯ୍ୟସ୍ତ ହୋଇପଡିଛି, ତୁମେ ତ ତାହା ଜାଣିପାରୁଥିବ । ଏହାକୁ ଉପଯୁକ୍ତ ମାର୍ଗରେ ପରିଚାଳନା କରିବା ନିତ୍ୟାନ୍ତ ଆବଶ୍ୟକ । ଯୁଦ୍ଧରେ ବିଜୟୀ ହେବା ଓ ଶାସନରେ ସଂସ୍କାର ଆଣିବା, ରାଜକୁମାରମାନଙ୍କ ପାଇଁ ଏକ ସମାନ ପ୍ରକାରର ଦାୟିତ୍ୱ ଅଟେ । ଗୋଟିଏ କ୍ଷେତ୍ରରେ ତୁମେ ନିଜର ସାମର୍ଥ୍ୟ ପ୍ରମାଣିତ କରିପାରିଛ । ଏବେ ଅନ୍ୟ କ୍ଷେତ୍ରରେ ମୁଁ ତୁମର ଦକ୍ଷତାର ପରୀକ୍ଷା ନେବା ପାଇଁ ଚାହୁଁଛି ।”

ପିତାଙ୍କ କଥା ଶୁଣି ଅଶୋକ ବିନୟପୂର୍ବକ ପ୍ରକାଶ କଲେ, “ମୋତେ କ’ଣ କରିବା ପାଇଁ ହେବ, ଆଜ୍ଞା ଦିଅନ୍ତୁ ।”

ପିତା କହିଲେ “ସମୃଦ୍ଧିଶାଳୀ ଅବନ୍ତୀ ର ରାଜଧାନୀ ଉଜ୍ଜୟିନୀ, ଯାହାକି ସବୁ ଦିଗରୁ ଆମ ପାଇଁ ତକ୍ଷଶିଳାଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ସେଠାରେ ନିଯୁକ୍ତ ରାଜପ୍ରତିନିଧିଙ୍କର ଅକସ୍ମାତ୍ ଦେହାନ୍ତ ଘଟିଛି । ତୁମେ ସ୍ୱୟଂ ସେଠାରେ ଉପସ୍ଥିତ ରହି ସେହି ପ୍ରଦେଶର ଶାସନ ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ କି?”

ଏକଥା ଶୁଣି ଅଶୋକ ନିଃସଙ୍କୋଚରେ କହିଲେ “ମୁଁ ମନେ କରୁଛି ଯେ, ପିତାଶ୍ରୀଙ୍କର ଆଦେଶପାଳନ କରିବା ହିଁ ମୋର ପରମ କର୍ତ୍ତବ୍ୟ ।”

ତା’ପରେ ରାଜା ବିନ୍ଦୁସାର କହିଲେ “ତୁମର ନିର୍ଣ୍ଣୟ ମୋତେ ଆନନ୍ଦିତ କରୁଛି । କୃଷ୍ଣାନଦୀ ତଟସ୍ଥିତ ଏହି ସୁନ୍ଦର ନଗରୀରେ ଆମର ଅନେକ ପ୍ରତିନିଧି ଅଛନ୍ତି । ତେବେ ମଧ୍ୟ ତୁମେ ଚାହୁଁଥିଲେ ନିଜ ସଙ୍ଗରେ କେତେଜଣ ବିଶ୍ୱାସ ଯୋଗ୍ୟ ବ୍ୟକ୍ତିଙ୍କୁ ନେଇପାର । ଯଥାଶୀଘ୍ର ଉଜ୍ଜୟିନୀ ଯାତ୍ରାର ପ୍ରସ୍ତୁତି ଆରମ୍ଭ କର ।”

“ଆପଣଙ୍କର ଯାହା ଇଚ୍ଛା ।” ଏହାକହି ଅଶୋକ ତାଙ୍କ ପିତାଙ୍କୁ ପ୍ରଣାମ କଲେ । ତା’ପରେ ସେ ସିଧା ଯାଇ ତାଙ୍କ ମାତାଙ୍କ ନିକଟରେ ପହଁଚିଲେ । ପିତାଙ୍କର ଆଦେଶାନୁସାରେ, ମାତାଙ୍କୁ ଜଣାଇ ସେ ତାଙ୍କର ଆଶୀର୍ବାଦ ଭିକ୍ଷା କଲେ । ଏହା ଶୁଣିବା ମାତ୍ରେ ମାତା ସୁଭଦ୍ରା ହଠାତ୍ ଚମକି ଉଠିଲେ । ମାତା ସୁଭଦ୍ରା ଅଶ୍ରୁପୂର୍ଣ୍ଣ ନୟନରେ ତାଙ୍କ ପୁତ୍ରକୁ କୋଳାଗ୍ରତ କରି କହିଲେ “ତୁମକୁ ଦେଖି ମୁଁ ମୋର ଶୋକ, ଦୁଃଖ ପାଶୋରି ଦେଇଥିବାରୁ, ତୁମର ନାମ ମୁଁ ଅଶୋକ ଦେଇଥିଲି । ତୁମକୁ ପାଖରୁ ଅନ୍ତର କରି ମୁଁ ଏଠାରେ କିପରି ଜୀବନଧାରଣ କରିବି? ସକୁଶଳରେ ନ ଫେରିବା ଯାଏଁ, ଶୋକଗ୍ରସ୍ତ ଅବସ୍ଥାରେ ମୁଁ ଏଠାରେ ତୁମକୁ ଅପେକ୍ଷା କରିଥିବି । ଅବଶ୍ୟ ଗୋଟିଏ ଦୃଷ୍ଟିରୁ ଦେଖିଲେ ତୁମେ ରାଜଧାନୀ ଠାରୁ ଦୂରରେ ରହିବା ମଙ୍ଗଳ କର ।”

ଅଶୋକ ତାଙ୍କ ମାତାଙ୍କ ନିକଟରେ ବସି ପ୍ରଶ୍ନ କଲେ “ଅଯଥା ମନସ୍ତାପ କରି ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ । ତେବେ ମୋର ଏଠାରୁ ଦୂରରେ ରହିବା ମଙ୍ଗଳକର, ଆପଣ ଏହା କେଉଁ ଅର୍ଥରେ କହିଲେ, ତାହା ତ କାହିଁ ମୁଁ ବୁଝି ପାରିଲି ନାହିଁ?”

“ଉଜ୍ଜୟିନୀରେ ତୁମେ ସକୁଶଳରେ ରହିପାରିବ, ଏପରି ବିଶ୍ୱାସ ମୋ ମନରେ ଜାତ ହେଉଛି । ଏଠାରେ ତୁମ ବିରୁଦ୍ଧରେ ଭୟଙ୍କର ଶତ୍ରୁମାନେ ଷଡଯନ୍ତ୍ର ରଚନା କରୁଛନ୍ତି । ନିଜର ରକ୍ଷା ପାଇଁ ସର୍ବଦା ସତର୍କ ରହିବ । ମା’ଙ୍କର ଆଶୀର୍ବାଦ ସର୍ବଦା ତୁମ ସହିତ ରହିଛି ।” ସୁଭଦ୍ରା ଏପରି କହି ସେ ତାଙ୍କର ଦୁଇ ହାତ ଟେକି ଅଶୋକଙ୍କୁ କଲ୍ୟାଣ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ