ସାହସୀ

ଗୋଟିଏ ଛୋଟ ରାଜ୍ୟ ଥିଲା । ଏହି ରାଜ୍ୟର ଗୋଟିଏ କୋଣରେ ଥିବା ଏକ ଗ୍ରାମରେ ରଙ୍ଗଦେବ ଓ ସୋମଦେବ ନାମରେ ଦୁଇଭାଇ ରହୁଥିଲେ । ସେ ଦୁହେଁ ପରସ୍ପରକୁ ଖୁବ୍ ଭଲ ପାଉଥିଲେ । ସେମାନେ ଗୋଟିଏ ଘରେ ବାସ କରୁଥିଲେ । ସେମାନଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା । ସେମାନେ ମିଳିମିଶି ଚଳୁଥିଲେ । ତେଣୁ ସେ ଦୁଇ ଭାଇଙ୍କର କୌଣସି ସମସ୍ୟା ନ ଥିଲା ।

                ଦିନେ ସଂନ୍ଧ୍ୟାବେଳେ ସେ ଦୁଇ ଭାଇ ଆରାମରେ ବସି ଏଣୁତେଣୁ ଗପସପ କରୁଥିଲେ । ଅଚାନକ ରଙ୍ଗଦେବ ସୋମଦେବକୁ କହିଲା, “ଏଇ ଗ୍ରାମରେ ରହିଲେ ଆମର ଆଉ ବିଶେଷ କିଛି ଉନ୍ନତି ହେବ ନାହିଁ । ଆମେ ଯେପରି ଅଛେ ସାରା ଜୀବନ ସେହିପରି ରହିଯିବା । ଆମେ ଆମର କ୍ଷେତବାଡି ବିକିଦେଇ ରାଜା ଚନ୍ଦ୍ରହାସଙ୍କ ଆଶ୍ରୟକୁ ଚାଲିଗଲେ ଭାରି ଭଲ ହୁଅନ୍ତା ।”

ଭାଇର ଏପରି ଚିନ୍ତାଧାରା ସୋମଦେବକୁ ବହୁତ୍ ଭଲ ଲାଗିଲା । ସେ କହିଲା, “ଠିକ୍ ଅଛି । ମୁଁ ଶୁଣୁଥିଲି ଯେ, ରାଜା ସାହସୀ ଲୋକମାନଙ୍କୁ ଖୁବ୍ ପସନ୍ଦ କରନ୍ତି । ଆମେମାନେ ତ ଖୁବ୍ ସାହସୀ । ସେ ନିଶ୍ଚୟ ଆମକୁ ତାଙ୍କ ପାଖରେ ରଖିବେ ଓ ଆମ ଜୀବନର ଏକ ବଡ ପରିବର୍ତ୍ତନ ଘଟିବ ।”

ରଙ୍ଗଦେବର ପତ୍ନୀ ସେମାନଙ୍କର ଏହି କଥାବାର୍ତ୍ତା ଶୁଣିପାରି କହିଲା, “ରାଜାଙ୍କ ପାଖକୁ ନିଶ୍ଚୟ ଯିବ । କିନ୍ତୁ ଯିବା ପୂର୍ବରୁ କୌଣସି ସାହସିକ କାମ କରି ଦେଖାଇବାକୁ ପଡିବ । ଯାହା ଫଳରେ ରାଜା ତୁମ ଦୁଇଜଣଙ୍କ ଉପରେ ଖୁବ୍ ଖୁସି ହେବେ । ନିଜେ ନିଜର ସାହସିକତାର ଢୋଲ ବାଡେଇଲେ କିଛି ବି ଫଳ ମିଳିବ ନାହିଁ ।”

ଦୁଇଭାଇଙ୍କୁ ଏହି ପରାମର୍ଶ ଉଚିତ୍ ମନେ ହେଲା । କିଛି ଦିନ ତଳେ ତାଙ୍କ ଗ୍ରାମ ଭିତରକୁ ଗୋଟିଏ ବାଘ ପଶି ଆସିଥିଲା । ଲୋକମାନେ ଏକଜୁଟ୍ ହେବା ବେଳକୁ ବାଘ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା । ଦୁଇ ଭାଇ ସେଇ ବାଘକୁ ମାରିବା ପାଇଁ ସ୍ଥିର କଲେ ।

ତା’ପରଦିନ ଦୁହେଁ ହାତରେ ତରବାରୀ ଓ ଭାଲ ଧରି ଜଙ୍ଗଲକୁ ବାହାରିଲେ । ଜଙ୍ଗଲରେ କିଛି ବାଟ ଆଗେଇବା ପରେ ସେମାନେ ଦେଖିଲେ ଯେ, ବାଘ ଗୋଟିଏ ମଲା ହରିଣ ଖାଇବାରେ ବ୍ୟସ୍ତ ଅଛି । ସେମାନଙ୍କୁ ଦେଖିବା କ୍ଷଣି ବାଘ ଗର୍ଜନ ଛାଡି ସେମାନଙ୍କ ଆଡକୁ ମାଡି ଆସିଲା । ଏତିକିବେଳେ ଜଣେ ବାଘ ଉପରକୁ ତରବାରୀ ଓ ଆଉ ଜଣେ ଭାଲ ଚଳାଇଲେ । ଏହିପରି ଦୁହେଁ ମିଶି ସେ ବାଘକୁ ମାରି ପକାଇଲେ ।

ତା’ପରେ ସେ ଦୁହେଁ ବାଘକୁ କାନ୍ଧରେ ଝୁଲାଇ ଗ୍ରାମ ଭିତରକୁ ଆସିଲେ । ଦେଖୁ ଦେଖୁ ଲୋକଙ୍କର ସେଠାରେ ଭିଡ ଜମିଗଲା । ସମସ୍ତେ ଏ ଦୁଇଭାଇଙ୍କୁ ପ୍ରଶଂସା କରି କହିଲେ, “ଏପରି କାମକୁ ସାହସ କହନ୍ତି । ତୁମେ ଦୁଇଜଣ ଅସାଧାରଣ ସାହସୀ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ