ଚତୁର ମହାପାତ୍ରେ

ଦୀନବନ୍ଧୁ ମହାପାତ୍ରଙ୍କୁ ଲୋକେ ଚତୁର ମହାପାତ୍ରେ ବୋଲି କହିବାର ଅନେକ କାରଣ ଥିଲା । ସେଦିନ ମହାପାତ୍ରେ ଚୌକିରେ ଆରାମ୍ କରି ବସିଥିଲେ । ସ୍ତ୍ରୀ ଲକ୍ଷ୍ମୀ ଆସି କହିଲେ, “ଶୁଣ, ଆଗାମୀ ମାସ ଆମ ଗାଁରୁ ଦଳେ ଲୋକ ବାରାଣସୀ ଯାଉଛନ୍ତି । ଆଉ କେଇଦିନ ପରେ ଆମେ ବୁଢାବୁଢୀ ହୋଇଯିବା । ବାଟ ଚାଲିବା ଆମ ପକ୍ଷରେ ଆଉ ସମ୍ଭବ ହେବ ନାହିଁ । ଚାଲ, ତୀର୍ଥ ଭ୍ରମଣ କରି ଆସିବା ।”

                ମହାପାତ୍ରେ ଚମକି ପଡି କହିଲେ, “ଏ ଘର ଛାଡି କେମିତି ଯିବା? କିଏ ବା ଆମ ବଗିଚାର ତତ୍ତ୍ୱ ନେବ?”

                ଲକ୍ଷ୍ମୀ ଜାଣିଥିଲେ, ତାଙ୍କ ସ୍ୱାମୀ ସେ ଘର ଓ ବଗିଚା ପ୍ରତି ଅତ୍ୟନ୍ତ ଆସକ୍ତ । ଯୁବାବସ୍ଥାରେ ବହୁତ ପରିଶ୍ରମ କରି ସେ ଯାହା କିଛିବି ଉପାର୍ଜନ କରିଥିଲେ, ସେଥିରେ ଏ ଘର ତିଆରି କରିଥିଲେ । ଆଉ ସେ ବଢାଇଥିବା ଉଦ୍ୟାନ ସେ ଅଂଚଳରେ ସବୁଠାରୁ ଆଦର୍ଶ ଉଦ୍ୟାନ ଥିଲା ।

                କିନ୍ତୁ ଲକ୍ଷ୍ମୀ କହିଲେ, “ଆମେ ଆଉ କେତେଦିନ ବଂଚିବା? ଆମ ସାଥିରେ ଆର ପାରିକୁ ନା ଏ କୋଠା ଯିବ, ନା ଉଦ୍ୟାନ ଯିବ । ଆମର ଏକମାତ୍ର ପୁଅ ତ ଯାଇ ସହରରେ ରହିଲା । ଆମକୁ ନେହୁରା ହୋଇ ତା’ ପାଖରେ ସେ ରହିବାକୁ ଡାକୁଛି । ଦିନେ ନା ଦିନେ ତାହାହିଁ କରିବାକୁ ପଡିବ । ଏ କୋଠା ପ୍ରତି ଏତେ ମୋହ କାହିଁକି?”

                ମହାପାତ୍ରେ ଜଣାଇଦେଲେ “ଶୁଣ ଲକ୍ଷ୍ମୀ! ଏ କୋଠାର ମୋହ ମୁଁ କେବେବି ଛାଡିପାରିବି ନାହିଁ । ଏ ବିଷୟରେ ମୋ ସହ ପାଟିତୁଣ୍ଡ କରି କିଛିବି ଲାଭ ନାହିଁ ।”

                ସେଦିନ ଲକ୍ଷ୍ମୀ ଆଉ କିଛି ମଧ୍ୟ କହିଲେ ନାହିଁ । କିନ୍ତୁ ପରଦିନ ପୁଣି ତୀର୍ଥଯାତ୍ରା ପ୍ରସଙ୍ଗକୁ ସେ ଉତ୍ଥାପନ କଲେ ଓ କହିଲେ, “ଜୀବନରେ ଯଦି ଥରେ ତୀର୍ଥଯାତ୍ରା କରିବା ସମ୍ଭବ ନ ହେଲା, ତେବେ ବଂଚି ରହି କ’ଣ ବା ଲାଭ?”

                ମହାପାତ୍ରେ ପଚାରିଲେ “ତମେ ଟିକିଏ ବାସ୍ତବତାକୁ ଦେଖ । ଆସିବା ବେଳକୁ ଘର ଆଉ ଘର ହୋଇ ରହିଥିବ? ବଗିଚା କ’ଣ ମରୁଭୂମି ହୋଇଯାଇ ନଥିବ? ଲେଉଟି ଆସି ସେ ଦୃଶ୍ୟ ଦେଖି ସହି ପାରିବ ତ?”

                ଏହା ଶୁଣି ଲକ୍ଷ୍ମୀ ଆଉ କିଛି କହିଲେ ନାହିଁ ।

                ମହାପାତ୍ରେ ବୁଝିଲେ, ଏଥର ତୀର୍ଥଯାତ୍ରା ନଗଲେ ଲକ୍ଷ୍ମୀ ଅତ୍ୟନ୍ତ ଆଘାତ ପାଇବେ ।

ପରଦିନ ସେ ଯାଇ ମହାଜନ ପାଖରେ ପହଁଚିଲେ ଓ ତାଙ୍କୁ ସେ କହିଲେ, “ଶେଠ୍ଜୀ! ତୀର୍ଥଯାତ୍ରା କରିବାକୁ ମନ ଯେ, ହେଲେ ପାଖରେ ପଇସା ନାହିଁ ।”

ମହାଜନ ପଚାରିଲେ “ତୀର୍ଥଯାତ୍ରା? ଏହା ତ ଅତି ଭଲ କଥା । ପଇସା ନାହିଁ ବୋଲି କ’ଣ ମୁଁ ନାହିଁ? କେତେ ଲୋଡା?”


ଗପ ସାରଣୀ

ତାଲିକାଭୁକ୍ତ ଗପ